ଅଲେଖ ବାବାଙ୍କୁ ବି ଛାଡ଼ିନି ବନବିଭାଗ, ମହାବିନାୟକ ସ୍ଥାୟୀ ନର୍ସରୀରେ ଓମବାଡ୍‌ସି‌ ଅର୍ଥ ଚଳୁ

ଯାଜପୁର : ବନ ବିଭାଗ କଟକ ଡିଭିଜନର ଡାଳିଯୋଡ଼ା ରେଞ୍ଜ ଅଧୀନରେ ଆଖି ଝଲସିଗଲା ଭଳି ଦୁର୍ନୀତି ହୋଇଛି। କରୋନା ସମୟରେ ଲୋକମାନେ ଘରୁ ପାଦ ବାହାର କରିପାରି ନ ଥିବାବେଳେ ୫୦କିମି ଦୂର ସ୍ଥାନରେ ଥିବା ଜଣେ ବୃଦ୍ଧ ଅଲେଖବାବାଙ୍କ ନାମରେ ମଧ୍ୟ ଜାଲ୍‌ ଭାଉଚର କରି ଅର୍ଥ ଆତ୍ମସାତ୍‌ କଲା ଭଳି ଚାଞ୍ଚଲ୍ୟକର ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ବାର୍ଦ୍ଧକ୍ୟ ଓ ଅସୁସ୍ଥତା ଯୋଗୁ କାମ କରିପାରୁ ନଥିବା ବଡ଼ବିରୁଆଁର ଅଲେଖ ସନ୍ନ୍ୟାସୀ ଘନଶ୍ୟାମ ମଲିକଙ୍କ ନାମରେ ଚଣ୍ଡିଖୋଲ ନିକଟ ମହାବିନାୟକ ସ୍ଥାୟୀ ନର୍ସରିରେ ଲକ୍ଷ ଲକ୍ଷ ଟଙ୍କା ଜାଲ୍ ଭାଉଚର କରାଯାଇଛି।

ମହାବିନାୟକ ସ୍ଥାୟୀ ନର୍ସରୀରେ ଚାରାରେ ପାଣି ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଛି। ଓମବାଡସି ଅନୁଦାନରେ କରୋନା ସମୟରେ ଗତ ୨୦୨୦ ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ଚାରାରେ ପାଣି ଦେବା ବାବଦରେ ମୋଟ ୩୯ଟି ଭାଉଚର ଜରିଆରେ ୧୬ ଲକ୍ଷ ୮୮ ହଜାର ୬୬୮ ଟଙ୍କା ହରିଲୁଟ୍ କରାଯାଇଛି।

୨୦୨୦ମାର୍ଚ୍ଚରେ ପାଣି ଦେବା ମଜୁରି ବାବଦକୁ ୩ଟି ଭାଉଚର ଜରିଆରେ ୧ଲକ୍ଷ ୨୫ ହଜାର ୧୬୦ ଟଙ୍କା, ଏପ୍ରିଲରେ ୧୧ଟି ଭାଉଚର ଜରିଆରେ ୪ଲକ୍ଷ ୬୪ ହଜାର ୮୮୦ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି। ଟିଣ ଭାରରେ ପାଣି ନିକଟସ୍ଥ ପାଣିଖାତରୁ ବୁହା ହୋଇଥିବା ଦର୍ଶାଯାଇଛି। ନର୍ସରିରେ ପାଣିର ବ୍ୟବସ୍ଥା ଥିବାବେଳେ ପାଣିଖାତରୁ କାହିଁକି ଭାରରେ ବୁହାଯାଇ ୧୬ ଲକ୍ଷ ୮୮ ହଜାର ୬୬୮ ଟଙ୍କା ବିଲ୍ ହୋଇଛି?

ଏହି ନର୍ସରୀ ଠାରୁ ୫୦କିମି ଦୂର କୋରେଇ ବ୍ଲକ୍ ବଡ଼ବିରୁଆଁ ଗ୍ରାମର ବୃଦ୍ଧ ଅଲେଖ ବାବା ଘନଶ୍ୟାମ ମଳିକ ବାଲି ଯୋଗାଇଥିବାର ମିଥ୍ୟା ବିଲ୍ କରାଯାଇଛି। ବାଲି ବାବଦକୁ ଭାଉଚର ନମ୍ବର ୩ଡି ୫/୨୦ ଓ ନମ୍ବର ୧୦ ଡି ୫/୨୦ରେ ୫୫୦୦ ବର୍ଗଫୁଟ ବାଲି ପାଇଁ ୬୬ହଜାର ଟଙ୍କା ଦିଆଯାଇଛି। କେବଳ ଘନଶ୍ୟାମ ନୁହନ୍ତି ଏହି ବଡ଼ବିରୁଆଁର ଉଗ୍ରସେନ ଦାସ ମଧ୍ୟ ଗୋବର ଖତ ଯୋଗାଣ କରିଥିବା ଦର୍ଶାଯାଇଛି। ଭାଉଚର ନମ୍ବର ୬ଡି ୫/୨୦ ଓ ୧୧ଡି ୫/୨୦ରେ ୬ ହଜାର ସ୍କୋୟାର ଫୁଟ ଗୋବର ଖତ ପାଇଁ ୯୦ହଜାର ଟଙ୍କା ବିଲ୍‌ କରାଯାଇଛି। ହେଲେ ଉଗ୍ରସେନ ଓ ଘନଶ୍ୟାମ ମହାବିନାୟକ ସ୍ଥାୟୀ ନର୍ସରି ମୂଳରୁ ଦେଖିନାହାନ୍ତି। କାମ କରିବା,ବାଲି ଓ ଖତ ଯୋଗାଇବା ଦୂର କଥା ବୋଲି କହିଛନ୍ତି। ଏ ମାନଙ୍କ ନାମରେ ପାସ୍ ବୁକ୍ ଖୋଲି ଏଟିଏମ ହାତେଇ ଅଧିକାରୀ ଟଙ୍କା ଉଠାଇ ନେଇଛନ୍ତି। ଏହି କାମ ତଦାରଖ କରୁଥିବା ଚଣ୍ଡିଖୋଲ ସେକ୍ସନର ବନପାଳ ଶଶିକାନ୍ତ ବେହେରା ଅଭିଯୋଗକୁ ଅସ୍ବୀକାର କରିିଥିବା ବେଳେ ଅନେକ ପ୍ରଶ୍ନ ଏଡ଼ାଇ ଯାଇଛନ୍ତି।

ବଡ଼ବିରୁଆଁ ସମିତି ସଭ୍ୟ ପ୍ରମୋଦ ସାହୁ କହିଛନ୍ତି ଘନଶ୍ୟାମ ମଲିକ ୪/୫ବର୍ଷ ହେଲା ବାର୍ଦ୍ଧକ୍ୟ ଯୋଗୁଁ କାମ କରିପାରୁନାହାନ୍ତି। ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ତାଙ୍କ ଗ୍ରାମର କେ‌ହି ଲୋକ ବାହାରକୁ ଯାଇ କାମ କରିନାହାନ୍ତି। ଗରିବ ଲୋକଙ୍କ ନାମରେ ଏହା ସବୁଠାରୁ ବଡ଼ ଦୁର୍ନୀତି ବୋଲି ସମିତି ସଭ୍ୟ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର