ସୁନ୍ଦରଗଡ଼: ଜିଲ୍ଲା ଶ୍ରମ ବିଭାଗ ମହାଦୁର୍ନୀତି ଏବେ ରାଜ୍ୟ ବ୍ୟାପି ଚର୍ଚ୍ଚାରେ। ଗରିବ ନିର୍ମାଣ ଶ୍ରମିକଙ୍କୁ ସହାୟତା ନାମରେ ଶ୍ରମ ବିଭାଗର ଅସାଧୁ ଅଧିକାରୀ ଓ କିଛି ସଂସ୍ଥା କରିଥିବା ୧ କୋଟି ୪୪ ଲକ୍ଷ ଟଙ୍କା ହଡ଼ପ ମାମଲା ଏବେ ଲୋକାୟୁକ୍ତରେ। ରାଉରକେଲାର ପୂର୍ବତନ ଶ୍ରମ ଅଧିକାରୀ ପ୍ରଣବ କୁମାର ପାତ୍ର ଓ ନିର୍ମାଣ ଶ୍ରମିକ ଉପକରଣ ଯୋଗାଇଥିବା ବ୍ୟବସାୟିକ ସଂସ୍ଥା କୋଏଲନଗରର ମା’ ପଦ୍ମାସିନୀ ଏଣ୍ଟରପ୍ରାଇଜେସର ମାଲିକ ସୁଶାନ୍ତ ଲେଙ୍କା, ସିଭିଲ ଟାଉନସିପର ବେଦିକା ଭେଣ୍ଡର୍ସ ପ୍ରାଇଭେଟ୍ ଲିମିଟେଡର ମାଲିକ ଅନୁପ ଗୁପ୍ତାଙ୍କୁ ଜବାବ ତଲବ କରିଥିଲେ। ବଡ଼ କଥା ହେଲା, ଲୋକାୟୁକ୍ତଙ୍କ ଆଦେଶକ୍ରମେ ଭିଜିଲାନ୍ସ ତଦନ୍ତ କରି ଦେଇଥିବା ରିପୋର୍ଟରେ ୧.୪୪ କୋଟି ହଡ଼ପ ସ୍ପଷ୍ଟ ହୋଇସାରିଛି। ଏହା ମଧ୍ୟରେ ଅପ୍ରେଲ ୨୯ରେ ହୋଇଥିବା ଶୁଣାଣିରେ ଅଭିଯୁକ୍ତ ପକ୍ଷ ଲୋକାୟୁକ୍ତଙ୍କ ପାଖରେ ପହଞ୍ଚି ଜବାବ ରଖିବାକୁ ସମୟ ମାଗିଛନ୍ତି। ପରବର୍ତ୍ତୀ ଶୁଣାଣି ଜୁନ ୩୦କୁ ରଖାଯାଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକ୍ ଓ ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଜଗାଙ୍ଗପୁର ପୌରାଞ୍ଚଳ ସମେତ ରାଉରକେଲା ମହାନଗରରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ୯୬ ହଜାର ଶ୍ରମିକ ସକ୍ରିୟ ରହିଛନ୍ତି। ପରବର୍ତ୍ତୀ ସମୟରେ ଏ ସଂଖ୍ୟା ୧ ଲକ୍ଷ ୧୨ ହଜାର ୨୨୦ରେ ପହଞ୍ଚିଛି। ଏମାନଙ୍କୁ ସାଇକଲ ଓ ଅନ୍ୟାନ୍ୟ ସହାୟକ ତଥା ସୁରକ୍ଷା ଉପକରଣ ବଣ୍ଟନରେ ଜାଲ୍ ବିଲ୍ କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା। ସୂଚନା ଅଧକାର ଆଇନରେ ଉପ ଶ୍ରମ କମିସନଙ୍କ କାର୍ଯ୍ୟାଳୟରୁ ଯୋଗାଇ ଦିଆଯାଇଥିବା ତଥ୍ୟରୁ ଏ ସମ୍ପର୍କରେ ଜଣାପଡିବା ପରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ରଶ୍ମି ପାଢ଼ୀ ୨୦୧୯ ଡିସେମ୍ବର ୭ରେ ଲୋକାୟୁକ୍ତଙ୍କ ପାଖରେ ଅଭିଯୋଗ କରିଥିଲେ। ୨ ବର୍ଷରେ ୧୦ କୋଟି ହଡ଼ପ କରାଯାଇଥିବା ସେ ପିଟିସନରେ ଉଲ୍ଲେଖ କରିଥିଲେ। ଏହାକୁ ଗୁରୁତ୍ବର ସହ ନେଇ ଲୋକାୟୁକ୍ତ ମାମଲା ରୁଜୁ କରି ଶୁଣାଣି ଆରମ୍ଭ କରିଥିବା ବେଳେ ବିଭାଗର ଆଉ ଏକ ଜାଲିଆତି ସାମ୍ନାକୁ ଆସିଛି। ନିର୍ମାଣ ଶ୍ରମିକଙ୍କ ନାମରେ ଜିଲ୍ଲାରେ ୧୭ ହଜାରରୁ ଅଧିକ ଜାଲ୍ କାର୍ଡ ତିଆରି କରି ସରକାରଙ୍କ ସହାୟତା ରାଶି ହଡ଼ପ କରାଯାଇଛି।

