ରାଉର‌କେଲା: ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଞ୍ଚଳରେ ଗତ ନିର୍ବାଚନ ବର୍ଷରେ ଶହଶହ ଜଳ ଅମଳ ପ୍ରକଳ୍ପ ତିଆରି ହୋଇଥିଲା। ତେବେ ସେ ପ୍ରକଳ୍ପ ସବୁ କେଉଁଠି ଓ କେତେ ଜଳ ଅମଳ କରୁଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ପାଣ୍ଠିରୁ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରକଳ୍ପ ପିଛା ୩୨ ହଜାର ୮୦୦ ଟଙ୍କା କରି ଏସ୍‌ଏଚ୍‌ଜିମାନଙ୍କୁ ବାଣ୍ଟି ଦିଆଯାଇଥିଲା। ଏସ୍‌ଏଚ୍‌ଜି ବଦଳରେ କାମ କରିଥିଲେ ଠିକାଦାର। ତଦାରଖ କରିଥିଲେ ଆର୍‌ଏମ୍‌ସିର କନିଷ୍ଠ ଯନ୍ତ୍ରୀ। ଗୋଟିଏ ଲେଖାଏ ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ୧୫ରୁ ୨୦ଟି କାମ ଦିଆଯାଇଥିଲା। ଯେଉଁ ସ୍ଥାନରେ କାମହୋଇଛି ବୋଲି ଆର୍‌ଏମ୍‌ସି ତଥ୍ୟ ଦେଇଛି, ଅଧିକାଂଶ ସ୍ଥାନରେ ତା’ର ଚିହ୍ନବର୍ଣ୍ଣ ନାହିଁ।

Advertisment

କେବଳ କାର୍ଯ୍ୟର ବିସ୍ତୃତ ତଥ୍ୟ ଓ ବ୍ୟୟ ଅଟକଳ କାନ୍ଥରେ ଲେଖି ଏସ୍‌ଏଚ୍‌ଜି ଗ୍ରୁପ୍‌ମାନେ କାମ ସାରିଦେଇଛନ୍ତି। ଆର୍‌ଏମ୍‌ସି ୱାର୍ଡ ନଂ ୧୧ ଅନ୍ତର୍ଗତ ରାଉରକେଲା ଶିଳ୍ପାଞ୍ଚଳକୁ ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ୩ ଲକ୍ଷ ୯୩ ହଜାର ୫୯୯ ଟଙ୍କାରେ ପ୍ରକଳ୍ପ ସହ ମଜୁରି ବାବଦରେ ୯୩ ହଜାର ୯୩୦ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୂଚନା ଫଳକ ରହିଛି। ହେଲେ କେଉଁଠି ବର୍ଷା ଜଳ ଅମଳ ପ୍ରକଳ୍ପ ଦିଶୁନି। ଯେଉଁ ପାଚେରିରେ ପ୍ରକଳ୍ପର ସୂଚନା ଫଳକ ରହିଛି, ସେଠାରେ ଇଡ଼୍‌କୋ ପକ୍ଷରୁ ନାଳୀ ନିର୍ମାଣ ହୋଇଛି। କେବଳ ଏହି ଗୋଟିଏ ଜାଗାରେ ନୁହେଁ, କୌଣସି ବି ଗୋଟିଏ ସ୍ଥାନ‌ରେ ବର୍ଷାଜଳ ଅମଳ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। ଶିଳ୍ପାଞ୍ଚଳ ସମେତ ସେକ୍ଟର -୨୧ ନୟାବଜାର, ବେଦବ୍ୟାସ, ଝାଡ଼ତରଙ୍ଗ, ନୟାବଜାର ଆଇନ ମହାବିଦ୍ୟାଳୟ ନିକଟ, ଓଏସ୍‌ଏପି ୪ର୍ଥ ବାଟାଲିୟନ୍‌, ସରକାରୀ ଆଇଟିଆଇ ନିକଟସ୍ଥ ଶାନ୍ତିନଗର, ସିଭିଲଟାଉସିପ୍‌ସ୍ଥ ଖଟାଲବସ୍ତି, ଫର୍ଟିଲାଇଜର, ଇସ୍ପାତ ସହରାଞ୍ଚଳରେ ଏସ୍‌ଏଚ୍‌ଜିମାନଙ୍କ ଦ୍ବାରା ଶହଶହ ପ୍ରକଳ୍ପ ହୋଇଥିଲା।

ଏମିତି ଭାବେ ପ୍ରାୟ ୬୩ କୋଟିରୁ ଅଧିକ ଟଙ୍କା ମୁକ୍ତା ପାଣ୍ଠିରୁ ଖର୍ଚ୍ଚ ହୋଇଥିଲା। ଯେତିକି ପ୍ରକଳ୍ପ ହେଲା, କିଛି ସହରବାସୀଙ୍କ କାମରେ ଆସିଲା ନାହିଁ। ଅବଶିଷ୍ଟ କେବଳ କାଗଜପତ୍ର ଓ ସୂଚନାଫଳକରେ ସାରିଦିଆଗଲା। ସେକ୍ଟର-୨୧ ନୟାବଜାରରେ ୨୧ଟି, ସିଭିଲଟାଉନସିପ୍‌ ଖଟାଲ ବସ୍ତିରେ ସର୍ବାଧିକ ୩୦ଟି ପ୍ରକଳ୍ପ, ଉଦିତନଗର ମାଇନିଂ କଲୋନିରେ ୧୨ଟି ପ୍ରକଳ୍ପ, ଓଏସ୍‌ଏପି ୪ର୍ଥ ବାଟାଲିୟନ ପରିସରରେ ୨୦ଟି ପ୍ରକଳ୍ପ କରାଯାଇଥିବା ଆର୍‌ଏମ୍‌ସି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ରାଉରକେଲା ଶିଳ୍ପାଞ୍ଚଳ ପରି ଏସବୁ ସ୍ଥାନରେ ଯେତିକି ତାଲିକା ଦିଆଯାଇଛି, ତା’ର ୩୦% ପ୍ରକଳ୍ପ ଦେଖିବାକୁ ମିଳୁନି। ଅଧିକାଂଶ ସ୍ଥାନରେ ସୂଚନା ଫଳକ ବି ନାହିଁ। କାମ ତଦାରଖ କରୁଥିବା ଆର୍‌ଏମ୍‌ସିର କନି‌ଷ୍ଠଯନ୍ତ୍ରୀ, ଆଉଟ୍‌ସୋର୍ସିଂ କର୍ମଚାରୀ ଓ ଏସ୍‌ଏଚ୍‌ଜିମାନଙ୍କ ସଲାସୁତୁରାରେ ଏଭଳି ଅନିୟମିତତା କରାଯାଇଥିବା ଅଭିଯୋଗ ହେଉଛି। ଏହାର ଉପଯୁକ୍ତ ତଦନ୍ତ କଲେ, ବଡ଼ଧରଣ ଦୁର୍ନୀତି ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି।