ଯାଜପୁର ଡ୍ରେନେଜ୍ ଡିଭିଜନରେ ଦୁର୍ନୀତି : ଘାସ, ଦଳ ସଫା କରି କୋଟି କୋଟି ଟଙ୍କା ଚଳୁ, ଧୋଇଗଲା ହଜାର ହଜାର ହେକ୍ଟର ଜମିର ଫସଲ

ଯାଜପୁର : ଡ୍ରେନେଜ ଡିଭିଜନରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ଘାସ, ଦଳ ସଫା କରି କୋଟି କୋଟି ଟଙ୍କା ଚଳୁ କରାଯାଇଛି। ବିଂଝାରପୁର ସବ୍‌ଡିଭିଜନରେ ପ୍ରାୟ ୬୦ କୋଟି ଟଙ୍କା ବ୍ୟୟ କରାଯାଇଥିଲେ ହେଁ ହଜାର ହଜାର ହେକ୍ଟର ଜମିର ଫସଲ ଧୋଇ ଯାଇଛି। ଗାଗର ପାଟିଆ ନାଳ ଖୋଳା ପାଇଁ ଦୁଇଟି ପର୍ଯ୍ୟାୟରେ ୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ସୂଚନା ମିଳିଛି। ଏତେପରେ ବି ଜମିରୁ ଜଳ ନିଷ୍କାସନ ହୋଇ ନପାରିବାରୁ ଫସଲ ଉଜୁଡ଼ି ଯାଇଛି। ଏଭଳି ସାଂଘାତିକ ସ୍ଥିତିକୁ ନେଇ ଚା‌ଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ଖାଲୁଆ ଜମିରୁ ଜଳ ନିଷ୍କାସନ ପାଇଁ ଜଳ ସମ୍ପଦ ବିଭାଗର ଡ୍ରେନେଜ୍ ଡିଭିଜନ୍ ଜରିଆରେ ଶହ ଶହ କୋଟି ଟଙ୍କା ବ୍ୟୟ ହେଉଛି। ତଥାପି ବର୍ଷା ଓ ବନ୍ୟା ଜଳ ଖାଲୁଆ ଜମିରୁ ନିଷ୍କାସନ ହୋଇପାରୁ ନଥିବାରୁ ଲକ୍ଷାଧିକ ଚାଷୀ ‌କ୍ଷତିଗ୍ରସ୍ତ ହେଉଛନ୍ତି। ଯାଜପୁର ଜିଲ୍ଲାର ହଜାର ହଜାର ହେକ୍ଟର ଖାଲୁଆ ଜମିର ଧାନ ଓ ରବି ଫସଲ ଅତ୍ୟଧିକ ବର୍ଷା ଓ ବନ୍ୟା ଜଳ ଦ୍ବାରା ଧୋଇଯାଉଛି। ପାଟନାଳୀ ସଫେଇ ଓ ଖନନ ନାମରେ କୋଟିକୋଟି ଟଙ୍କା ବ୍ୟୟ ହେଉଥିବା ବେଳେ ଚାଷୀ ବଦଳରେ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ଲାଭବାନ ହେଉଛନ୍ତି।

ବିଂଝାରପୁର ସବଡିଭିଜନ୍ ଅଧୀନ ଗାଗର ପାଟିଆ ନାଳ ଓ ଶାଖା ନାଳ ପୁନଃଉଦ୍ଧାର ନାମରେ ୨ବର୍ଷ ମଧ୍ୟରେ ୨୦୧୭-୧୮ ଆର୍ଥିକ ବର୍ଷରେ ୪ କୋଟି ୨୭ ଲକ୍ଷ ୮୬ ହଜାର ୧୫୭ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ‌ସରକାରୀ ତଥ୍ୟ କହୁଛି। ଏହି ପାଟନାଳୀର ଅରିଲୋ ତିନିମୁହାଣି ଠାରୁ ଶ୍ୟାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ଜେସିବିରେ ଘାସ ସଫେଇ ହୋଇଥିବା ବେଳେ ଶ୍ୟାମେଶ୍ବର ମନ୍ଦିର ଠାରୁ କଣ୍ଟିପୁର ପର୍ଯ୍ୟନ୍ତ ଅଧା କାମ ହୋଇଛି। ଅଧିକାଂଶ ସ୍ଥାନରେ ପାଟନାଳୀ ପୋତି ହୋଇଯାଇଛି। ଏହି କାରଣରୁ ବରୀ ବ୍ଲକ୍‌ର ୨ଟି ପଞ୍ଚାୟତ ଅଙ୍ଗାଳୋ, ରଣପୁର ଏବଂ ବିଂଝାରପୁର ବ୍ଲକର ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ଅରିଲୋ, କଣ୍ଟିପୁର, ଅଙ୍ଗାଳୋ, ରଣପୁର, ଜଗନ୍ନାଥପୁର, ମଲ୍ଲିପୁର ଓ ବାଣପୁର ପ୍ରଭୃତି ଗ୍ରାମର ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମି ପ୍ରତିବର୍ଷ ଉଦ୍‌ବୃତ୍ତ ଜଳ ଦ୍ବାରା କ୍ଷତିଗ୍ରସ୍ତ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ନାଳର ଖନନ ପାଇଁ ୪ କୋଟି ୨୭ ଲକ୍ଷ ୮୬ ହଜାର ୧୫୭ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ବେ ଏଭଳି ଅବସ୍ଥା ହୋଇଥିବା ‌ବେଳେ ପୁଣି ୩କୋଟି ଟଙ୍କାର କାମ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଚାଷୀମାନେ କହିଛନ୍ତି। ଏହି ଗାଗରପାଟିଆ ନାଳ ଓ ଶାଖାନାଳ ସଫେଇର ସିଂହଭାଗ ଠିକାଦାର ଓ ଯନ୍ତ୍ରୀଙ୍କ ଅସାଧୁମେଣ୍ଟ ଦ୍ବାରା ହେରାଫେରି ହୋଇଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ବିଂଝାରପୁର ଏସ୍‌ଡିଓ ଅଧର ଜେନା କହିଛନ୍ତି ଏହି ନାଳ କାମ କରୁଥିବା ଠିକାଦାରଙ୍କ ମୃତ୍ୟୁ ହୋଇଯିବାରୁ ଏହା ଶେଷ ହୋଇପାରିଲା ନାହିଁ। ଫଳରେ ୯୦ଲକ୍ଷ ଟଙ୍କା ଫେରସ୍ତ ପଳାଇଛି। ପୂର୍ବ ଅପେକ୍ଷା ଜମିରୁ ଜନ ନିଷ୍କାସନ ହୋଇଯାଉଛି ବୋଲି ଶ୍ରୀ ଜେନା ସଫେଇ ଦେଇଛନ୍ତି।

ସରକାରୀ ତଥ୍ୟ ମୁତାବକ ଏହି ବିଂଝାରପୁର ସବଡିଭିଜନ୍‌ରେ ଗତ ୪ଟି ଆର୍ଥିକବର୍ଷରେ ବିଭିନ୍ନ ପାଟନାଳୀରେ ମୋଟ ୬୦ କୋଟି ୪୪ ଲକ୍ଷ ୫୧ ହଜାର ୯୮୪ ଟଙ୍କା ବ୍ୟୟ କରାଯାଇଛି। କେବଳ ଘାସ, ଦଳ ସଫା ଓ ଶାଖା ନାଳ ପୁନରୁଦ୍ଧାର ନାମରେ ୫୧ କୋଟି ୮୯ ଲକ୍ଷ ୮୧ ହଜାର ୧୯୦ ଟଙ୍କା ଖର୍ଚ୍ଚ କରାଯାଇଛି। ସେଥି ମଧ୍ୟରୁ ୨୦୧୬-୧୭ ଆର୍ଥିକ ବର୍ଷରେ ୨୫ କୋଟି ୩୦ ଲକ୍ଷ ୭୦ ହଜାର ୯୯୦ ଟଙ୍କା ଖର୍ଚ୍ଚ କରାଯାଇଛି। ଘାସ, ଦଳ ସଫା, ନାଳ ଓ ଶାଖା ନାଳ ଖନନ ନାମରେ ୨୧ କୋଟି ୬୧ ଲକ୍ଷ ୯୭ ହଜାର ୭୭୧ ଟଙ୍କା ଓ ପାଦଚଲା ପୋଲ, ଚେକ୍ ଡ୍ୟାମ ନିର୍ମାଣରେ ୩ କୋଟି ୬୮ ଲକ୍ଷ ୭୩ ହଜାର ୨୧୯ ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ୨୦ କୋଟି ୧୫ ଲକ୍ଷ ୪୫ ହଜାର ୪୨୩ ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରୁ ଘାସ, ଦଳ ସଫା ଓ ନାଳ ଶାଖା ନାଳ ପୁନରୁଦ୍ଧାର ନାମରେ ୧୯ କୋଟି ୧୮ ଲକ୍ଷ ୮୬ ହଜାର ୮୦୩ ଟଙ୍କା ଓ ପାଦଚଲା ପୋଲ, ଚେକ୍ ଡ୍ୟାମ ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣରେ ୯୬ ଲକ୍ଷ ୫୮ ହଜାର ୬୨୦ ଟଙ୍କା ବ୍ୟୟ ହୋଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ କୋଟି ୮୬ ଲକ୍ଷ ୪ ହଜାର ୯୭୨ ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିରୁ ଘାସ ଦଳ ସଫା ଓ ନାଳ ଶାଖା ନାଳ ପୁନରୁଦ୍ଧାର ନାମରେ ୧୦ କୋଟି ୯୬ ଲକ୍ଷ ୬୬ ହଜାର ୧୭ ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣରେ ୩ କୋଟି ୮୯ ଲକ୍ଷ ୩୮ ହଜାର ୯୫୫ ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଘାସ ଦଳ ସଫାରେ ୧୨ ଲକ୍ଷ ୩୦ ହଜାର ୫୯୯ ଟଙ୍କା ବ୍ୟୟ ଦର୍ଶାଯାଇଛି।

ମୋଟାମୋଟି ଭାବେ ଗତ ୪ବର୍ଷରେ ସମ୍ପୂର୍ଣ୍ଣ ବିଂଝାରପୁର ବ୍ଲକ୍, ଆଂଶିକ ଦଶରଥପୁର ଓ ବରୀ ବ୍ଲକ୍‌ର ଖାଲୁଆ ଜମିର ଧାନ ଫସଲ ବ୍ୟାପକ ବର୍ଷା ଓ ବନ୍ୟାରେ ନଷ୍ଟ ହୋଇଥିବା ବେଳେ ପ୍ରାୟ ୬୦କୋଟି ଟଙ୍କା ‌ଜଳ ନିଷ୍କାସନ ପାଇଁ ବିଂଝାରପୁର ସବଡ଼ିଭିଜନ୍ ଜରିଆରେ ବ୍ୟୟ କରାଯାଇଛି। ଏତେ ଟଙ୍କା ବ୍ୟୟ ହେଉଥିବା ସତ୍ତ୍ବେ ଚାଷରେ ସେପରି ଲାଭ ହେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର