ଖୋର୍ଦ୍ଧା: ବାଣପୁର ବ୍ଲକର ଦୁର୍ଗମ ଦାମିଆବରବରା ପଂଚାୟତର ମା’ ବିରଜାଇ ମନ୍ଦିର ନିକଟରେଥିବା ପଡ଼ିଆକୁ ସମତଳ କରି ପାର୍କ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଏଥିପାଇଁ ମନେରେଗା ଯୋଜନାରେ ୫ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। କିନ୍ତୁ ତତ୍‌କାଳୀନ ଜେଇ, ଜିଆର୍‌ଏସ୍‌, ପିଇଓ ପ୍ରମୁଖ ଦୁର୍ଗମ ଅଞ୍ଚଳ ଓ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ମିଥ୍ୟା ମଷ୍ଟର ରୋଲ୍‌ରେ ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ। ଏହି କଥା ଜଣାପଡ଼ିବା ପରେ ଅମ୍ବଡସପର୍ସନ ଘଟଣାସ୍ଥଳ ପରିଦର୍ଶନ କରି ଚଳିତ ମାସରେ ଜାଲିଆତି ହୋଇଥିବା ଟଙ୍କା ଜୋରିମାନା ସହ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜୁନ୍‌ ମାସରେ ଦାମିଆବରବରା ପଞ୍ଚାୟତର ନିରଞ୍ଜନ ଶବର, ଗଣେଶ ଶବର ପ୍ରମୁଖ ମନରେଗା ଯୋଜନାରେ ୨୦୨୦-୨୧ରେ ମା’ ବିରଜାଈମନ୍ଦିର ଠାରେ ହୋଇଥିବା କାମର ତଥ୍ୟ ସୂଚନା ଅଧିକାର ଆଇନରେ ମାଗିଥିଲେ। ତଥ୍ୟରେ କୌଣସି କାମ କରାନଯାଇ ମିଥ୍ୟା ମଷ୍ଟର ରୋଲ୍‌ରେ ୧ଲକ୍ଷ ୬୨୦ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଥିଲା। ଏନେଇ ଜୁଲାଇ ମାସରେ ସେମାନେ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ, ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ମନରେଗା ଅମ୍ବଡସପର୍ସନଙ୍କ ନିକଟରେ ପହଞ୍ଚିବା ପରେ ମାମଲାର ତଦନ୍ତ ଆରମ୍ଭ କରିଥିଲେ। ଅଭିଯୋଗର ଗୁରୁତ୍ବ ଦୃଷ୍ଟିରୁ ସେହିଦିନହିଁ ଘଟଣା ସ୍ଥଳ ପରିଦର୍ଶନ କରି ସବିଶେଷ ରିପୋର୍ଟ ଦୋବାକୁ ବିଡିଓଙ୍କୁ ଚିଠି ଲେଖିଥିଲେ। ୫ ଜୁଲାଇରେ ବାଣପୁର ବ୍ଲକ ଏଇଇ, ଏଇ, ପିଇଓ, ଜିଆର୍‌ଏସ୍‌ ଓଗ୍ରାମବାସୀଙ୍କ ଉପସ୍ଥିତିରେ ଘଟଣାସ୍ଥଳର ପ୍ରତ୍ୟକ୍ଷ ଯାଞ୍ଚ କରିଥିଲେ।

ଏଇ ତଥା ତତ୍‌କାଳୀନ ଏଇଇ ସୁରେଶ ମଲ୍ଲିକ କହିଥିଲେ ଯେ ସେ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି। କନିଷ୍ଠ ଯନ୍ତ୍ରୀ ପ୍ରକଳ୍ପର ଏମ୍‌ବି ଓ କେସ୍‌ ରେକର୍ଡ ଦାଖଲ କରିନାହାନ୍ତି। ଅମ୍ବଡସପର୍ସନ ପ୍ରକଳ୍ପ ସ୍ଥଳରେ ଏକ ସୂଚନା ଫଳକ ନିର୍ମାଣ ହୋଇଥିଲେ ମଧ୍ୟ ସେଥିରେ କୌଣସି ସୂଚନା ନଥିବା ଦେଖିବାକୁ ପାଇଥିଲେ। ଏହା ସହ ମାଟି ହାଣିବା, ଗଛାକାଟି ପଡ଼ିଆ ସମତୁଲ କରିବାକୁ ୪୬୮ କର୍ମଦିବସ ସୃଷ୍ଟି କରାଯାଇଥିବା ଦର୍ଶାଇ ୧ଲକ୍ଷ ୬୨୦ଟଙ୍କା ହଡ଼ପ କରାଯାଇଛି। ଏପରିକି ମଷ୍ଟରରୋଲ୍‌ ଜାଣିଶୁଣି ତ୍ରୁଟିପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ ଅନ୍ୟଏକ ପ୍ରକଳ୍ପ ସହ ସଂଯୁକ୍ତ କରାଯାଇଥିବା ତଦନ୍ତରୁ ଜାଣିପାରିଥିଲେ। ତଦନ୍ତ ରିପୋର୍ଟ ଭିତ୍ତିରେ ଅମ୍ବବଡ୍‌ସପର୍ସନ ଚଳିତ ମାସ ୭ ତାରିଖରେ ବ୍ଲକର ମନରେଗା କର୍ତୃପକ୍ଷଙ୍କୁ ହଡ଼ପ ହୋଇଥିବା ୧ଲକ୍ଷ ୬୨୦ ଟଙ୍କା ଦାଖଲ କରିବା କୁ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ଜିଆର୍‌ଏସ୍‌କୁ ୧ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।