ଯାଜପୁରଟାଉନ : ଯାଜପୁର ଡ୍ରେନେଜ୍ ବିଭାଗରେ ପୁଣି ବହୁ କୋଟି ଟଙ୍କାର ମହାଦୁର୍ନୀତି ପଦାକୁ ଆସିଛି । ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟି ଜରିଆରେ କୋଟି କୋଟି ଟଙ୍କାର ଏପିଏସ୍ ଅର୍ଥ କାରବାର ହୋଇଛି ବୋଲି ଧରାପଡ଼ିଛି। ଯାହାର ତଦନ୍ତ ଜାରି ରହିଛି ବୋଲି ବିଭାଗୀୟ ସୂତ୍ରରୁ ସୁରାକ ମିଳିଛି। ଡିଭିଜନ୍ କାର୍ଯ୍ୟାଳୟ ଦାୟିତ୍ଵରେ ଥିବା ଯନ୍ତ୍ରୀ ଓ କେତେକ ଠିକାଦାରଙ୍କ ସଲାସୁତୁରାରେ ଏହି ମହାଦୁର୍ନୀତି ବହୁ ଦିନରୁ ଚାଲିଆସିଛି। କିନ୍ତୁ ଏ ବାବଦରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଜାଲ୍ ବ୍ୟାଙ୍କ୍ ଗ୍ୟାରେଣ୍ଟି ମାଧ୍ୟମରେ କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଏହି ବିଭାଗର ଯନ୍ତ୍ରୀମାନେ ଠିକାଦାରଙ୍କ ହାତକୁ ଟେକି ଦେଇଛନ୍ତି। ଏହି ବାବଦରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ସନ୍ଦେହ କରାଯାଉଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଗତ ୨୦୧୫ ମସିହା ଅକ୍ଟୋବର ମାସରେ ଡ୍ରେନେଜ୍ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଏହି ପ୍ରକଳ୍ପ ଗୁଡ଼ିକୁ ନେବା ପାଇଁ ବହୁ ଠିକାଦାର ଟେଣ୍ଡର୍ ଆବେଦନ କରିଥିଲେ। ଡିଭିଜନ୍ରେ ୧୫-୨୦ ପ୍ରତିଶତ କମ୍(ଲେସ୍)ରେ କାମ ହେଉଛି। ଏଥି ପାଇଁ ଠିକାଦାରମାନେ ନେଉଥିବା ପ୍ରକଳ୍ପଗୁଡ଼ିକରେ ଏପିଏସ୍ ବାବଦକୁ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାର ନିୟମ ରହିଛିା କେତେକ ଠିକାଦାର ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟି ଜରିଆରେ ଏହି ପ୍ରକଳ୍ପଗୁଡିକୁ ନେଇ ଥିବାର ଅଭିଯୋଗ ହୋଇଛିା ଯାହାକି ବିଂଝାରପୁର ଡ୍ରେନେଜ୍ ସବ୍ଡିଭିଜନ୍ ଅଧୀନରେ ଥିବା ଖରିଆ ନାଳ ପ୍ରକଳ୍ପରେ ଏହି ଅଭିଯୋଗ ପଦାକୁ ଆସିଛି। ଖରିଆ ପ୍ରକଳ୍ପର ଠିକା କାର୍ଯ୍ୟ ପାଇଁ ଆବେଦନ କରିଥିବା ଜଣେ ଠିକାଦାର ଏପିଏସ୍ ବାବଦକୁ ତାଉଁତରା ସ୍ଥିତ ୟୁନାଇଟେଡ୍ ବ୍ୟାଙ୍କ୍ରୁ ୫୦ ଲକ୍ଷରୁ ଊଦ୍ଧ୍ଵର୍ ଟଙ୍କାର ବ୍ୟାଙ୍କ୍ ଗ୍ୟାରେଣ୍ଟି ଦେଇଥିଲେ। ହେଲେ ଏହା ଜାଲ୍ ବ୍ୟାଙ୍କ୍ ଗ୍ୟାରେଣ୍ଟି ବୋଲି ଅଭିଯୋଗ ହୋଇଛିି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଭାଗରେ ଜମା ହୋଇଥିବା ଉକ୍ତ ବ୍ୟାଙ୍କ ଗ୍ୟାରେଣ୍ଟିର ରେଫେରେନ୍ସ ନମ୍ବର ଓ ତାରିଖ ଉଲ୍ଲେଖ ନଥିବାରୁ ଏହା ଅଧିକ ସନ୍ଦେହ ଘେର ମଧ୍ୟକୁ ଆସିଛି। ସେହିପରି ତାଉଁତରା ୟୁନାଇଟେଡ୍ ବ୍ୟାଙ୍କର ଶାଖା ପରିଚାଳକ ଭାବେ ପ୍ରମୋଦ କୁମାର ମିଶ୍ର ୨୦୧୫ ମସିହା ଜୁଲାଇ ମାସରେ ଯୋଗଦେଇ ଥିବାବେଳେ ଅକ୍ଟୋବର ମାସରେ ଆବେଦନ ହୋଇଥିବା ଏହି ଟେଣ୍ଡର୍ ପାଇଁ ବ୍ୟାଙ୍କ ଗ୍ୟାରେଣ୍ଟିରେ ଶ୍ରୀ ମିଶ୍ରଙ୍କ ଦସ୍ତଖତ ପରିବର୍ତ୍ତେ ପୂର୍ବ ଶାଖା ପରିଚାଳକ ପି.ଭୋଇଙ୍କ ଦସ୍ତଖତ ଦେଖିବାକୁ ମିଳିଛି। ଏପରିକି ଶାଖା ପରିଚାଳକ ପି. ଭୋଇଙ୍କ ଦସ୍ତଖତକୁ ମଧ୍ୟ ଏହି ବ୍ୟାଙ୍କ ଗ୍ୟାରେଣ୍ଟିରେ ଜାଲିଆତି କରାଯାଇଛି।
ସେହିପରି ୨୦୧୫ ମସିହା ଅକ୍ଟୋବର ମାସରେ ସମ୍ପୃକ୍ତ ଠିକାଦାରଙ୍କ ନାମରେ ଉକ୍ତ ବ୍ୟାଙ୍କରେ ୫ ହଜାରରୁ କମ୍ ଟଙ୍କା ଜମା ଥିବାବେଳେ ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ତାଙ୍କୁ କିପରି ଯୋଗାଇ ଦିଆଗଲା? ଏହା ପଛରେ କାହାର ହାତ ଅଛି ତଦନ୍ତ ହେଲେ ଜଣା ପଡ଼ିବ। କେବଳ ଏହି ଗୋଟିଏ ପ୍ରକଳ୍ପ ନୁହେଁ, ଉକ୍ତ ବିଭାଗରେ ହୋଇଥିବା ବହୁ ପ୍ରକଳ୍ପରେ ଏହିଭଳି ଜାଲିଆତି କରାଯାଇଛିବୋଲି କୁହାଯାଉଛି।