ସୀମା ଟପିଛି ଅପାରଗତା, ଦୁର୍ନୀତି : ପୌରସଂସ୍ଥାରେ ପଡ଼ି ରହିଛି ଶହ ଶହ କୋଟି

ଖର୍ଚ୍ଚ କରୁନାହାନ୍ତି, ୟୁସି ଦେବାରେ ବି ଫେଲ୍

ବିନା ଟେଣ୍ଡରରେ ସାମଗ୍ରୀ କିଣା ଧରାପଡ଼ିଲା
ସିଏମ୍‌ସି ଓ ବିଏମ୍‌ସି ବରବାଦ କରିଛନ୍ତି ୩୦ କୋଟି

ଭୁବନେଶ୍ୱର : କେବଳ ପଞ୍ଚାୟତିରାଜ ସଂସ୍ଥା ନୁହେଁ, ଏନ୍‌ଏସି ଏବଂ ମ୍ୟୁନିସପାଲିଟି ସ୍ଥିତି ବି ଗମ୍ଭୀର। ଅପାରଗତା, ଦୁର୍ନୀତି ଶୀର୍ଷ ଛୁଇଁଛି। ସ୍ଥାନୀୟ ପାଣ୍ଠି ସମୀକ୍ଷା ନିର୍ଦେଶାଳୟ ୨୦୧୮-୧୯ ମସିହା ପାଇଁ ଯେଉଁ ଅଡିଟ୍ ରିପୋର୍ଟ ଜାରି କରିଛନ୍ତି, ସେଥିରେ ଏଭଳି ସାଂଘାତିକ ତଥ୍ୟମାନେ ରହିଛି। ଶହ ଶହ କୋଟି ଟଙ୍କାର ଅନୁଦାନ ପଡ଼ିରହିଛି, ଅଥଚ ଖର୍ଚ୍ଚ ହୋଇପାରୁ ନାହିଁ। ଦାୟିତ୍ବରେ ଥିବା ନେତା ଓ ବାବୁମାନେ ଏତେ ଦକ୍ଷ ଯେ ଏକ ପଞ୍ଚମାଂଶ ସରକାରୀ ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ଦେଇପାରିନାହାନ୍ତି। କୋଟି କୋଟି ଟଙ୍କାର ହୋଲ୍‌ଡିଂ ଟିକସ ବାକି ପଡ଼ିଛି। କୋଟି କୋଟି ଟଙ୍କାର ଟିକସ ଅର୍ଥ ଆଦାୟ କରିଦେଇ ସରକାରୀ ତହବିଲ୍‌ରେ ଜମା କରିବା ପରିବର୍ତ୍ତେ ନିଜ ପାଖରେ ରଖିଛନ୍ତି। ବିନା ଟେଣ୍ଡରରେ ସାମଗ୍ରୀ କିଣିଥିବା ଘଟଣା ବି ଅଡିଟ୍ ଟିମ୍ ଆଖିରେ ପଡ଼ିଛି।

୧୦୫ଟି ପୌରସଂସ୍ଥାର ଅଡିଟ୍ କରି ଦିଆଯାଇଥିବା ଏହି ରିପୋର୍ଟ ଦର୍ଶାଉଛି ଯେ ୨୦୧୭-୧୮ରେ ଆସିଥିବା ସରକାରୀ ଅନୁଦାନରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇପାରିନାହିଁ। ପରିଣାମ ହେଲା, ୨୦୧୮ ମାର୍ଚ୍ଚ ବେଳକୁ ଏସବୁ ସଂସ୍ଥାରେ ପ୍ରାୟ ୧୬୩୬ କୋଟି ୫୭ଲକ୍ଷ ଟଙ୍କା ବିନିଯୋଗ ନ ହୋଇ ପଡ଼ିରହିଥିଲା। ୨୦୧୭-୧୮ ବର୍ଷରେ ୫୦ ପ୍ରତିଶତ ଖର୍ଚ୍ଚ କରିପାରିନଥିଲେ ପୌରସଂସ୍ଥା। ମାତ୍ର ୪୧.୬୯% ଅର୍ଥ ଖର୍ଚ୍ଚ ହୋଇପାରିଥିଲା। ଏପରି ପରିସ୍ଥିତିରେ ନଗରାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର କରୁଥିବା ଯୋଜନା କିଭଳି ତାର ମୂଳ ଉଦ୍ଦେଶ୍ୟ ସାଧନ କରିବ, ଲୋକେ କିଭଳି ବିକାଶ ଆଡ଼କୁ ଯିବେ? ଆହୁରି ସାଂଘାତିକ କଥା ହେଲା, ୨୦୧୮ ମାର୍ଚ୍ଚ ସୁଦ୍ଧା ୩୩୭୫ କୋଟି ୬୪ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଦାଖଲ ହେବାକୁ ବାକି ଥିଲା। ୨୦୧୭-୧୮ ବର୍ଷରେ ବିନିଯୋଗ ପ୍ରମାଣପତ୍ର ଦାଖଲ ହାର ୨୦.୮୩% ଥିଲା।

କୌତୂହଳର କଥା ହେଲା, ବର୍ଷ ତମାମ ପୌରସଂସ୍ଥା ରାଜସ୍ବ ଚିନ୍ତାରେ ବୁଡ଼ି ରହିଥାଏ, ସରକାର ବି। ହେଲେ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ଅଡିଟ୍ ଟିମ୍ ଦେଖିଥିଲେ ଯେ ୬୧ କୋଟି ୬ଲକ୍ଷ ଟଙ୍କାର ହୋଲ୍‌ଡିଂ ଟ୍ୟାକ୍ସ ଆଦାୟ ନ ହୋଇ ବାକି ପଡ଼ିଛି। ୨୦୧୭-୧୮ରେ ସାମଗ୍ରିକ ଭାବେ ହୋଲ୍‌ଡିଂ ଟିକସ ଆଦାୟ ହାର ୫୫.୪୩ ପ୍ରତିଶତ ଥିଲା। ଅର୍ଥାତ୍ ପାଖାପାଖି ଅଧା ଅର୍ଥ ବାବୁମାନେ ଆଦାୟ କରିବାରେ ଅକ୍ଷମ ହୋଇଥିଲେ। ଏପରିକି କେତେ ଆଦାୟ ହେବା କଥା, କେତେ ଆଦାୟ ହେଲା, ଆଉ କେତେ ବାକି ରହିଲା, ଏସବୁ ହିସାବ କିତାବ ମଧ୍ୟ ଲେଖାଯାଇନଥିବା ଦୃଷ୍ଟିକୁ ଆସିଥିଲା। ମୂଲ୍ୟଯୁକ୍ତ କର, ରାଜଭାଗ, ଶ୍ରମ ଉପକର ଆଦି ବାବଦରେ ବାବୁମାନେ ୨୨ କୋଟି ୧୫ଲକ୍ଷ ଟଙ୍କା ଆଦାୟ କରି ସରକାରୀ ତହବିଲ୍‌ରେ ଜମା କରିନଥିଲେ। ଠିକାଦାରଙ୍କୁ ଅନୁକମ୍ପା ଦେଖାଇବାକୁ ଯାଇ ସେମାନଙ୍କ ପ୍ରାପ୍ୟ ପ୍ରଦାନ ବେଳେ ୧କୋଟି ୬୫ଲକ୍ଷ ଟଙ୍କାର ଟିକସ ବି ଆଦାୟ କରିନଥିଲେ। ୪୧ଟି ପୌର ସଂସ୍ଥାରେ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଙ୍କ ଠାରୁ ସଂସ୍ଥାପନା ଦେୟ, ଲାଇସେନ୍ସ ଫି, ନବୀକରଣ ଫି ଆଦି ଆଦାୟରେ ୫କୋଟି ୩୦ଲକ୍ଷ ଟଙ୍କା ଆଦାୟ ହୋଇପାରିନଥିଲା।

ପୌରସଂସ୍ଥାର ସ୍ଥିତି ଏତେ ଗମ୍ଭୀର ଆଡ଼କୁ ଗଲାଣି ଯେ ଦୋକାନଘର ଭଡ଼ା ତଥା ଲିଜ୍ ଦେୟ ବାବଦରେ ମଧ୍ୟ ୯୬ଟି ନଗରାଞ୍ଚଳରେ ୧୪ କୋଟି ଟଙ୍କା ଆଦାୟ କରିବା ଲାଗି ଆଗ୍ରହ ଦେଖାଇନଥିଲେ। ମ୍ୟୁନିସପାଲିଟି ବାସଗୃହ ଭୋଗଦଖଲ କରୁଥିବା ବ୍ୟକ୍ତିଙ୍କ ଠାରୁ ବି ନୁହେଁ। ଓଲଟା ସରକାରୀ ଆଦେଶ ଉଲ୍ଲଂଘନ କରି ଅଣ ପ୍ରାଧିକୃତ ଭାବେ ଦିନ ମଜୁରିଆ ବା ସାମୟିକ ମଜୁରିଆ ନିଯୁକ୍ତି ଦେଇ ସେମାନଙ୍କ ପ୍ରାପ୍ୟ ବାବଦକୁ ୮ କୋଟି ୭୦ଲକ୍ଷ ଟଙ୍କାର ଅନିୟମିତ ବ୍ୟୟ କରିଥିଲେ। ସରକାରଙ୍କ ବିନା ମଞ୍ଜୁରୀରେ ବିଭିନ୍ନ ପୌର ସଂସ୍ଥା ଚିକିତ୍ସା ଖର୍ଚ୍ଚ ଭାବେ ପାଖାପାଖି କୋଟିଏ ଟଙ୍କା କର୍ମଚାରୀଙ୍କୁ ଦେଇଥିଲେ। ୨୦୧୪-୧୫ ମସିହାରୁ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି ଯୋଜନା ବନ୍ଦ ହୋଇସାରିଲାଣି। ହେଲେ ୨୦୧୭-୧୮ରେ ବି ୧୯ଟି ପୌରସଂସ୍ଥାରେ ଏହି ଯୋଜନାର ୬ କୋଟି ୧୪ଲକ୍ଷ ଟଙ୍କା ପଡ଼ିରହିଥିବା ଦେଖିବାକୁ ମିଳିଥିଲା। ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ନିଜ ଅବସର ଗ୍ରହଣ କରିବା ଦିନ ବିନା ଅନୁମତିରେ ନିଜର ସମସ୍ତ ପ୍ରାପ୍ୟ ବାବଦ ଅର୍ଥ ୨୬ ଲକ୍ଷ ୨୮ ହଜାର ଟଙ୍କା ନେଇଯାଇଥିଲେ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଖିଲାପକାରୀ ବିଜ୍ଞାପନ ସଂସ୍ଥା ଠାରୁ ବିଜ୍ଞାପନ ହୋର୍ଡିଂ ଲାଇସେନ୍ସ ଫି ସମେତ ଖିଲାପକାରୀ ଅର୍ଥଦଣ୍ଡ ଅନାଦେୟ କାରଣରୁ କଟକ ମହାନଗର ନିଗମ ୨୭ କୋଟି ୩୦ ଲକ୍ଷ ଟଙ୍କା ଓ ଭୁବନେଶ୍ବର ମହାନଗର ନିଗମ ୨ କୋଟି ୫୧ଲକ୍ଷ ଟଙ୍କା କ୍ଷତି କରିଥିଲେ। ବିନା ଟେଣ୍ଡରରେ ୧୮ କୋଟି ୫୨ଲକ୍ଷ ଟଙ୍କାର ସାମଗ୍ରୀ ସ୍ବଚ୍ଛତା ଅବଲମ୍ବନ ନ କରି କିଣାଯାଇଥିବା ଅଡିଟ୍ ଟିମ୍ ଧରିଥିଲେ।

ସମ୍ବନ୍ଧିତ ଖବର