ସଙ୍ଗରୋଧ କେନ୍ଦ୍ରର ଭିତ୍ତିଭୂମି ନିର୍ମାଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ!

ଦୁର୍ନୀତି ଢାଙ୍କିବାକୁ ଚୋରି ନାଟକ, ଉଚ୍ଚସ୍ତରୀୟ ତଦନ୍ତ ଦାବି

ସଇନ୍ତଳା : ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତି ସଙ୍ଗରୋଧ କେନ୍ଦ୍ରରେ ପଞ୍ଚଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ସରକାର ଅନୁମତି ଦେଇଥିଲେ। ସଇଁନ୍ତଳା ବ୍ଲକ୍‌ର ବିଭିନ୍ନ ପଂଚାୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ଦୁର୍ନୀତି ଢାଙ୍କିବାକୁ ଏବେ ଚୋରି ନାଟକ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ସଇନ୍ତଳା ବ୍ଲକ୍‌ କନ୍ଧକେଲଗାଁ ବାପୁଜୀ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ୪ ଲକ୍ଷ ୮୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ ଦିଆଯାଇଛି। ଏକ ସିନଟେକ୍ସ ଟାଙ୍କି ୪୫ହଜାର, ଏକ ବେସିନ ୨୦ହଜାର ଟଙ୍କାରେ କିଣାଯାଇଥିବା ଦର୍ଶାଯାଇଛି। କେରମେଲି ପଂଚାୟତ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ପାଇଖାନା ନିର୍ମାଣ କରାଯାଇଥିବା ଦର୍ଶାଯାଇଥିବା ବେଳେ ଉକ୍ତ ପାଇଖାନାଟି ବର୍ତ୍ତମାନ ବ୍ୟବହାର ଉପଯୋଗୀ ନାହିଁ। ୨ ଲକ୍ଷ ୫୦ ହଜାର ଟଙ୍କାରେ ବିଭିନ୍ନ ପ୍ରକାରର ନିର୍ମାଣ କାର୍ଯ୍ୟ କରାଯାଇଥିବା ଦର୍ଶାଯାଇଥିବା ବେଳେ ସଙ୍ଗରୋଧ କେନ୍ଦ୍ରରେ ରଙ୍ଗ ମଧ୍ୟ ଦିଆଯାଇ ନାହିଁ। ସଙ୍ଗରୋଧ କେନ୍ଦ୍ରରେ ଲଗାଯାଇଥିବା ଇନଭର୍ଟର ଓ ପାଣି ମଟର ଚୋରି ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। କୁଇକେଡ଼ା ପଂଚାୟତ ରେଙ୍ଗାଲି ହାଇସ୍କୁଲ କେନ୍ଦ୍ରରେ ୪ଲକ୍ଷ ୫୨ ହଜାର ୬୯୦ ଟଙ୍କା ବ୍ୟୟରେ ପାଇଖାନା ଓ ଗାଧୁଆ ଘର ନିର୍ମାଣ ହୋଇଥିବା ଦର୍ଶାଯାଇଛି। ବେଡ଼ସିଟ, ତକିଆ ତଥା ଖଟ କିଣିବା ପାଇଁ ୮୯ ହଜାର ୭୫୯ ଟଙ୍କା ଖର୍ଚ୍ଚ ହୋଇଛି।

ସେହିଭଳି କରମତଲା ପଂଚାୟତରେ ବିଦ୍ୟୁତ୍‌କରଣ, ଜଳ ଯୋଗାଣ, ଖଟ, ତକିଆ, ବେଡ଼ସିଟ, ଗଦି ତଥା ସାନିଟାଇଜେସନ ଓ ସଫେଇ ପାଇଁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ନିର୍ମାଣ କାର୍ଯ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ବିଷୟରେ ବିଲ୍‌ ପ୍ରସ୍ତୁତ ହୋଇନଥିବା ଦର୍ଶାଯାଇଛି। ସୁରକ୍ଷା ତଥା କେନ୍ଦ୍ରରେ କାମ କରୁଥିବା ଶ୍ରମିକଙ୍କ ପାଉଣା ଏକ ଲକ୍ଷ ଟଙ୍କା ଏବଂ ଖାଇବା ବାବଦକୁ ୨ଲକ୍ଷ ୨୪ହଜାର ସାତଶହ ତିରିଶ ଟଙ୍କା ଖର୍ଚ୍ଚ ହୋଇଛି। ଭଦ୍ରା ପଂଚାୟତରୁ ତିନିଗୋଟି ଟେବୁଲ ପଙ୍ଖା, ଏଲଇଡି ବଲ୍‌ବ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ତାଲବାହାଲ ପଂଚାୟତ ସଙ୍ଗରୋଧ କେନ୍ଦ୍ରରେ ରାତ୍ର ଜଗୁଆଳି କାମ କରୁଥିବା ବ୍ୟକ୍ତିଙ୍କୁ ତାଙ୍କ ପାଉଣା ଦିଆଯାଇ ନଥିବାରୁ ମାମଲା ଥାନାରେ ପହଞ୍ଚି ସାରିଛି। ବିଭିନ୍ନ ସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରର ଅବଧି ସରିବା ପରେ ଉକ୍ତ ବିଦ୍ୟାଳୟମାନଙ୍କୁ ସାନିଟାଇଜ କରି ତାକୁ ରଙ୍ଗ ଦେବା କଥା। କିନ୍ତୁ ବର୍ତମାନ ସୁଦ୍ଧା କୌଣସି ବିଦ୍ୟାଳୟରେ ଏହା ହୋଇନଥିବା ଅଭିଯୋଗ ହେଉଛି। ସଙ୍ଗରୋଧ କେନ୍ଦ୍ରମାନଙ୍କରେ ହୋଇଥିବା ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର