ରାଜ୍ୟ ପଣ୍ୟାଗାର ନିଗମ କାର୍ଯ୍ୟ ଆବଣ୍ଟନରେ ଅନିୟମିତତା ଅଭିଯୋଗ : ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି କାର୍ଯ୍ୟକାରୀ କରାଯାଉନି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ବିଭିନ୍ନ ସ୍ଥାନରେ ଥିବା ଗୋଦାମ ଘରର ହ୍ୟାଣ୍ଡେଲିଂ ଓ ପରିବହନରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏପରିକି ଚାରିଟି ଗୋଦାମ ଘର ନେଇ ହୋଇଥିବା ଅଭିଯୋଗର ସମାଧାନ ପାଇଁ ହାଇକୋର୍ଟ ନିଗମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ ଦୀର୍ଘଦିନ ଧରି କାର୍ଯ୍ୟକାରୀ କରାଯାଉନି। ପଣ୍ୟାଗାର ନିଗମର କେତେକ ଅଧିକାରୀ ନିର୍ଦ୍ଦିଷ୍ଟ କିଛି ଠିକାଦାରଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଉଥିବାରୁ ବହୁ ସଂସ୍ଥା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଗତବର୍ଷ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର କେସିଙ୍ଗା (ଇଣ୍ଟରନାଲ ଆଣ୍ଡ ଆର୍‌ଏଚ୍‌), ଜୁନାଗଡ଼ (ଇଣ୍ଟରନାଲ), ଜୁନାଗଡ଼ (ଆର୍‌ଏଚ୍‌), ଜଇପାଟଣା (ଇଣ୍ଟରନାଲ) ଗୋଦାମ ଘରର ହ୍ୟାଣ୍ଡେଲିଂ ଓ ପରିବହନ ନେଇ ଡକାଯାଇଥିବା ଟେଣ୍ଡରରେ ଏଲ୍‌-୧ ବିଡର ହୋଇଥିବା ସଂସ୍ଥା ଯଶୋଦା ରୋଡଲାଇନ୍ସ ଧାର୍ଯ୍ୟ ସମୟରେ ବ୍ୟାଙ୍କ ଗ୍ୟାରେଣ୍ଟି ଦାଖଲ କରିପାରିଲାନି। ଟେଣ୍ଡର ନିୟମ ଅନୁଯାୟୀ ବ୍ୟାଙ୍କ ଗ୍ୟାରେଣ୍ଟି ନମିଳିବାରୁ ଅକ୍ଟୋବର ୧୯, ୨୦୧୭ରେ ନିଗମର ପରିଚାଳନା ନିର୍ଦ୍ଦେଶକ ସଂସ୍ଥାର ସତ୍ତ୍ୱାଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲେ। ସେ ପାଇଥିବା କାର୍ଯ୍ୟ କାହିଁକି ବାତିଲ୍‌ କରାନଯିବ ଏବଂ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆନଯିବ ସେନେଇ ୭ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହାଯାଇଥିଲା। ଏହାପରେ ଯଶୋଦା ରୋଡ୍‌ ଲାଇନ୍ସ ପକ୍ଷରୁ ଏହାର ଜବାବ ରଖାଯାଇଥିଲା। କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବନି ସେନେଇ ମଧ୍ୟ ଯୁକ୍ତି ରଖାଯାଇଥିଲା। ଏସବୁ ବାଦ୍‌ ସଂସ୍ଥା ପକ୍ଷରୁ ତାଙ୍କ କଣ୍ଟ୍ରାକ୍ଟ ବାତିଲ୍‌ ନକରିବାକୁ ହାଇକୋର୍ଟରେ ଏକ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା। ଏହି ମାମଲାରେ ଉପରୋକ୍ତ ୪ଟି କାର୍ଯ୍ୟରେ ଏଲ୍‌-୨ ଥିବା ସଂସ୍ଥା ପକ୍ଷରୁ ଆଇନଜୀବୀ ପି.କେ ରାୟ ହସ୍ତକ୍ଷେପ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଜୁଲାଇ ୧୧ରେ କୋର୍ଟ କହିଥିଲେ ଯେ, ପିଟିସନରଙ୍କ ଉତ୍ତର ଦେଖି ନିଗମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। ଏହା ମଧ୍ୟରେ ପ୍ରାୟ ଦୁଇ ମାସ ହୋଇଯାଇଥିଲେ ହେଁ ନିଗମ ପରିଚାଳନା ନିର୍ଦ୍ଦେଶକ କିଛି ପଦକ୍ଷେପ ନନେବାରୁ କେତେକ ଠିକାଦାର ନିଗମର ଅଧ୍ୟକ୍ଷଙ୍କୁ ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଅଧ୍ୟକ୍ଷ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଅଗଷ୍ଟ ୬ରେ ଚିଠି ଲେଖି ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ କହିଥିଲେ। ଏହାପରେ ବି ପରିଚାଳନା ନିର୍ଦ୍ଦେଶକ କିଛି ପଦକ୍ଷେପ ନନେବାରୁ ତାଙ୍କର ଭୂମିକା ପ୍ରତି ଠିକା ସଂସ୍ଥାମାନେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ ସାମଲଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ହାଇକୋର୍ଟଙ୍କ ରାୟରେ କିଛି ସ୍ପଷ୍ଟ ନିର୍ଦ୍ଦେଶ ନଥିଲା। କିନ୍ତୁ ଆମେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଯଶୋଦା ରୋଡଲାଇନ୍ସ ଠାରୁ ଜବାବ୍‌ ମାଗିଥିଲୁ। ସେ କିଛି ଉତ୍ତର ଦେଇନାହାନ୍ତି। ଏନେଇ ଦିନେ ଦୁଇ ଦିନ ମଧ୍ୟରେ ସବିଶେଷ ରିପୋର୍ଟ ନିଗମର ଅଧ୍ୟକ୍ଷଙ୍କୁ ଦିଆଯିବ। ଏହାପରେ ସେ ଯାହା ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର