ଅଙ୍ଗନବାଡି ଗୃହ ମରାମତିରେ ଓମ୍‌ବାଡ୍‌ସି ଅର୍ଥ ହରିଲୁଟ୍‌

ଜିଲ୍ଲାରେ ୩,‌୮୦୯ ଅଙ୍ଗନବାଡି, ମରାମତି କାମରେ ୩ ସଂସ୍ଥା

ରାଉରକେଲା : ଓମ୍‌ବାଡ୍‌ସି (ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‌ ଡେଭଲପମେଣ୍ଟ କର୍ପୋରେସନ୍‌) ପାଣ୍ଠିରେ ସୁନ୍ଦରଗଡ ଜିଲ୍ଲାରେ ଚାଲିଥିବା ଅଙ୍ଗନବାଡି ଗୃହ ମରାମତିରେ ବ୍ୟାପକ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ହେଉଛି ଯେ ଅତି ମାମୁଲି ମରାମତି କରି ଠିକାସଂସ୍ଥାଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କା ପକେଟରେ ପୂରାଉଛନ୍ତି। ଅଙ୍ଗନବାଡି ଗୃହରେ ବ୍ୟବହୃତ ପୁଟି, ରଙ୍ଗ, ପାଣି ଟାଙ୍କି, ଟାଇଲ୍‌ ସବୁ ନିମ୍ନମାନର। ଏମିତି କାମ କରି କରାଯାଉଛି ଲକ୍ଷ ଲକ୍ଷ ଟଙ୍କାର ବିଲ୍‌। ନୂଆଗାଁ ବ୍ଲକର କେତୋଟି ପଞ୍ଚାୟତ ଏହାର ଜ୍ବଳନ୍ତ ଉଦାହରଣ ଭାବେ ନିଆଯାଇ ପାରେ।

ବ୍ଲକର ଉର୍ମେଇ ପଞ୍ଚାୟତର ବିଶ୍ରିଓଲି, ସୋରଡାର ପାହାଡଟୋଲି, ଚିତାପେଡି ସମେତ ଅନ୍ୟ ପଞ୍ଚାୟତରେ ଯେତୋଟି ଅଙ୍ଗନବାଡି ଗୃହ ମରାମତି ‌ହେଉଛି ସବୁଠି ସମାନ ସ୍ଥିତି। ଗୋଟିଏ ଗୋଟିଏ ଅଙ୍ଗନବାଡି ଗୃହରେ ପ୍ରାୟ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି ବୋଲି ଠିକାଦାର ସଫେଇ ଦେଉଛନ୍ତି। କିନ୍ତୁ ମରାମତି କାମରୁ ଏତେ ଟଙ୍କା ଖର୍ଚ୍ଚ ହୋଇ ନଥିବା ଜଳ ଜଳ ହୋଇ ଦିଶୁଛି। ନୂଆଗାଁ ବ୍ଲକରେ ମୋଟ ୨୨୮ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୧୪୫ଟିର ନିଜସ୍ବ ଗୃହ ରହିଛି। ଅବଶିଷ୍ଟ ଭଡା ଘରେ ଚାଲିଛି। ୩୦% ଅର୍ଥାତ୍‌ ପ୍ରାୟ ୩୫ରୁ ଅଧିକ ଅଙ୍ଗନବାଡି ଗୃହ ମରାମତି କରାଯାଉଛି। କାମ ହାତେଇଥିବା ସଂସ୍ଥା ନିଜେ କାମ କରି ବ୍ଲକର ଦୁଇ ସ୍ଥାନୀୟ ଠିକାଦାରଙ୍କୁ ମରାମତି କାମ ଦେଇଛନ୍ତି। ଏମିତି ଭାବେ ଜିଲ୍ଲାର ମୋଟ ୩ ହଜାର ୮୦୯ ଅଙ୍ଗନବାଡି ଗୃହରୁ ପ୍ରାୟ ୪୦% ଗୃହ ଅର୍ଥାତ୍‌ ପାଖାପାଖି ୧୩୦୦ରୁ ଅଧିକ ଗୃହର ମରାମତି ଚାଲିଛି। ୨ରୁ ୩ ଲକ୍ଷ ଟଙ୍କା ବିଲ୍‌ ହେଉଥିବା ଅଙ୍ଗନବାଡି ଗୃହରେ ୫୦% ଅର୍ଥ ଖର୍ଚ୍ଚ କରି ଅବଶିଷ୍ଟ ୫୦% ଟଙ୍କାକୁ ସିଧାସଳଖ ମିଳି ମିଶି ଚଳୁ କରି ଦେଉଛନ୍ତି। ସେପଟେ କାମ ‌କେଉଁଠି ହେଉଛି, କିଏ କରୁଛି – ଏ ସଂକ୍ରାନ୍ତରେ ସ୍ଥାନୀୟ ଶିଶୁ ମଙ୍ଗଳ ସୁରକ୍ଷା ଅଧିକାରୀ (ସିଡିପିଓ) କିଛି ଜାଣି ପାରୁ ନାହାନ୍ତି। ତଦାରଖ କରିବାକୁ କନିଷ୍ଠ ଯନ୍ତ୍ରୀ ବି ନାହାନ୍ତି। ଏହାର ଭରପୁର ଫାଇଦା ଉଠାଉଛନ୍ତି ଠିକାଦାର।

କାମ ନେଇଥିବା ସଂସ୍ଥା ଯେମିତି କହୁଛନ୍ତି, ଠିକାଦାର ସେହି ଢ଼ଙ୍ଗରେ କାମ କରୁଛନ୍ତି। ସ୍ଥାନୀୟ ଲୋକ ପ୍ରତିବାଦ କଲେ ମଧ୍ୟ ସେମାନଙ୍କ କଥାକୁ ଶୁଣୁ ନାହାନ୍ତି। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି କେବଳ ନୂଆଗାଁ ବ୍ଲକ ନୁହେଁ ରାଉରକେଲା, ସୁନ୍ଦରଗଡ ସମେତ ଜିଲ୍ଲାର ୧୭ଟି ବ୍ଲକରେ ସେହି ସମାନ ଅଭିଯୋଗ ଆସୁଛି। ମରାମତି କାମ ନେଇଥିବା ଠିକା ସଂସ୍ଥା, ସ୍ଥାନୀୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା‌ରେ ସବୁ କିଛି ଚାଲିଛି। ଏହା ପୂର୍ବରୁ ଜିଲ୍ଲାର ୫୭୬ ଅଙ୍ଗନବାଡି ଗୃ୍ହ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୫ ଲକ୍ଷ ଟଙ୍କା କରି ‌ମୋଟ ୬୮ କୋଟି ୪୦ ଟଙ୍କା ମଞ୍ଜୁରି ହୋଇଥିଲା। ଅଦ୍ୟାବଧି କିଛି କାମ ସରିଥିଲା ବେଳେ ଆହୁରି ଅନେକ ଗୃହ କାମ ଅଧପନ୍ତରିଆ ହୋଇ ପଡିଛି। ସେଗୁଡ଼ିକ କେବେ ନିର୍ମାଣ ହେବ ବିଭାଗୀୟ ଅଧିକାରୀଙ୍କ ସଠିକ୍‌ ଉତ୍ତର ନାହିଁ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂହ ପଟେଲ କହିଛନ୍ତି, ଓମ୍‌ବାଡ୍‌ସି ପାଣ୍ଠିରେ ମରାମତି କରାଯାଉଛି। ପର୍ଯ୍ୟାୟକ୍ରମେ ଅର୍ଥ ମଞ୍ଜୁରି ହେଉଛି। ଠିକ୍‌ ଭାବେ କେତେ ଅର୍ଥ ମଞ୍ଜୁରି ହୋଇଛି କହି ହେବ ନାହିଁ। ଯଦି ନିମ୍ନମାନର କାମ ହେଉଥବା ଅଭିଯୋଗ ହେଉଛି ତଦନ୍ତ କରି ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଯୋଗ୍ୟ, ସୁନ୍ଦରଗଡ ଜିଲ୍ଲାର ମୋଟ ୩୮୦୯ଟି ଅଙ୍ଗନବାଡି କେନ୍ଦ୍ର ରହିଛି। ଏଥି ମଧ୍ୟରେ ୩୦୧୦ ମୁଖ୍ୟ, ୭୯୯ ମିନି ଅଙ୍ଗନବାଡି। ସେଠାରେ ୩ରୁ ୬ ବର୍ଷର ବୟସର ପ୍ରାୟ ୮୬ ହଜାରରୁ ଅଧିକ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ଦିଆଯାଉଛି। ଜିଲ୍ଲାର ମୋଟ ୩, ୮୦୯ ଅଙ୍ଗନବାଡି କେନ୍ଦ୍ରରୁ ରାଉରକେଲାରେ ୩୯୦, ରାଉରକେଲା ସହରାଞ୍ଚଳରେ ୧୬୦ ଓ ଶିଳ୍ପାଞ୍ଚଳରେ ମୋଟ ୧୧୫ଟି ଅଙ୍ଗନବାଡି କେନ୍ଦ୍ର ରହିଛି।

ସମ୍ବନ୍ଧିତ ଖବର