ଯାଜପୁର ଉଠାଜଳଚେସନ ଡିଭିଜନରେ ଦୁର୍ନୀତି : ତଦନ୍ତ ପରେ କାଗଜପତ୍ର ଜବତ

ଯାଜପୁର : ଯାଜପୁର ଉଠା ଜଳସେଚନ ଡିଭିଜନରେ ବ୍ୟାପକ ଦୁର୍ନୀତି ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଲୋକାୟୁକ୍ତ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲେ। ଏହି ଘଟଣାରେ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍ ଜାରି କରିଥିଲେ। ଆଜି ଅଧୀକ୍ଷଣ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ସହିତ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଅଧୀକ୍ଷଣ ଯନ୍ତ୍ରୀ ମାନସରଂଜନ ପଟ୍ଟନାୟକଙ୍କ ସହିତ ଡେପୁଟି ଚିଫ୍ ଆକାଉଣ୍ଟସ ଅଫିସର ଅଜୟକୁମାର ନାୟକ ଅରଖପୁର ପଞ୍ଚାୟତର ଅରଖପୁର ଘାଟ, ଚାରି ନମ୍ବର, ପାଞ୍ଚ ନମ୍ବର ଏବଂ ନଅ ନମ୍ବର ପ୍ରକଳ୍ପ ବୁଲି ଦେଖିବା ସହିତ କାର୍ଯ୍ୟାଳୟକୁ ଆସି କେତେକ କାଗଜପତ୍ର ତନଖି କରିଥିଲେ। ଡିପିଆର, କାର୍ଯ୍ୟାଦେଶ ଏବଂ ଅନ୍ୟ କେତେକ କାଗଜର ନକଲ ସାଙ୍ଗରେ ନେଇ ଯାଇଛନ୍ତି।

ତଦନ୍ତ ସଂପର୍କରେ ନିର୍ବାହୀ ଯନ୍ତ୍ରୀ ଶିବରାମ ପଣ୍ଡା କହିଛନ୍ତି ଯେ, ତଦନ୍ତକାରୀ ଟିମ୍‌ ଅଫିସ ଆସି ଡିପିଆର, ୱାର୍କିଂ ଏଷ୍ଟିମେଟ, ବିଲ ରେଜିଷ୍ଟର, ୱାର୍କ ଅର୍ଡର, ସାଇଟର ଫଟୋ କପି ଆଦି ନେଇ ଫେରି ଯାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବଡ଼ଚଣା ବ୍ଲକ ଅରଖପୁର ପଞ୍ଚାୟତ ଜଳସେଚନର ଏକ ଉପଖଣ୍ଡ କାର୍ଯ୍ୟାଳୟ ବନ୍ଧା ପଦ୍ମନାଭପୁରର ଥିବା ସତ୍ତ୍ବେ ପଞ୍ଚାୟତର ଏକାଧିକ ଏଲ୍‌ଆଇ ପଏଣ୍ଟ ଓ ଆର୍‌ଏଲ୍ ପଏଣ୍ଟ ଅଚଳ ହୋଇଯାଇଛି। ଅରଖପୁର-୮ ପ୍ରକଳ୍ପଟି ବି ଅଚଳ। ୧୪ ଲକ୍ଷ ୯୧ ହଜାର ୮୦୦ ଟଙ୍କା ବ୍ୟୟରେ ୨୦୧୭ ମସିହାରେ ଏହି ପ୍ରକଳ୍ପଟି ନିର୍ମାଣ କାର୍ଯ୍ୟ ସରିବା ପରେ ଅଚଳ ହୋଇପଡ଼ିଛି। ଅରଖପୁର ଘାଟ ଠାରେ ୨୦୧୯ ମସିହାରେ ୮ ଲକ୍ଷ ୮୮ ହଜାର ୧୩୮ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ପ୍ରକଳ୍ପଟି ମଧ୍ୟ ଅଚଳ। ୭ ନମ୍ବର ପ୍ରକଳ୍ପ ୨୦୧୭ ମସିହାରେ ୧୪ ଲକ୍ଷ ୯୨୯ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତାହା ବି ଏବେ ଅଚଳ। ଏ ସଂପର୍କିତ ଖବର ସେପ୍ଟେମ୍ବର ୨୩ ତାରିଖରେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକାୟୁକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ କରିଥିବା ବେଳେ ଆଜି ଏସ୍‌ଇ ଘଟଣାର ତଦନ୍ତ କରିଛନ୍ତି। ତଦନ୍ତ ପରେ ଅସାଧୁ ମେଣ୍ଟଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର