କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କରେ କେଳେଙ୍କାରୀ : ପରିଚାଳନା ବୋର୍ଡ ବିନା ଅନୁମୋଦନରେ ୧୨ ଜଣଙ୍କୁ ନିଯୁକ୍ତି

ପ୍ରିୟାପ୍ରୀତି ଭିତ୍ତିରେ ନିଯୁକ୍ତି, ଯୋଗ୍ୟତା ବିଚାର ହୋଇନି, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶକୁ ଚାପି ଦେଇ ବସିଗଲେ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ୍‌ରେ ବେଆଇନ ନିଯୁକ୍ତି ସହ ଋଣ ପ୍ରଦାନରେ ସାଂଘାତିକ ଅନିୟମିତତା ହୋଇଛି। ରାଜ୍ୟ ସମବାୟ ନିବନ୍ଧକ(ରେଜିଷ୍ଟ୍ରାର୍‌) ଏଥିପାଇଁ ବ୍ୟାଙ୍କ୍‌ ମୁଖ୍ୟ ନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଦାୟୀ କରିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଟକ ଡିଭିଜନ୍-୨ର ଉପ ନିବଂଧକଙ୍କୁ ନିର୍ଦେଶ ଦେଇଛନ୍ତି। ତଦନୁଯାୟୀ, ଉପ ନିବଂଧକ ବି ଘଟଣାରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପୂର୍ବକ ରିପୋର୍ଟ ଦେବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ହେଲେ ଇତିମଧ୍ୟରେ ମାସେ ପୂରିବାକୁ ବସିଥିଲେ ବି ନିର୍ଦ୍ଦେଶ ପାଳନ ହେଉନାହିଁ। ନା ବ୍ୟାଙ୍କ୍‌ ସିଇଓଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉଛି ନା ବେଆଇନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଉଛି। ସମୟ ଗଡ଼ିବା ସହ ଅର୍ବାନ୍ ବ୍ୟାଙ୍କର ଏତେ ବଡ଼ କେଳେଙ୍କାରୀ ଚପିଯିବା ଆଶଙ୍କା ସୃଷ୍ଟି ହେଲାଣି।

ରାଜ୍ୟ କୋ-ଅପରେଟିଭ୍ ସୋସାଇଟିର ନିବଂଧକଙ୍କ ଅନୁମୋଦନ ବିନା ବ୍ୟାଙ୍କ୍‌ରେ କୌଣସିପ୍ରକାର ନିଯୁକ୍ତି ହୋଇପାରିବ ନାହିଁ।  ୨୦୧୧ ଅଗଷ୍ଟ ୧୯ତାରିଖରେ ଏଥିନିମନ୍ତେ ଏକ ନିର୍ଦେଶନାମା ଜାରି କରାଯାଇ ସୋସାଇଟି ଅଧୀନସ୍ଥ ସମସ୍ତ ବ୍ୟାଙ୍କ୍‌କୁ ଜଣାଇ ଦିଆଯାଇଥିଲା। କିନ୍ତୁ କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ୍‌ରେ ଏହାର ଖୋଲା ଉଲ୍ଲଂଘନ ‌ହୋଇଛି। ବ୍ୟାଙ୍କ୍‌ରେ ସବୁ ବର୍ଗର କର୍ମଚାରୀଙ୍କୁ ମିଶାଇ ମୋଟ୍‌ ୬୨ଜଣ ରହିବାର ନିୟମ ଥିବା ବେଳେ ୧୦୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ କର୍ତୃପକ୍ଷ ୧୨ଜଣଙ୍କୁ ସଂପୂର୍ଣ୍ଣ‌ ବେଆଇନ ଭାବେ ନିଯୁକ୍ତି ଦେଇଥିବା ବ୍ୟାଙ୍କ୍‌ର ଜଣେ ସଭ୍ୟ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା। ୨୦୧୯ ଅକ୍ଟୋବର ୨୯ ତାରିଖରେ କଟକ ଡିଭିଜନ୍-୨ର ଉପ ନିବଂଧକ ଡକ୍ଟର କୁଳମଣି ପାଢ଼ୀ ଘଟଣାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ ଉପରୋକ୍ତ ନିଯୁକ୍ତି ପୂର୍ବରୁ କୌଣସି ପ୍ରକାର ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ କି’ ଶିକ୍ଷାଗତ ଯୋଗ୍ୟତାକୁ ବିଚାରକୁ ନିଆଯାଇନାହିଁ। ବରଂ ପରିଚାଳନା ବୋର୍ଡର ତିନି ଜଣ ନିର୍ଦେଶକଙ୍କ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି। ୧୨ଜଣ କର୍ମଚାରୀଙ୍କ ନିଯୁକ୍ତି ସଂପର୍କରେ ପରିଚାଳନା ବୋର୍ଡରେ କୌଣସି ନିଷ୍ପତ୍ତି ହୋଇନାହିଁ ଅଥବା ବୋର୍ଡର ଅନୁମୋଦନ ଲାଭ କରି ନଥିବା ତଦନ୍ତ ଅଧିକାରୀ ଦର୍ଶାଇବା ସହ ଯୋଗ୍ୟତା ପରିବର୍ତେ ପ୍ରିୟାପ୍ରୀତି ଭିତ୍ତିରେ ନିଯୁକ୍ତି ବ୍ୟାଙ୍କ୍‌ ସ୍ବାର୍ଥ ଦୃଷ୍ଟିରୁ କ୍ଷତିକାରକ ବୋଲି ଉଲ୍ଲେଖ କରିଥିଲେ। ଗତବର୍ଷ ନଭେମ୍ବର ୧୩ ତାରିଖରେ ଏହି ରିପୋର୍ଟ ସୋସାଇଟିର ନିବଂଧକଙ୍କୁ ପ୍ରଦାନ କରାଯିବା ପରେ ସେ ଡିସେମ୍ବର ୧୩ତାରିଖରେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପ ନିବଂଧକଙ୍କୁ ନିର୍ଦେଶ ଦେଇଥିଲେ। ତୁରନ୍ତ ବେଆଇନ ଭାବେ ନିଯୁକ୍ତି ପାଇଥିବା ୧୨ ଜଣଙ୍କୁ ଚାକିରିରୁ ବହିଷ୍କାର କରିବାକୁ ସେ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ। ଏହି ମର୍ମରେ ଉପ ନିବଂଧକ ଚଳିତ ମାସ ୩ ତାରିଖରେ ବ୍ୟାଙ୍କ୍‌ ସିଇଓ ସୁଶୀଲ କୁମାର ସାମଲଙ୍କୁ ଚିଠି ଲେଖି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ହେଲେ ନିର୍ଦେଶକୁ ମାସେ ପୂରିବାକୁ ବସିଥିଲେ ବି ଅଦ୍ୟାବଧି କୌଣସି କାର୍ଯ୍ୟାନୁ‌ଷ୍ଠାନ ହୋଇନାହିଁ।

ଅନ୍ୟପକ୍ଷରେ ସିଇଓ ଶ୍ରୀ ସାମଲ କହିଛନ୍ତି ପରିଚାଳନା ବୋର୍ଡ ଘଟଣାର ପୁନର୍ବିଚାର କରିବା ପାଇଁ ନିବଂଧକଙ୍କୁ ପତ୍ର ଲେଖିଛି। ବ୍ୟାଙ୍କ୍‌ର ଅନେକ କର୍ମଚାରୀ ନିକଟରେ ଅବସର ନେବେ। ତାକୁ ଦୃଷ୍ଟିରେ ରଖାଯାଇ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେମାନେ ଅବସର ନେବା ବେଳକୁ ଏମାନେ ଯେପରି କାମରେ ଏକ୍ସପର୍ଟ ହେଇଯିବ, ସେଥିପାଇଁ ଆଗୁଆ ଚାକିରି ଦିଆଯାଇଥିଲା। ତା’ଛଡ଼ା ଯେଉଁ ୧୨ଜଣଙ୍କୁ ବେଆଇନ ନିଯୁକ୍ତି ଦର୍ଶାଯାଇ ଚାକିରିରୁ ବହିଷ୍କାର ପାଇଁ କୁହାଯାଇଛି, ସେମାନେ ହାଇକୋର୍ଟରୁ ସ୍ଥିତାବସ୍ଥା ଆଣିଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଏପରିକି, ତଦନ୍ତ ରିପୋର୍ଟ ବି ଅଦ୍ୟାବଧି ଆମର ହସ୍ତଗତ ହୋଇନଥିବା ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର