ନୂଆଗାଁ ବ୍ଲକ୍‌ରେ ବାଟ ହୁଡ଼ିଛି ଖାଦ୍ୟ ସୁରକ୍ଷା ଯୋଜନା : ବଡ଼ବଡିଆଙ୍କୁ ମିଳୁଛି, ଗରିବ ହତାଶ

ଭୋକିଲା ରହି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଅସହାୟ ଗରିବ ଶ୍ରେଣୀର ଲୋକେ

ନୂଆଗାଁ : ରାଜ୍ୟ ସରକାର ଗରିବ, ଗୁରୁବାମାନଙ୍କୁ ଦି’ଓଳି ଦି’ମୁଠା ଖାଇବାକୁ ଦେବାକୁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କଲେ। ଏଥିରେ ଭିନ୍ନକ୍ଷମ, ସ୍ବାମୀ ପରିତ୍ୟକ୍ତା, ରୋଗଗ୍ରସ୍ତ ଏବଂ ନିରାଶ୍ରୟ ଲୋକଙ୍କୁ ସାମିଲ୍ କରାଯିବା ଲକ୍ଷ୍ୟ ରହିଛି। ମାତ୍ର ଏହି ଯୋଜନାକୁ ବଡ଼ବଡ଼ିଆମାନେ ମାଡ଼ି ବସିଛନ୍ତି। ଫଳରେ ଅସହାୟ ଗରିବ ଶ୍ରେଣୀର ଲୋକେ ଭୋକିଲା ରହି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ନୂଆଗାଁ ବ୍ଲକ୍‌ର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଛି।

ସୂଚନା ଥାଉକି, ନୂଆଗାଁ ବ୍ଲକ୍ ଏକ ଆଦିବାସୀ ଅଂଚଳ ଭାବେ ଜଣାଶୁଣା। ଏଠାରେ ଅଧିକ ଗରିବ ଲୋକ ବସବାସ କରିଥାନ୍ତି। କେତେକ ଲୋକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି ତ ଆଉ କିଏ ଅନାହାରରେ ମୃତ୍ୟୁମୁଖରେ ପଡ଼ୁଛି। ଆଉ ଏବେ କେତେକ ଭିନ୍ନକ୍ଷମ ଓଳିଏ ଖାଇଲେ ଆଉ ଓଳିଏ ଉପବାସରେ ଦିନ କାଟୁଛନ୍ତି। ଏପଟେ ବଡ଼ବଡ଼ିଆମାନେ ଅନ୍ତ୍ୟୋଦୟ କାର୍ଡକୁ ନିଜ ପାଖରେ ରଖି ପ୍ରତିମାସରେ ଅନ୍ତ୍ୟୋଦୟ ଯୋଜନାରେ ଆସୁଥିବା ଚାଉଳକୁ ହରିଲୁଟ‌୍ କରିବାରେ ଲାଗିଛନ୍ତି। ୨୦ ଦିନ ତଳେ ଖାଇବାକୁ ନ ପାଇ ଜଣେ ଆଦିବାସୀ ଅସହାୟ ମହିଳା ଦୁଃଖୀ ଯାନୀଙ୍କ ଅକାଳ ମୃତ୍ୟୁ ହେବା ପରେ ଆଉ ଜଣେ ସେହି ଗ୍ରାମର ମାୟାଧର ବେହେରା (୮୦) ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତାଙ୍କର କେହି ନଥିବାରୁ ବୃଦ୍ଧାବସ୍ଥାରେ ମୁଠେ ଖାଇବାକୁ ଛଟପଟ ହେଉଛନ୍ତି। ଖାଇବାକୁ ନ ପାଇ ସେ ଏବେ ବାରଦୁଆର ହେଉଛନ୍ତି। କେତେବେଳେ କାହାକୁ ହାତପାତି ମାଗୁଛନ୍ତି ତ ଆଉ କେତେବେଳେ ଭଉଣୀ ଘରେ ଯାଇ ଅଧିଆ ପଡ଼ୁଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ପ୍ରକାର ସହାୟତା ଦିଆଯାଇ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ସାମିଲ୍ କରାଯାଇନଥିବା ବେଳେ ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ।

The Indian Express

ସେହିପରି ବାହାଡ଼ାଝୋଲା ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତି ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ପ୍ରଶାସନ ଅଣଦେଖା କରି ଚାଲିଛି। ତାଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ଆଖି ନଷ୍ଟ ହୋଇଯାଇଥିବା ବେଳେ ସେ କୌଣସି କାମଧନ୍ଦା କରି ପାରୁନାହାନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ମୁଣ୍ତ ପିଛା ହିସାବରେ ୫ କିଲୋ ଚାଉଳରେ ତାଙ୍କ ପେଟ ପୂରୁନଥିବା କହିଛନ୍ତି। ତାଙ୍କର ଗୋଟିଏ ୬ ବର୍ଷର ଝିଅ ଥିବା ବେଳେ ଚଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ଏପଟେ ନୂଆଗାଁ ବ୍ଲକ୍‌ର ପ୍ରତି ପଞ୍ଚାୟତରେ ଅନ୍ତ୍ୟୋଦୟ କାର୍ଡକୁ ବଡବଡିଆ ଏବଂ କୁଜିନେତାମାନେ ନିଜ ପାଖରେ ରଖି ୩୫ କିଲୋ ଚାଉଳ ପ୍ରତିମାସରେ ହଡ଼ପ କରୁଛନ୍ତି। କେତେକ ବ୍ୟକ୍ତି ଦାନା ମୁଠିଏ ନ ପାଇ ନିଜ ପରିବାରକୁ ଛାଡ଼ି ଦାଦନ ଖଟିବାକୁ ଚାଲିଯାଉଥିବା ବେଳେ ଆଉ କେତେକ ମହିଳା ନିଜର ଦିବ୍ୟାଙ୍ଗ ପିଲାଙ୍କୁ ଧରି ସାରା ଜୀବନ ଛଟପଟ ହେଉଛନ୍ତି। ହେଲେ ଏଥିରେ କାହାର କିଛି ବି ଯାଏ ଆସେ ନାହିଁ। ବଡ଼ବଡ଼ିଆ ଏବଂ କୁଜିନେତାଙ୍କ ନାଁରୁ କାର୍ଡ କାଟିଲେ ବଦଳି କିମ୍ବା ଆକ୍ରୋଶର ଶିକାର ହେବେ ସେଥିପାଇଁ ସରକାରୀ କର୍ମଚାରୀମାନେ ଚୁପ୍ ରହୁଛନ୍ତି। ତେବେ ଏହି ଅସହାୟ ବ୍ୟକ୍ତିମାନେ ସରକାରଙ୍କ ଏହି ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍ ହେବେ ଏବଂ ଦି’ଓଳି ଦି’ମୁଠା ଖାଇବାକୁ ପାଇବେ ତାକୁ ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର