ଏମ୍‌ଆଇ ଡିଭିଜନରେ ମହାଦୁର୍ନୀତି : ଅଫିସ୍ ଚ‌ାକଚକ୍ୟ ପାଇଁ ଅନୁଦାନ ହରିଲୁଟ୍

ହାତଚିଠାରେ କୋଟି କୋଟି ଟଙ୍କାର କାମ, ଜମିକୁ ପାଣି ନାହିଁ

ଯାଜପୁରରୋଡ : ଜମିକୁ ଜଳ ନାହିଁ। ଯେଉଁ ଉଦ୍ଦେଶ୍ୟ ଘେନି କ୍ଷୁଦ୍ର ଜଳସେଚନ ଡିଭିଜନ ପ୍ରତିଷ୍ଠା ହୋଇଥିଲା, ସେ ଉଦ୍ଦେଶ୍ୟ ସାଧନ ହୋଇପାରୁନି। ଡିଭିଜନ ପୂରା ବାଟ ହୁଡ଼ିଲାଣି। ଜଳସେଚନ ପାଇଁ ଆସୁଥିବା ଅନୁଦାନ ଅନ୍ୟବାଟରେ ଖର୍ଚ ହେଉଛି। ଅଫିସ ଚାକଚକ୍ୟରେ ଅନୁଦାନ ଅର୍ଥ ଲାଗୁଛି। ତାହା ପୁଣି ବିନା ଟେଣ୍ଡରରେ। ହାତଚିଠାରେ କରାଯାଇଛି କୋଟି କୋଟି ଟଙ୍କାର କାମ। ବିଭାଗୀୟ ଅଧିକାରୀ ଓ ଠିକାଦାର ଚଞ୍ଚକତା କରି ଏଭଳି ହରିଲୁଟରେ ସାମିଲ ହେଉଛନ୍ତି। ଏପରିକି ଗୁପ୍ତ ଟେଣ୍ଡରରେ ଫେବ୍ରିକେସନ୍ କାମ କରାଯାଇଛି। ଏ ସମ୍ପର୍କିତ ବହୁ ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଆ‌େଲାଡ଼ନ ସୃଷ୍ଟି ହୋଇଛି। ଯାଜପୁର କ୍ଷୁଦ୍ର ଜଳସେଚନ(ଏମଆଇ) ଡିଭିଜନ୍‌ରେ କୋଟି କୋଟି ଟଙ୍କାର ମହାଦୁର୍ନୀତି ଲୋକଲୋଚନକୁ ଆସିବା ପରେ କେତେକ ଅଧିକାରୀ ହରଡ଼ଘଣାରେ ପଡ଼ିଛନ୍ତି।

ଯାଜପୁରସ୍ଥିତ କ୍ଷୁଦ୍ର ଜଳସେଚନ ଡିଭିଜନ୍ ଅଧୀନରେ ଯାଜପୁର ଜିଲ୍ଲାର ୧୦ଟି ବ୍ଲକ୍ ଓ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକ୍ ରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ମିଳିଛି। ଗତ ୪ବର୍ଷ ମଧ୍ୟରେ ଏହି ଡିଭିଜନ୍ କାର୍ଯ୍ୟାଳୟ, ସବଡ଼ିଭିଜନ୍ ଓ ସେକସନ ଅଫିସ ପ୍ରଭୃତି ସାଜସଜା ଓ ଚାକଚକ୍ୟରେ ମୋଟ ୧କୋଟି ୨୩ ଲକ୍ଷ ୫୬ ହଜାରରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ଏହି ଟଙ୍କା ବିନା ଟେଣ୍ଡରରେ ହାତ ଚିଠାରେ ଖର୍ଚ୍ଚ କରାଯାଇଛି ।

୨୦୧୭-୧୮ରେ ୫୮ଲକ୍ଷ ୨ହଜାର ୬୩୬ଟଙ୍କା, ୨୦୧୬-୧୭ରେ ୧୮ଲକ୍ଷ ୮୭ ହଜାର୯୭୪ଟଙ୍କା, ୨୦୧୫-୧୬ରେ ୨୭ଲକ୍ଷ ୪୩ହଜାର ୬୫୦ଟଙ୍କା ଓ ୨୦୧୪-୧୫ରେ ୧୯ଲକ୍ଷ ୨୧ହଜାର ୯୪୩ଟଙ୍କା ଖର୍ଚ୍ଚ କରାଯାଇଛି। ଏଥି ମଧ୍ୟରେ ବାରମ୍ବାର ପାଇଖାନା ମରାମତି, ଡ୍ରେନ୍, ରାସ୍ତା ଓ ରେଷ୍ଟସେଡ୍ କାମ ନାମରେ ବ୍ୟାପକ ଅର୍ଥ ହେରାଫେରି ହୋଇଛି। କେବଳ କାଗଜପତ୍ରରେ ଖର୍ଚ୍ଚ ଦର୍ଶାଯାଇ ସମୁଦାୟ ଅର୍ଥ ହଡପ କରାଯାଇଛି।

ବିଭିନ୍ନ ପ୍ରକଳ୍ପରେ ହୋଇଥିବା ଫେବ୍ରିକେସନ କାମରେ ମଧ୍ୟ ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ଘୋଟାଲା ହୋଇଛି। ୫ ବର୍ଷ ମଧ୍ୟରେ ୫ କୋଟି ୬୫ଲକ୍ଷ ୪୬ ହଜାରରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ଏହି ଟଙ୍କା ନିର୍ଦ୍ଧିଷ୍ଟ ୪/୫ଟି ସଂସ୍ଥା ନାମରେ ବିଲ୍ କରାଯାଇଛି। ସେଥି ମଧ୍ୟରୁ ୨୦୧୮-୧୯ରେ ୧କୋଟି ୨୮ଲକ୍ଷ ୬୬ହଜାର ୫୨୮ଟଙ୍କା, ୨୦୧୭-୧୮ରେ ୧କୋଟି ୫୦ଲକ୍ଷ ୭ହଜାର ୫୨୯ଟଙ୍କା, ୨୦୧୬-୧୭ରେ ୧କୋଟି ୭୧ଲକ୍ଷ ୭୪ହଜାର ୫୫୮ଟଙ୍କା, ୨୦୧୫-୧୬ରେ ୧କୋଟି ୪୨ହଜାର ୫୩୧ଟଙ୍କା ଓ ୨୦୧୪-୧୫ରେ ୧୪ଲକ୍ଷ ୫୫ହଜାର ୧୪୩ଟଙ୍କା ବ୍ୟୟ କରାଯାଇଛି। ଅଧିକାଂଶ ପ୍ରଳକ୍ପର ଗେଟ୍ ଗୁଡ଼ିକ ଲାଗିବା ଦିନ ଠାରୁ କାମ କରୁନାହିଁ। କେତେକ ଗେଟ୍ ପଡ଼ିବା ପରେ ଉଠୁ ନାହିଁ ତ କେତେକ ଉଠିଲେ ପଡ଼ୁନାହିଁ। ଚେକ୍ ଗେଟ୍ ରେ ଅତି ନିମ୍ନମାନର ପତଳା ଲୁହା ଚଦର ଲାଗିଛି। ଯାହାକି ଅଳ୍ପ ଦିନରେ ନଷ୍ଟ ହୋଇଯାଉଛି। ଚାଷୀମାନଙ୍କ କ୍ଷେତକୁ ପାଣି ମାଡ଼ିବା ଯୋଜନା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି।

ବଡଚଣା ସବଡିଭିଜନ୍‌ର ନାଣ୍ଡୁଆଝର ପ୍ରକଳ୍ପରେ ୨୦୧୭-୧୮ରେ ୧ଲକ୍ଷ ୩୬ହଜାର ୯୪୬ଟଙ୍କା ଓ ୨୦୧୬-୧୭ରେ ୨ଲକ୍ଷ ୧୦ହଜାର ୮୩୬ଟଙ୍କା ମରାମତି ନାମରେ ହରିଲୁଟ୍ ହୋଇଛି। ପୁଣି ଚଳିତ ବର୍ଷ ଏହି ପ୍ରକଳ୍ପ ୨୦୧୮-୧୯ରେ ୧କୋଟି ୪୦ଲକ୍ଷ ୧୯ହଜାର ୮୦୦ ଟଙ୍କା କାମ ଚାଲିଛି । ଏଠାରେ ପୂର୍ବରୁ ଆଡ଼ି ବନ୍ଧ ଓ ଚେକ୍ ଡ଼୍ୟାମ ହୋଇଥିଲା। ଏବେ ବନ୍ଧରେ ଅଳ୍ପ ମାଟି ପକାଇବା ସହିତ ପୁରୁଣା କାମରେ ସିମେଣ୍ଟ ବୋଳି ବ୍ୟାପକ ଅର୍ଥ ହରିଲୁଟ୍ ପାଇଁ ମସୁଧା ଚାଲିଛି। ମରାମତି କାମର ପୂର୍ବ ଆକଳନ କରାଯାଇଛି କି ନାହିଁ! ତାହା ଅନୁସନ୍ଧାନ ସାପେକ୍ଷ। ଏହି ପ୍ରକଳ୍ପରୁ ଶହ ଶହ ଏକର ଜମିକୁ ଜଳସେଚନ ହେବାର ଲକ୍ଷ୍ୟ ରଖା ଯାଇଥିବା ବେଳେ ତାହା ଲକ୍ଷ୍ୟଠାରୁ ବହୁଦୂରକୁ ଚାଲି ଯାଇଛି। ଏହି ଡିଭିଜନ୍‌ରେ ଗତ ୫ବର୍ଷରେ ୮୫କୋଟି ୯୬ଲକ୍ଷ ଟଙ୍କା ୭୫ହଜାର ଟଙ୍କା ବ୍ୟୟ କରାଯାଇଛି। ୫ବର୍ଷରେ ୮୪୮ଟି ପ୍ରକଳ୍ପ ପାଇଁ ଯେଉଁ କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ହରିଲୁଟରେ ସଂପୃକ୍ତ ଅସାଧୁ ମେଣ୍ଟ ଧରାପଡ଼ିବେ ବୋଲି ଚାଷୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର