ଭୁବନେଶ୍ୱର : ଉଦ୍ୟାନ କୃଷି ନିର୍ଦେଶାଳୟ ନଜର ଆଢ଼ୁଆଳରେ ଥିଲେ ବି ଏହା ମାଧ୍ୟମରେ ବର୍ଷକୁ ପ୍ରାୟ ୬୦୦ କୋଟି ଟଙ୍କାର କାରବାର ହୋଇଥାଏ। ରାଜ୍ୟରେ ପନିପରିବା, ଫୁଲଫଳ ଚାଷ କ୍ଷେତ୍ରରେ ଅଭିବୃଦ୍ଧି ସାଧନ କରିବା ହେଉଛି ଏହାର ମୁଖ୍ୟ କାର୍ଯ୍ୟ। କିନ୍ତୁ ଏହି ନିର୍ଦେଶାଳୟକୁ ଚରିଗଲାଣି ଦୁର୍ନୀତି, ଅନିୟମିତତା। ଏହାର ଯେ କୌଣସି କାର୍ଯ୍ୟାଳୟକୁ ଆଙ୍ଗୁଠି ଦେଖାଅ, ସେଇଠି ଦେଖିବାକୁ ମିଳିବ ଅନ୍ୟୂନ କୋଟିଏ ଟଙ୍କାର ଦୁର୍ନୀତି। ସବୁ ଡିଡିଏଚ୍ ଏବଂ ଏଡିଏଚ୍ କାର୍ଯ୍ୟାଳୟର ଅଡିଟ୍ ହୋଇନାହିଁ। ଯେତେଟା ହୋଇଛି, ସେଥିରୁ ବାହାରୁଛି ଦୁର୍ନୀତିର ଗନ୍ଧ। ସରକାରୀ ନୀତି ନିୟମ ସବୁ ଅଛି, କିନ୍ତୁ ସେ ସବୁକୁ ଫୁ କରି ଉଡ଼ାଇ ଦିଆଯାଇଛି।
୨୦୧୪-୧୫ ନିମନ୍ତେ କଟକ, ପୁରୀ, କେନ୍ଦୁଝର, କୋରାପୁଟ, ରାୟଗଡ଼ା, ବ୍ରହ୍ମପୁର, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଡିଡିଏଚ୍ ଆଦି କାର୍ଯ୍ୟାଳୟରେ ଅଡିଟ୍ ହୋଇଛି। ଏଥିମଧ୍ୟରୁ ଅଧିକାଂଶ କାର୍ଯ୍ୟାଳୟର ଅଡିଟ୍ ରିପୋର୍ଟ ଚାପି ହୋଇଯାଇଥିବା ବେଳେ ସେଥିମଧ୍ୟରୁ କିଛି ପଦାକୁ ଆସିଛି। ଅନୁଗୁଳ ଡିଡିଏଚ୍ରେ ପ୍ରାୟ ୪ କୋଟି ଟଙ୍କାର ଦୁର୍ନୀତି କାରବାର ହୋଇଥିବା ବୟାନ କରୁଛି ଅଡିଟ୍ ରିପୋର୍ଟ। ଓଡ଼ିଶା କଞ୍ଜ୍ୟୁମର କୋଅପରେଟିଭ୍ ଫେଡେରେସନ୍(ଓସିସିଏଫ୍) ସହିତ କେନ୍ଦୁଝର ଡିଡିଏଚ ମିଶି ‘ମନି ଲଣ୍ଡରିଂ’ ବା ବେଆଇନ ଅର୍ଥ କାରବାରରେ ସଂପୃକ୍ତ ଥିବା ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। କଟକ, କେନ୍ଦୁଝର ଅଡିଟ୍ ରିପୋର୍ଟକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ୨୦୧୭ ମେ’ ମାସରେ ଏହି ରିପୋର୍ଟକୁ ଅନୁମୋଦନ ମିଳିଥିଲେ ହେଁ ଏହାର ସୁପାରିସ୍ଗୁଡ଼ିକୁ ଅଦ୍ୟାବଧି କାର୍ଯ୍ୟକାରୀ କରାଯାଇନାହିଁ।
ଅଡିଟ୍ ଫଳାଫଳରୁ ଯେତିକି ସୂଚନା ମିଳିଛି, ସେଥିରୁ ମୁଖ୍ୟତଃ ତ୍ରିକୋଣୀୟ ଦୁର୍ନୀତି ସବୁଠି ରହିଥିବା ଦେଖାଯାଇଛି। ଡିଡିଏଚ୍ ବା ଏଡିଏଚ୍, ଯୋଗାଣକାରୀ ସଂସ୍ଥା ଏବଂ ଓସିସିଏଫ୍ ମଧ୍ୟରେ ଥିବା ଅସାଧୁ ମେଣ୍ଟ ହିଁ ତ୍ରିକୋଣୀୟ ଦୁର୍ନୀତି ରୂପ ନେଇଛି। ଜୈବିକ, ରାସାୟନିକ ସାର, କୀଟନାଶକ ଔଷଧ, ବାଡ଼, ସାମଗ୍ରୀ, ବିହନ ଆଦି କିଣିବା କ୍ଷେତ୍ରରେ ନୀତି ନିୟମ ଉଲ୍ଲଂଘନ କରି ଉଦ୍ୟାନ କୃଷିର ଡିଡିଏଚ୍ ବା ଏଡିଏଚ୍ଗୁଡ଼ିକ ଓସିସିଏଫ୍କୁ ଯୋଗାଣ ନିର୍ଦେଶ ଦେଇଥାନ୍ତି। ଓସିସିଏଫ୍ ନିଜେ ଉତ୍ପାଦନକାରୀ ନୁହେଁ। ଦଲାଲ ଭଳି ଯୋଗାଣକାରୀ ସଂସ୍ଥାମାନଙ୍କଠାରୁ ସାମଗ୍ରୀ କିଣି ଯୋଗାଣ କରିଥାନ୍ତି। ନିମ୍ବ ପିଡ଼ିଆ ପାଇଁ କିଲୋ ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟ ୧୨ ଟଙ୍କା। କିନ୍ତୁ ଓସିସିଏଫ୍ ଜରିଆରେ ଏହି ପିଡ଼ିଆକୁ ୪୦ ଟଙ୍କାରେ କିଣାଯାଇଛି। ସେହିପରି ଷ୍ଟେରା ମିଲ୍, ଗୋଦାବରୀ ଗୋଲ୍ଡ୍, ଜିଆଖତ ଭଳି ଜୈବ ସାର କିଣାଯାଇଛି। ଭାରତ ସରକାରଙ୍କ ଧାର୍ଯ୍ୟ ମାନ କୌଣସି ସାରରେ ନ ଥିବା ଅଭିଯୋଗ ହୋଇଛି। ନିୟମ ଅନୁଯାୟୀ ଜୈବ ସାର କିଣା ପୂର୍ବରୁ ତାକୁ ପରୀକ୍ଷାଗାର ପଠାଇ ପରୀକ୍ଷା କରାଯିବ। ନିର୍ଦିଷ୍ଟ ମାନର ହେଲେ ସାର କିଣା ପାଇଁ ଟେଣ୍ଡର ହେବ। କିନ୍ତୁ ବିନା ପରୀକ୍ଷା, ବିନା ଟେଣ୍ଡରରେ ସବୁ ଜିଲ୍ଲାରେ ସାର କିଣାଯାଉଛି।
୨୦୦୫ ମସିହାରୁ ଓସିସିଏଫ୍ ଜରିଆରେ କୌଣସି ସାମଗ୍ରୀ ନ କିଣିବା ପାଇଁ ସମବାୟ ବିଭାଗର କଟକଣା ଏବେ ବି ବଳବତ୍ତର ରହିଛି। ସେହିପରି ୨୦୧୨ରେ ଅର୍ଥ ବିଭାଗର ମାର୍ଗଦର୍ଶିକା, ୨୦୧୫ରେ ପଞ୍ଚାୟତିରାଜ ବିଭାଗର ନିୟମାବଳୀ, ୨୦୧୬ରେ କୃଷି ବିଭାଗର ନୀତି ନିୟମ ରହିଛି। ଏ ନେଇ ଉଦ୍ୟାନ କୃଷି ନିର୍ଦେଶକ, ଅତିରିକ୍ତ ନିର୍ଦେଶକ ସବୁ ଡିଡିଏଚ୍/ଏଡିଏଚ୍କୁ କଡ଼ା ନିର୍ଦେଶ ଦେଇଛନ୍ତି। କିନ୍ତୁ ଏ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ସବୁ ଡିଡିଏଚ୍/ଏଡିଏଚ୍। ପ୍ରତି ମାସରେ ମାସିକ ଅଭିବୃଦ୍ଧି ରିପୋର୍ଟ(ଏମ୍ପିଆର), ମାସିକ ଏକ୍ସପେଣ୍ଡିଚର୍ ଷ୍ଟେଟ୍ମେଣ୍ଟ, ଭିଡିଓ କନ୍ଫରେନ୍ସିଂ, ପ୍ରତି ୩/୪ ମାସରେ ରାଜ୍ୟସ୍ତରୀୟ କନ୍ଫରେନ୍ସ ଆୟୋଜନ ହେଉଛି। ଏସବୁ ଦୁର୍ନୀତିମୂଳକ କାର୍ଯ୍ୟକଳାପ ଧରାପଡ଼ୁନାହିଁ ନା ଏସବୁ ପ୍ରୋତ୍ସାହିତ କରାଯାଉଛି ସେ କଥା ବୁଝିହେଉନାହିଁ।
ଛୁଟିରେ ଥାଇ ବି ଅଧିକାରୀଙ୍କ ଦସ୍ତଖତରେ ୯୨ ଲକ୍ଷ ପୈଠ
ଭୁବନେଶ୍ୱର : ବାଲେଶ୍ୱର ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ସାଂଘାତିକ ଦୁର୍ନୀତି ପଦାକୁ ଫୁଟି ବାହାରିଛି। ଅଧିକୃତ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମଧୁସ୍ମୀତା ସେଠୀ ଛୁଟିରେ ଥିବା ବେଳେ ତାଙ୍କ ଡିଜିଟାଲ୍ ଦସ୍ତଖତରେ ମନ୍ରେଗା ଏବଂ ଅନ୍ୟାନ୍ୟ ପ୍ରକଳ୍ପ ବାବଦରେ ୯୨ ଲକ୍ଷ ୨୬ ହଜାର ୭୩୫ ଟଙ୍କା ପୈଠ କରାଯାଇଛି। ଏ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ତଦନ୍ତ ନିର୍ଦେଶ ଦେଇଛନ୍ତିି। ଏହା ଅପରାଧିକ ଜାଲିଆତି ହୋଇଥିଲେ ବି ଦୁଇମାସ ହେଲା ଦୋଷୀ ଚିହ୍ନଟ ହୋଇପାରିନାହାନ୍ତି।
ସୂଚନାନୁସାରେ ଡିଜିଟାଲ୍ ଦସ୍ତଖତ ପାଇଁ ଶ୍ରୀମତୀ ସେଠୀ ହେଉଛନ୍ତି ପ୍ରଥମ ଦସ୍ତଖତକାରୀ। ୨୦୧୭ରେ ସେ ତିନିଟି ପର୍ଯ୍ୟାୟରେ ଲମ୍ବା ଛୁଟିରେ ରହିଥିଲେ। ଗତବର୍ଷ ଜୁନ୍ ୧ ତାରିଖରୁ ସେ ମାତୃତ୍ୱ ପାଇଁ ଲମ୍ବା ଛୁଟିରେ ରହିଛନ୍ତି। ଛୁଟି ମଧ୍ୟରେ ପ୍ରାୟ ୧୨୬ ଥର ବିଭିନ୍ନ ଖର୍ଚ ବାବଦରେ ଟଙ୍କା ପୈଠ କରାଯାଇଛି। ଏଥିମଧ୍ୟରୁ ବାଡ଼ କିଣା ବାବଦରେ ବିନା ଟେଣ୍ଡରରେ ଦିଆଯାଇଛି ପ୍ରାୟ ୩୦ ଲକ୍ଷ ଟଙ୍କା। ସେହି ଅର୍ଥରୁ ମୋଟା ରାଶି ୧୦ଜଣ ଉଦ୍ୟାନ ସାଥୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି। ମନ୍ରେଗା କ୍ଷେତ୍ରରେ ଶ୍ରମ ହେଉ ବା ସାମଗ୍ରୀ କିଣା ପାଇଁ ପଞ୍ଚାୟତିରାଜ ବିଭାଗ ଯେଉଁ ନିୟମାବଳୀ ଜାରି କରିଛି, ଏଭଳି ଡିଜିଟାଲ୍ ଦସ୍ତଖତ ଜାଲିଆତି ତାକୁ ସମୂଳେ ଜଳାଞ୍ଜଳି ଦେଇଛି।