୨୨ କ୍ୟାରେଟ୍‌ ଦାମ୍‌ରେ ୧୪ କ୍ୟାରେଟ୍‌ ସୁନା ବିକୁଛନ୍ତି ବ୍ୟବସାୟୀ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ବର : କିଛି ବଡ଼ ସୁନା ଦୋକାନୀ ଗ୍ରାହକଙ୍କୁ ଠକୁଛନ୍ତି। ୨୨ କ୍ୟାରେଟ୍‌ ସୁନାର ପଇସା ନେଉଛନ୍ତି, କିନ୍ତୁ ଦେଉଛନ୍ତି ୧୪ କ୍ୟାରେଟ୍‌ ସୁନା। ରାଜ୍ୟରେ ସୁନା ବ୍ୟବସାୟରେ ଏମିତି ଠକାମି ଚାଲିଛି ବୋଲି ଖୋଦ୍ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ସୁନା ଦୋକାନ ଉପରେ ଯୋଗାଣ ବିଭାଗର ଚଢ଼ାଉ ଓ ତା’ପରେ ମନ୍ତ୍ରୀଙ୍କ ଏମିତି ବିବୃତି ଗ୍ରାହକଙ୍କ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ଗତ ୨୦ ତାରିଖରେ ବିଧାନସଭାରେ ସୁନା ଦୋକାନରେ ହେଉଥିବା ଠକେଇ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମନ୍ତ୍ରୀ ଶ୍ରୀ ସ୍ବାଇଁ ୨୦୧୭-୧୮ରେ ୩୧ଟି ଓ ୨୦୧୮-୧୯ରେ ୧୧ଟି ସୁନା ଦୋକାନରେ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଥିଲେ। ଏହି ତାଲିକାରେ କୌଣସି ବଡ଼ ଦୋକାନ ନାମ ନ ଥିଲା। ଏପରିକି ଭୁବନେଶ୍ବର ଓ ବ୍ରହ୍ମପୁରର ଗୋଟିଏ ବି ଦୋକାନ ନାମ ନ ଥିଲା। ଏହାକୁ ନେଇ ନିଜେ ବାଚସ୍ପତି ଓ ଅନ୍ୟ ସଭ୍ୟମାନେ ସନ୍ଦେହ ପ୍ରକଟ କରିଥିଲେ। ବିଭାଗର ନିରୀକ୍ଷକମାନଙ୍କୁ ଡାକି ସମୀକ୍ଷା କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ମଧ୍ୟ ଆଶଙ୍କା କରିଥିଲେ, ସାରୁ ଭିତରେ ମାରୁ ଥାଇପାରେ। ମୁଁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବି।

ଏହା ପରେ ଗତ ୨୨ରୁ ୨୫ ତାରିଖ ମଧ୍ୟରେ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର ଓ ବାଲେଶ୍ବରର ବିଭିନ୍ନ ସୁନାଗହଣା ଦୋକାନ ଓ ପ୍ରତିଷ୍ଠାନ ଉପରେ ଅଚାନକ ଚଢ଼ଉ କରାଯାଇଥିଲା। ୪୫ଟି ଦୋକାନ ଓ ପ୍ରତିଷ୍ଠାନ ଉପରେ ହୋଇଥିବା ଏହି ଚଢ଼ଉରେ ୨୯ଟି ‌ଦୋକାନ ଓ ପ୍ରତିଷ୍ଠାନରେ ବୈଧମାପ ବିଜ୍ଞାନ ନିୟମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଏଥିପାଇଁ ୨୭ଟି ସଂସ୍ଥାରୁ ୩ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଅନ୍ୟ ଦୁଇଟି ସଂସ୍ଥାକୁ ନୋଟିସ୍ ଦିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଆଜି ବିଭାଗୀୟ ମନ୍ତ୍ରୀ ଶ୍ରୀ ସ୍ବାଇଁ ଗଣମାଧ୍ୟମକୁ ଏ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ବଡ଼ ବଡ଼ ଦୋକାନୀ ଓଜନରେ ଠକୁଛନ୍ତି ଓ ଅପମିଶ୍ରଣ କରୁଛନ୍ତି। ନିୟମିତ ଭାବେ ଏମିତି ଚଢ଼ଉ ଜାରି ରହିବ। ସବୁ ଗହଣା ଦୋକାନ ଭାରତୀୟ ମାନକ ବ୍ୟୁରୋରେ ସେମାନଙ୍କ ବ୍ୟବସାୟ ପଞ୍ଜୀକରଣ କରିବାକୁ ବାଧ୍ୟତାମୂଳକ କରିବା ପାଇଁ ୨୦୨୦ ଜାନୁଆରିରେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିବାକୁ ଯାଉଛନ୍ତି। ଏହା ପରେ ୨୦୨୧ ଜାନୁଆରି ସୁଦ୍ଧା ସବୁ ପୁରୁଣା ଜିନିଷ ବିକ୍ରି କରିବାକୁ ବ୍ୟବସାୟୀମାନଙ୍କୁ ସୁଯୋଗ ଦିଆଯିବ।

ସମ୍ବନ୍ଧିତ ଖବର