ମହାମାରୀ କରୋନା ସମୟରେ ସରକାର ଯୋଗାଇ ଦେଇଥିବା ସହାୟତା ରାଶି ଏ ଜାଲିଆତିକୁ ଏକ ପ୍ରକାର ପଦାରେ ପକାଇ ଦେଇଛି। କରୋନା ସମୟରେ ନିର୍ମାଣ କାମ ବନ୍ଦ ଥିବାରୁ ଶ୍ରମିକଙ୍କ ହାତ ଖାଲି ପଡ଼ିଥିଲା। ପରିବାର ଲୋକେ ଭୋକରେ କଲବଲ ହେଉଥିଲେ। ଏହି ସମୟରେ ସରକାର ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାକୁ ୧ ଲକ୍ଷ ୧୨ ହଜାର ୨୨୦ ଜଣ ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୧୬ କୋଟି ୮୩ ଲକ୍ଷ ୩୦ ହଜାର ଟଙ୍କା ଦେଇଥିଲେ। ଏହି ସହାୟତା ରାଶି ୨୦୧୯ ଏପ୍ରିଲ ଶେଷ ଭାଗରେ ସ୍ବତନ୍ତ୍ର ଶିବିର ମାଧ୍ୟମରେ ବଣ୍ଟନ କରାଯାଇଥିଲା। ସମଗ୍ର ଜିଲ୍ଲାରେ ୯୫ ହଜାର ୬୧ ଜଣ ନିର୍ମାଣ ଶ୍ରମିକ ସହାୟତା ରାଶି ନେଇଥିଲେ। କିନ୍ତୁ ୧୭ ହଜାର ୧୫୯ ଶ୍ରମିକ ସହାୟତା ନେଇ ନଥିଲେ।

ଏହିକ୍ରମରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ସହାୟତା ରାଶି ମଧ୍ୟରେ ୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ପାଖକୁ ଫେରି ଯାଇଥିଲା। କରୋନାର ଦ୍ବିତୀୟ ଲହର ବେଳକୁ ପୁଣି ସହାୟତା ରାଶି ଆସିଥିଲେ ମଧ୍ୟ ସେହି ୧୭ ହଜାର ଶ୍ରମିକଙ୍କ ଦେଖା ମିଳି ନଥିଲା। ଏପରିକି ସହାୟତା ରାଶି ନେବାକୁ ଶ୍ରମ ବିଭାଗ ବ୍ୟାପକ ପ୍ରଚାର, ପ୍ରସାର କରି ପୌରାଞ୍ଚଳ ଓ ବ୍ଲକରେ ସ୍ବତନ୍ତ୍ର ଶିବିର ମାଧ୍ୟମରେ ମାସ ମାସ ଧରି ସହାୟତା ରାଶି ବଣ୍ଟନ କରିଥିଲେ ମଧ୍ୟ ଏହି ଶ୍ରମିକମାନେ ଆସି ନଥିଲେ। ଏହି ସମୟରେ ମଧ୍ୟ ଅଢ଼େଇ କୋଟି ଟଙ୍କା ଫେରି ଯାଇଥିଲା। ଅର୍ଥାତ ଏତେ ସଂଖ୍ୟକ ନିର୍ମାଣ ଶ୍ରମିକ କାର୍ଡ ଜାଲ୍ ଥିବା ସାଧାରଣରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୨୦୧୯ ବର୍ଷ ଶେଷ ବେଳକୁ ଜିଲ୍ଲାରେ ୧ ଲକ୍ଷ ୨୦ ହଜାର ୨୨୦ ଜଣ ନିର୍ମାଣ ଶ୍ରମିକ ସେମାନଙ୍କ ନାମ ପଞ୍ଜୀକରଣ କରିଥିବା ଶ୍ରମ ବିଭାଗ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା। ଏହିକ୍ରମରେ ନିର୍ମାଣ ଶ୍ରମିକଙ୍କୁ ସାଇକଲ ବାବଦରେ ୪ ହଜାର ଟଙ୍କା, ନିର୍ମାଣ ଉପକରଣ ୪ ହଜାର, ସୁରକ୍ଷା ଉପକରଣ ୧ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା। ଏହା ବ୍ୟତୀତ ନିର୍ମାଣ ଶ୍ରମିକ ପରିବାରର ପିଲାଙ୍କୁ ପାଠପଢ଼ା, ବିବାହ, ସ୍ବାସ୍ଥ୍ୟ ସହାୟତା ପ୍ରଦାନ କରାଯାଇଥିଲା। ତେବେ କରୋନା ସହାୟତା ମାତ୍ର ୯୫ ହଜାର ନିର୍ମାଣ ଶ୍ରମିକ ଗ୍ରହଣ କରିଥିବା ବେଳେ ଅବଶିଷ୍ଟ ଶ୍ରମିକ ଉଭାନ୍ ହୋଇଯିବା ପଛରେ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରି ହେଉଛି। ଉଚ୍ଚସ୍ତରୀୟ ତଦନ୍ତ ହେଲେ ନିର୍ମାଣ ଶ୍ରମିକ ଜାଲିଆତିର ସତ ସାମ୍ନାକୁ ଆସିବ ବୋଲି କୁହାଯାଉଛି।