ଜଳସମ୍ପଦ ବିଭାଗ ଦୁର୍ନୀତିଗ୍ରସ୍ତ ଓ ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର : ରାଜ୍ୟ ଜଳସମ୍ପଦ ବିଭାଗ ଦୁର୍ନୀତିଗ୍ରସ୍ତ ଓ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ବିଭାଗର ଅପାରଗତା ଯୋଗୁଁ ଚାଷୀ ବୃନ୍ଦା ସାହୁ ଓ ଖଇନୁ ବଗର୍ତ୍ତୀଙ୍କ ମୃତ୍ୟୁ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଲେ, ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୨୫ ପ୍ରତିଶତ ଜମିକୁ ଜଳସେଚିତ କରିବାକୁ କହିଥିଲେ। ୨୫ ପ୍ରତିଶତ ଜଳସେଚିତ ହୋଇସାରିଛି ଓ ଆହୁରି ୨୫ ପ୍ରତିଶତ ଜମିକୁ ଜଳସେଚିତ କରିବାକୁ ୨୦୦୪ରେ ମୁଖ୍ୟମନ୍ତ୍ରୀ ଘୋଷଣା କଲେ। ୨୦୦୯ ନିର୍ବାଚନରେ ପ୍ରତି ବ୍ଲକ୍‌ର ୩୫ ପ୍ରତିଶତ ଚାଷ ଜମିକୁ ଜଳସେଚିତ କରିବାକୁ ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ୧୦ ଲକ୍ଷ ହେକ୍ଟର୍‌ ଜମିକୁ ଜଳସେଚିତ କରିବା ପାଇଁ ପ୍ରତିଶ୍ରୁତି ଦେଲେ। ଗତ କିଛି ଦିନ ପୂର୍ବରୁ ଜଳସମ୍ପଦ ବିଭାଗର ଏକ ପ୍ରେସ୍‌ ଇସ୍ତାହାରରେ ୧୭ ବର୍ଷର ଶାସନ ମଧ୍ୟରେ ୧୩ ଲକ୍ଷ ୨୬ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବା ନେଇ କୁହାଯାଇଛି। ଏପରି ତଥ୍ୟ ଦେଇ ରାଜ୍ୟ ସରକାର କେବଳ ବିଭ୍ରାନ୍ତି କରୁଛନ୍ତି। ୨୦୦୦ ମସିହାରେ କେନ୍ଦ୍ର ସରକାର ରାଜ୍ୟରେ ପ୍ରସ୍ତାବିତ ୧୧ଟି ଜଳସେଚନ ପ୍ରକଳ୍ପରୁ ୮ଟି ଜଳସେଚନ ପ୍ରକଳ୍ପ କାମ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କୁ ୪,୮୬୫.୯୬ କୋଟି ଟଙ୍କା ଆବଣ୍ଟନ କରିଥିଲେ। ପ୍ରକଳ୍ପ ନିର୍ମାଣ ହେବା ତ ଦୂରର କଥା, ବର୍ତ୍ତମାନ ସୁଦ୍ଧା ଏ ସମସ୍ତ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ।

ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ କହିଲେ, ନଗର ଉନ୍ନୟନ ବିଭାଗର ଉଦାସୀନତା ଯୋଗୁଁ ସହରର ସମସ୍ୟା ବଢ଼ିଯାଇଛି। ବର୍ଷା ପାଣିରେ ସବୁ ସହରାଞ୍ଚଳ ଜଳମଗ୍ନ ହୋଇପଡ଼ୁଛି। ବର୍ଷା ପାଣି ଠିକ୍‌ ଭାବେ ନିଷ୍କାସିତ ହୋଇପାରୁନି। ଡ୍ରେନେଜ୍‌ ଓ ସ୍ୱେରେଜ୍‌ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ୨୦୧୩ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓଡ଼ିଶା ପ୍ରପର୍ଟି ରାଇଟ୍‌ସ୍‌ ଟୁ ସ୍ଲମ୍‌ ଡେ୍ଵଲର୍‌ ଏଣ୍ଡ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ନ୍ୟୁ ସ୍ଲମ୍‌ ବିଲ୍‌-୨୦୧୨ ଆଣି ସହରାଞ୍ଚଳ ଗରିବ ଲୋକଙ୍କୁ ଘର ଯୋଗାଇବାର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ୨୦୧୨ରୁ ୨୦୧୭ ମଧ୍ୟରେ ବାସଗୃହ ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସହରବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୫୦୦ କିମି ପୁରୁଣା ପାଇପ୍‌କୁ ବଦଳାଯିବ ବୋଲି ମୁଖ୍ୟମନ୍ତ୍ରୀ ୨୦୧୬ ଜୁଲାଇରେ ଘୋଷଣା କରିଥିଲେ। ଏହି ୨ ବର୍ଷ ଭିତରେ କାର୍ଯ୍ୟରେ କି ଅଗ୍ରଗତି ହୋଇଛି ବୋଲି ଶ୍ରୀ ଦେ ପ୍ରଶ୍ନ କରିଛନ୍ତି। ଜମି ଦୁର୍ନୀତିର ତଦନ୍ତ କରିଥିବା ତାରା ଦତ୍ତଙ୍କ ରିପୋର୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୁଦୀପ୍ତ ରାୟ ମଧ୍ୟ ଉପସ୍ଥିତ ଥିଲେ।

‘ଭଣ୍ଡେଇବା ପାଇଁ ଆଉ ଏକ ନାଟକ’

ଭୁବନେଶ୍ୱର : ମହାନଦୀ ଉପରେ ବ୍ୟାରେଜ୍‌ ଓ ଚେକ୍‌ ଡ୍ୟାମ୍‌ ନିର୍ମାଣ ନେଇ ଜଳସମ୍ପଦ ସଚିବଙ୍କ ଘୋଷଣାକୁ ବିଜେପି ସମାଲୋଚନା କରିଛି। ଓଡ଼ିଶାବାସୀଙ୍କୁ ଭଣ୍ଡେଇବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ନାଟକ ବୋଲି କହିଛି ଦଳ। ୧୮ ବର୍ଷ ଶାସନ କ୍ଷମତାରେ ଗୋଟିଏ ବି ଜଳସେଚନ ପ୍ରକଳ୍ପ କରି ପାରି ନ ଥିବା ରାଜ୍ୟ ସରକାର ଏବେ ସାତଟି ବ୍ୟାରେଜ୍‌ ନିର୍ମାଣ ପାଇଁ ଘୋଷଣା କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା। ଶ୍ରୀ ଶର୍ମା କହିଛନ୍ତି, ମହାନଦୀ ଉପରେ ୧୦୦ଟି ବନ୍ଧ ନିର୍ମାଣ ହେଲେ ମଧ୍ୟ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ ବୋଲି ରାଜ୍ୟ ସରକାର ୨୦୧୧ ମସିହାରେ ତତ୍‌କାଳୀନ ଜଳସମ୍ପଦ ସଚିବଙ୍କ ଦ୍ୱାରା କୁହାଇଥିଲେ। ଦୀର୍ଘ ୭ ବର୍ଷ ପରେ ଆଜି ପୁଣି ବିଭାଗୀୟ ସଚିବଙ୍କ ମାଧ୍ୟମରେ ମହାନଦୀରେ ବ୍ୟାରେଜ୍‌ ଓ ଚେକ୍‌ ଡ୍ୟାମ୍‌ ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଛନ୍ତି। ସଚିବଙ୍କ ମାଧ୍ୟମରେ ଘୋଷଣା କରି ସରକାର ବିଭ୍ରାନ୍ତ କରୁଛନ୍ତି। ନିର୍ବାଚନକୁ ଆଖି ଆଗରେ ରଖି ଭୋଟ୍‌ ରାଜନୀତି ପାଇଁ ଏପରି ଘୋଷଣା କରାଯାଇଛି। ରାଜ୍ୟରେ ବାକି ପଡ଼ିଥିବା ପୁରୁଣା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ନ କରି ଏବେ ପୁଣି ନୂଆ ବ୍ୟାରେଜ୍‌ ନିର୍ମାଣ କରିବା କେବଳ ହୀନ ରାଜନୀତି ବୋଲି କହିଛନ୍ତି ଶ୍ରୀ ଶର୍ମା।

ସମ୍ବନ୍ଧିତ ଖବର