ଡିପିସି କାର୍ଯ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି : ସିନିଅର ଟିସିଙ୍କୁ ବହିଷ୍କାର ପାଇଁ କାରଣଦର୍ଶାଅ ନୋଟିସ୍‌

ଯାଜପୁର : ଯାଜପୁର ଡିପିସିଙ୍କ କାର୍ଯ୍ୟାଳୟର ମହା‌ଦୁର୍ନୀତି ସମ୍ପର୍କରେ ‘ସମ୍ବାଦ’ରେ ଲଗାତର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପରେ ଇତିମଧ୍ୟରେ ତଦନ୍ତ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଅପବ୍ୟୟର ପର୍ଦ୍ଦାଫାସ ହୋଇଛି। ଦୁର୍ନୀତି ଅଭିଯୋଗରେ ସିନିଅର ଟିସି ସତ୍ୟନାରାୟଣ ସାହୁଙ୍କ ନାମରେ ଚା‌ର୍ଜ ଫ୍ରେମ୍ କରାଯାଇଛି। ଶ୍ରୀ ସାହୁଙ୍କୁ ବହିଷ୍କାର କରିବା ପାଇଁ ୩୦ ଦିନିଆ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଯାହାକୁ ନେଇ ଶିକ୍ଷା ବିଭାଗରେ ଆଲୋଡ଼ନ ଖେଳିଯାଇଛି।

ଶିକ୍ଷାର ପ୍ରଚାର ଓ ପ୍ରସାର ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ନିର୍ମାଣ ଓ ବିକାଶ ପାଇଁ କାମ କରୁଥିବା ଜିଲ୍ଲା ସର୍ବଶିକ୍ଷା ଅଭିଯାନରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ହେରଫେର ଘଟଣାରେ ସିନିଅର ଟିସି ଶ୍ରୀ ସାହୁଙ୍କୁ ବିରୋଧରେ ଚାର୍ଜ ଫ୍ରେମ୍ କରାଯାଇଛି। ଓପେପା ସର୍ଭିସ ରୁଲ ଏଣ୍ଡ ରେଗୁଲେସନ ୧୯୯୬ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

ଯାଜପୁର ସର୍ବଶିକ୍ଷା ଅଭିଯାନ ପକ୍ଷରୁ ପ୍ରତି ବ୍ଲକରେ ଏକାଧିକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି କରାଯାଇଛି। ଏଠାରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଗୁପ୍ତ ଟେଣ୍ଡର କରାଯାଇ କାମ କରାଯାଇଛି। ଏ ସମ୍ପର୍କରେ ‘ସମ୍ବାଦ’ରେ ଲଗାତାର ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ସିନିଅର ଟିସି ଶ୍ରୀ ସାହୁଙ୍କ କଳାକାରନାମା ପଦାକୁ ଆସିଛି। ସିନିଅର ଟିସି ଶ୍ରୀ ସାହୁ ନିଜ କ୍ଷମତାର ବାହାରକୁ ଯାଇ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ବିନାଅନୁମୋଦନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିଛନ୍ତି। ୨୨ଲକ୍ଷ ୬୦ ହଜାର ଟଙ୍କା ସେ ବିନା ଅନୁମୋଦନରେ ଖର୍ଚ୍ଚ କରିଥିବା ବିଭାଗୀୟ ଯାଞ୍ଚ ବେଳେ ଧରାପଡ଼ିଛି। ପାଞ୍ଚ ଲକ୍ଷରୁ ଅଧିକ ଟଙ୍କାର ନିର୍ମାଣ କାର୍ଯ୍ୟ ପାଇଁ ଉଭୟ ସର୍ବଶିକ୍ଷା ଅଭିଯାନର ଅଧ୍ୟକ୍ଷ(ଜିଲ୍ଲାପାଳ) ଏବଂ ଡିପିସିଙ୍କ ଅନୁମୋଦନର ଆବଶ୍ୟକତା ଥିବା ବେଳେ ଶ୍ରୀ ସାହୁ ନିଜ ମନଇଚ୍ଛା ସରକାରୀ ଅର୍ଥକୁ ବ୍ୟୟ କରିଛନ୍ତି। ଆଗୁଆ ଗସ୍ତ ସୂଚୀର କୌଣସି ସୂଚନା ନଥାଇ ଶ୍ରୀ ସାହୁ ବିଭିନ୍ନ ସମୟରେ ବିଭିନ୍ନ ବ୍ଲକକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅନୁମୋଦନରେ ମାସିକ ଗସ୍ତ କରିଛନ୍ତି। ଗସ୍ତସୂଚୀ କେବଳ ନାମକୁ ମାତ୍ର କରାଯାଇଛି। କଣ ପାଇଁ ଗସ୍ତ କରିଥିଲେ, କି କାମ କରିଛନ୍ତି, କଣ ତଦାରଖ କରିଯାଇଛି? ତାର କୌଣସି ବିଶଦ ରିପୋର୍ଟ ନାହିଁ। ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ଗସ୍ତସୂଚୀର ତାଲିକା ଯାଞ୍ଚ ଟିମ୍ ଆଗରେ ପରିବେଷଣ କରିଥିବା ବେଳେ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଲଗବୁକ୍ ଲେଖାଯାଇଛି। ସବୁ ନିୟମକୁ ଦଳିମକଚି ଶ୍ରୀ ସାହୁ ଭଡ଼ା ଗାଡ଼ିର ମାଲିକଙ୍କୁ ଅର୍ଥ ପଇଠ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଲା ଶ୍ରୀ ସାହୁ ‌ବ୍ଲକ୍ ଅଞ୍ଚଳରେ କାର୍ଯ୍ୟରତ କୌଣସି ଜଣେ ହେଲେ ଟିସିଙ୍କ ସହିତ ନିର୍ମାଣ ସମ୍ପର୍କିତ କାମ ନେଇ ଆଲୋଚନା କରିନାହାନ୍ତି।

ଅନ୍ୟପକ୍ଷରେ ଟିସିଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଅଗ୍ରୀମ ଗଡୁଛି। ଏହା ବ୍ୟତୀତ ଆର୍ଥିକ ଆଇନକୁ ଅଣଦେଖା କରି ବିଭିନ୍ନ ନିର୍ମାଣ କାମ ପାଇଁ ଥିବା ଚେକବୁକ, ପାସବୁକ ଗୁଡ଼ିକ ଶ୍ରୀ ସାହୁ ନିଜ ଅକ୍ତିଆରରେ ରଖିଛନ୍ତି। ଶ୍ରୀ ସାହୁଙ୍କ ସରକାରୀ ଅର୍ଥ ଅନିୟମିତା କରିଥିବା ନେଇ ତାଙ୍କ ବିରୋଧରେ ଚାର୍ଜ ଫ୍ରେମ୍ କରାଯାଇଛି। କେବଳ ଅର୍ଥ ହେରାଫେରି ନୁହେଁ, ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକୁ ଅମାନ୍ୟ କରିବା, ନିଜ କାମ ପ୍ରତି ଯଥେଷ୍ଟ ଧ୍ୟାନ ନଦେବା, କର୍ତ୍ତବ୍ୟ ପ୍ରତି ସଜାଗ ନହେବା, ଡ୍ୟୁଟିରେ ଖିଲାପ କରିବା, ଆର୍ଥିକ ଓ ପରିଚାଳନାଗତ କାର୍ଯ୍ୟରେ ଅନିୟମିତତା ଆଦି ନେଇ ତାଙ୍କ ବିରୋଧରେ ବିଭାଗୀୟ ଚାର୍ଜଫ୍ରେମ କରାଯାଇଛି। ଏଭଳି ସ୍ଥିତିରେ ଶ୍ରୀ ସାହୁ ପ୍ରକଳ୍ପ ପାଇଁ କାର୍ଯ୍ୟକରିବା ଆଦୌ ସମୀଚୀନ ନୁହେଁ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ତାଙ୍କ ଚିଠି ନମ୍ବର ୩୭୯୫ରେ ଗତ୧୩ତାରିଖରେ ସ୍ପଷ୍ଟ କରିଛନ୍ତି। ଯାହାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗରେ ଆଲୋଡ଼ନ ଖେଳିଯାଇଛି।

ସମ୍ବନ୍ଧିତ ଖବର