ଶକ୍ତି ବିଭାଗରେ ହଜାରେ କୋଟିର ମହାଘୋଟାଲା: ବିଜେପି

ଭୁବନେଶ୍ବର : ଗୋଟିଏ ପଟେ ଭୁବନେଶ୍ବରରେ ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଆରମ୍ଭ ହୋଇଥିଲା ବେଳେ ଶିଳ୍ପ ପାଇଁ ଗୁରୁତ୍ବପୂର୍ଣ୍ଣ ବିଜୁଳି ବିତରଣ ନେଇ ବଡ଼ ଦୁର୍ନୀତି ସମ୍ପର୍କରେ ଅଭିଯୋଗ ଆଣିଛି ବିଜେପି। ବିଜୁଳି ବିତରଣ କମ୍ପାନି ପରିଚାଳନା ଭାର ଏକ ନିର୍ଦ୍ଦିଷ୍ଟ କମ୍ପାନିକୁ ଦେବାକୁ ୧୦୦୦ ‌େକାଟି ଟଙ୍କାର ଡିଲ୍ ହୋଇଛି ବୋଲି ଦଳ ଆରୋପ ଲଗାଇଛି।

ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନିକୁ ଠିକା ଦେବାରେ ହୋଇଥିବା ବିଡିଙ୍ଗ୍‌ରେ ଜାଣିଶୁଣି ଏକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇଲା‌ ପରି ସରକାର ନିୟମ କରିଛନ୍ତି। ଏମିତି ନିୟମ କରାଯାଇଛି ଯେ ‌େଯପରି ଭାବେ ଦେଶର ବଛା ବଛା ଶକ୍ତି ବିତରକ କମ୍ପାନି ଟେଣ୍ଡର୍ ପ୍ରକ୍ରିୟାରେ ଭାଗ ନେଇପାରିବେନି। ଏବେ ସୁଦ୍ଧା ଦୌଡ଼ରେ ମାତ୍ର ଦୁଇଟି କମ୍ପାନି ଥିଲା ବେଳେ ସେଥିରୁ ରାଜ୍ୟ ସରକାର ଏକ ଅନଭିଜ୍ଞ ତଥା ଅପେକ୍ଷାକୃତ ଛୋଟ କମ୍ପାନିକୁ ଠିକା ଦେବା ପାଇଁ ଯାଉଛନ୍ତି। ଏଥି ପାଇଁ ଶକ୍ତି ସଚିବ ହେମନ୍ତ ଶର୍ମାଙ୍କୁ ବିଜେପି ଟାର୍ଗେଟ୍ କରିଛି। ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି, ଓଡ଼ିଶାର ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ବିପର୍ଯ୍ୟୟ ପାଇଁ ଶ୍ରୀ ଶର୍ମା ସମ୍ପୂର୍ଣ୍ଣ ଭାବେ ଦାୟୀ। ସେ ସାତ ସାତଟି ପଦବିରେ ଥାଇ ଶକ୍ତି କ୍ଷେତ୍ରକୁ ବିପର୍ଯ୍ୟୟକୁ ଠେଲି ସାରିଲେଣି। ଏବେ ସେସୁକୁ ବିକ୍ରି କରି ଏକ ଅନାମଧେୟ ଘରୋଇ କମ୍ପାନି ହାତରେ ଆଗାମୀ ୩୦ ବର୍ଷ ପାଇଁ ଓଡ଼ିଶାର ବିଜୁଳି ବ୍ୟବସ୍ଥାକୁ ଟେକି ଦେଇ ସେଥିରୁ ଏକ ହଜାର କୋଟି ଟଙ୍କା ପିସି ଖାଇବାର ଷଡ଼ଯନ୍ତ୍ର କରୁଛନ୍ତି ସଚିବ। ବିଦ୍ୟୁତ ବିତରଣ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନ ଥିବା ଇଣ୍ଡିଆ ପାୱାର୍ ପରି ଛୋଟ କମ୍ପାନିକୁ ଟେକ୍ନିକାଲ୍ ବିଡିଂ ପ୍ରକ୍ରିୟାରେ ସର୍ଟ ଲିଷ୍ଟ୍ କରିଛନ୍ତି। ଇଣ୍ଡିଆ ପାୱାର୍ କେବେ ବି ଏକ ହଜାରରୁ ଅଧିକ ଗ୍ରାହକଙ୍କୁ ବିଜୁଳି ଯୋଗାଇ ନାହିଁ। ନିକଟ ଅତୀତରେ ବିହାରର ଗୟା ସହରକୁ ବିଜୁଳି ଯୋଗାଇଦେବା ଚୁକ୍ତିରେ ବିଫଳ ହେବା ପରେ ଚୁକ୍ତି ରଦ୍ଦ କରି ତାହାକୁ କଳା ତାଲିକା ଭୁକ୍ତ କରାଯାଇଥିଲା। ଏହିପରି ଏକ ଅଯୋଗ୍ୟ କମ୍ପାନି ସହ ସରକାର ଚୁକ୍ତି କରିବାକୁ ଯାଉଛନ୍ତି।

ବିଜେପି ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି, ସରକାର ଶସ୍ତା ବିଜୁଳି ଦେବା ନାଁରେ ସାଧାରଣ ଲୋକଙ୍କୁ ଠକୁଛନ୍ତି। ଘଣ୍ଟା ଘଣ୍ଟା ଅଘୋଷିତ ବିଜୁଳି କାଟ ହେଉଛି। ୨୪ ଘଣ୍ଟିଆ ବିଜୁଳି ପାଇଁ ଆବଶ୍ୟକ ଭିତ୍ତିଭୂମି ଓଡ଼ିଶାରେ ନାହିଁ। ଗ୍ରାମୀଣ ବିଜୁଳି ସଂଯୋଗ ପାଇଁ କେନ୍ଦ୍ର ସରକାର ୮୦୭୭ କୋଟି ଟଙ୍କା ଯୋଗାଇ ଦେଇଥିଲା ବେଳେ ରାଜ୍ୟ ସରକାର ସେହି ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି। ଇଣ୍ଟିଗ୍ରେଟେଡ୍‌ ପାୱାର୍ ଡେଭଲପ୍‌ମେଣ୍ଟ୍‌ ସ୍କିମ୍‌ରେ କେନ୍ଦ୍ର ସରକାର ଦେଇଥିବା ୧୦୮୩ କୋଟି ଟଙ୍କାରୁ ମାତ୍ର ୧୭ ପ୍ରତିଶତ ଏ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର