୫ ମେଡିକାଲ କଲେଜ ନିର୍ମାଣରେ ଦୁର୍ନୀତି! ସିଏଜି ଧରିଲେ ପୂର୍ତ ବିଭାଗରେ କେଳେଙ୍କାରୀ, ଠିକାଦାରଙ୍କୁ ୪୦ କୋଟିର ଅହେତୁକ ଅନୁକମ୍ପା

ଭୁବନେଶ୍ବର : ମେଡିକାଲ କଲେଜ େକାଠା ନିର୍ମାଣ କୋଉଠି ସରିଛି, ଆଉ କୋଉଠି ଅଧାରେ ଅଟକିଛି। ରାଜ୍ୟ ସରକାର ଏସବୁ େମଡିକାଲ କଲେଜକୁ ନେଇ କେତେ ସ୍ବପ୍ନ ଦେଖିଛନ୍ତି। ହେଲେ ଏସବୁରୁ ଦୁର୍ନୀତିର ଗନ୍ଧ ବାହାରିଲାଣି। ବିେରାଧୀ ରାଜନୈତିକ ଦଳ ନୁହେଁ, ବରଂ ଖୋଦ ପ୍ରଧାନ ମହାଲେଖାକାର ତଥା ମହାନିୟନ୍ତ୍ରକ (ସିଏଜି) ଏଭଳି ସନ୍ଦେହ କରି ରାଜ୍ୟ ସରକାରଙ୍କୁ କୈଫିୟତ ମାଗିଛନ୍ତି। ଅଭିଯୋଗ ଆଣିଛନ୍ତି ଯେ େମଡିକାଲ କଲେଜ େକାଠା ନିର୍ମାଣ ପାଇଁ ଠିକାଦାରମାନେ ଦାଖଲ କରିଥିବା ଟେଣ୍ଡର କୋଟେସନରେ ସବୁ କର ମିଶାଇ ଦେଇଥିବା ବେଳେ ଖୋଦ୍ ପୂର୍ତ୍ତ ବିଭାଗର ଅଧିକାରୀମାନେ ଠିକାଦାରକୁ ସେବା କର ବାବଦରେ ୪୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ଗତ ଏପ୍ରିଲ ମାସରୁ ଉତ୍ତର ମଗାଯାଇଥିଲେ ବି ଏ ପର୍ଯ୍ୟନ୍ତ ସରକାର କୌଣସି ଜବାବ ରଖିପାରିନଥିବା ଜଣାପଡ଼ିଛି।

ଚିଠା ଅଡିଟ୍ ରିେପାର୍ଟରେ କୁହାଯାଇଛି ଯେ କୋରାପୁଟ, ବଲାଙ୍ଗୀର, ବାଲେଶ୍ବର, ବାରିପଦା ଏବଂ ପୁରୀରେ ମେଡିକାଲ କଲେଜ କୋଠା ନିର୍ମାଣ କରିବା ପାଇଁ ସରକାର ଦୁଇ ଜଣ ଠିକାଦାରଙ୍କ ସହ ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠାବାଡ଼ି ନିର୍ମାଣ) ଦୁଇଟି ଟର୍ଣ୍ଣ-କି ଚୁକ୍ତିନାମା ୨୦୧୫ ମାର୍ଚ୍ଚରେ କରିଥିଲେ। ଚୁକ୍ତିନାମା ମୁତାବକ ଏସବୁ ମେଡିକାଲ କଲେଜ୍ କୋଠା ନିର୍ମାଣ ଓ ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ଠିକାଦାର ଦାୟୀ ରହିବେ। ଏଥିପାଇଁ ଦୁଇଜଣ ଠିକାଦାର ପ୍ରଦାନ କରିଥିବା ଟେଣ୍ଡରରେ ମୂଲ୍ୟ ଯୁକ୍ତ କରଠାରୁ ଆରମ୍ଭ କରି ରୟାଲଟି, ଆୟ କର, ଶ୍ରମିକ ମଜୁରି ଉପରେ ସେସ୍ ବାବଦ କର ସାମିଲ ଥିଲା। ଠିକାଦାରଙ୍କୁ ଅର୍ଥ ପ୍ରଦାନ କରିବା ବେଳେ ପୂର୍ତ୍ତ ବିଭାଗ ଏସବୁ ବାବଦରେ କରଗୁଡ଼ିକୁ ବିଯୁକ୍ତ କରି ନଗଦ ଅର୍ଥ ପ୍ରଦାନ କରିବା କଥା। ଏହି ୫ଟି ମେଡିକାଲ କଲେଜ୍ ପାଇଁ ୯୬୯ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ସେଥିରୁ ୨୦୧୯ ମାର୍ଚ୍ଚ ସୁଦ୍ଧା ସମ୍ପୃକ୍ତ ଠିକାଦାରଙ୍କୁ ୭୮୮ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ପୂର୍ତ୍ତ ବିଭାଗ (ରାସ୍ତା ଓ କୋଠାବାଡ଼ି ନିର୍ମାଣ) ବିଭାଗ ପ୍ରଦାନ କରିଥିବା ରସିଦରୁ ଜଣାପଡ଼ିଛି ଯେ ୨୦୧୫ ମାର୍ଚ୍ଚରୁ ଜୁନ୍ ୨୦୧୭ ପର୍ଯ୍ୟନ୍ତ ସମ୍ପୃକ୍ତି ଠିକାଦାରଙ୍କୁ ସେବା କର ବାବଦରେ ୩୯ କୋଟି ୪୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଯାହାକୁ ନେଇ ଅଡିଟ୍ ବେଳେ ମହାଲେଖାକାର ଆପତ୍ତି ଉଠାଇଛନ୍ତି। ଏ ନେଇ ବଲାଙ୍ଗୀର (ରାସ୍ତା ଓ କୋଠାବାଡ଼ି ନିର୍ମାଣ) ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଫେଇ ଦେଇ କହିଥିଲେ ଯେ ଏସବୁ ଟଙ୍କା ଠିକାଦାରଙ୍କୁ ସଂଶୋଧିତ ବିଜ୍ଞପ୍ତି ଆଧାରରେ ପ୍ରଦାନ କରାଯାଇଛି, ଯେଉଁଥିରେ ସେବା କର ପ୍ରଦାନ ପାଇଁ ଉଲ୍ଲେଖ ରହିଛି। ସେହିପରି ପୂର୍ତ୍ତ ବିଭାଗର ମୟୂରଭଞ୍ଜ ଓ ପୁରୀ ଡିଭିଜନ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି ଯେ ପୁରୀ ଓ ବାରିପଦା ମେଡିକାଲ କଲେଜ ପାଇଁ ୨୦୧୫ ମାର୍ଚ୍ଚ ୨୦ରେ ଚୁକ୍ତିନାମା ହୋଇଥିଲା। ମାର୍ଚ୍ଚ ପହିଲା ପରେ ଠିକାଦାରଙ୍କ ସହ ଚୁକ୍ତିନାମା ହୋଇଥିବାରୁ ସେବା କର ଛାଡ଼ କରାଯାଇପାରିବନି। ସେହିପରି କୋରାପୁଟ ଡିଭିଜନ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆହୁରି ଅଦ୍ଭୂତ ଯୁକ୍ତି ଦର୍ଶାଇଛନ୍ତି। କୌତୂହଳର କଥା ହେଉଛି, ୫ଟି ଯାକ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କ କଥାରେ ତାଳମେଳ ମହାଲେଖାକାର ପାଇନାହାନ୍ତି।

ମହାଲେଖାକାର ଏ ନେଇ ଗତ ଏପ୍ରିଲ ମାସରୁ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ବି ଏ ପର୍ଯ୍ୟନ୍ତ ସରକାର କିଛି ବି ଉତ୍ତର ରଖିନଥିବା ଜଣାପଡ଼ିଛି। ମହାଲେଖାକାରଙ୍କ ଆପତ୍ତି ହେଲା ଯଦି ଜଣେ ଠିକାଦାର ଚୁକ୍ତିନାମା ବେଳେ ଦାଖଲ କରିଥିବା ଟେଣ୍ଡର ଦରରେ ସବୁ କର ମିଶାଇ ସରକାରଙ୍କୁ ପ୍ରଦାନ କରିଥିଲେ। ତା ହେଲେ ପରବର୍ତ୍ତୀ ଅବସ୍ଥାରେ ସେବା କର ବାବଦରେ ପୂର୍ତ୍ତ ବିଭାଗ କାହିଁକି ଏତେ ଟଙ୍କା ପ୍ରଦାନ କରିଛି?

ସମ୍ବନ୍ଧିତ ଖବର