ଦୁର୍ନୀତି ବଳୟରେ ଯୋଗାଣ ନିଗମ

ଭୁବନେଶ୍ୱର : ଓଡ଼ିଶା ଯୋଗାଣ ନିଗମ ଏବେ ଅନିୟମିତତାର କେନ୍ଦ୍ର ପାଲଟିଛି। ରାଜ୍ୟବାସୀଙ୍କ ପାଖରେ ଅତ୍ୟାବଶ୍ୟକ ଦ୍ରବ୍ୟ ସୁଲଭ ମୂଲ୍ୟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ନିଗମ ଏବେ ଦେବାଳିଆ ହେବା ପରିସ୍ଥିତିରେ ପହଞ୍ଚିଲାଣି। ଫଳରେ ଏଥିରେ କାର୍ଯ୍ୟ କରୁଥିବା ଶହଶହ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଏହାଦ୍ୱାରା ଉପକୃତ ହେଉଥିବା ହିତାଧିକାରୀଙ୍କର ବ୍ୟାପକ ସ୍ୱାର୍ଥହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶା ଯୋଗାଣ ନିଗମ ଏବେ କିଛି ଅସାଧୁ ଅଧିକାରୀ ଓ ବିଶୃଙ୍ଖଳ କର୍ମଚାରୀଙ୍କ କବ୍‌ଜାରେ ଥିବାରୁ ନିଗମକୁ ଦେବାଳିଆ କରି କେତେକ ବ୍ୟବସାୟୀଙ୍କୁ ମାଲେମାଲ୍‌ କରିବାକୁ ଷଡ଼ଯନ୍ତ୍ର ହେଉଛି। ବହୁ ସଂଖ୍ୟାରେ ସରକାରୀ ଗୋଦାମ ଥିଲେ ମଧ୍ୟ ନିଗମ ପକ୍ଷରୁ ଘରୋଇ ଗୋଦାମ ଭଡ଼ାରେ ନିଆଯାଉଛି। ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା କରି କେତେକ ନିର୍ଦ୍ଦିଷ୍ଟ ମିଲରଙ୍କୁ ଗୁରୁତ୍ଵ ଦିଆଯାଉଛି। ଏଥିରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ନିଗମର ଶାଖାଗୁଡ଼ିକରେ ମିଲରମାନଙ୍କ ରାଜୁତି ଦେଖିବାକୁ ମିଳୁଛି। ଫଳରେ ମିଲରମାନେ ଗୋଦାମକୁ ନିଜର ପୈତୃକ ସମ୍ପତ୍ତି ଭାବେ ବ୍ୟବହାର କରୁଛନ୍ତି। ମନଇଚ୍ଛା ଚାଉଳର ଚୋରା ଚାଲାଣ କରାଯାଉଛି। ଏ ସବୁ ନିଗମର ବରିଷ୍ଠ ଅଧିକାରୀ ଓ କିଛି ତଳିଆ କର୍ମଚାରୀଙ୍କ ଜାଣତରେ ଏସବୁ ହେଉଥିଲେ ହେଁ ସେମାନଙ୍କ ବିରୋଧରେ କେହି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ପାଟି ଫିଟାଇବାକୁ ବି ଡରୁଛନ୍ତି।

ସୂଚନାଯୋଗ୍ୟ ଯେ ଗତ ତିନି ବର୍ଷରୁ ଅଧିକ ସମୟ ଧରି ଯୋଗାଣ ନିଗମ ସହିତ ଓଡ଼ିଶା ପଣ୍ୟାଗାର ନିଗମର ପରିଚାଳନା ନିର୍ଦେଶକ ଭାବେ ଜଣେ ବ୍ୟକ୍ତି ଦାୟିତ୍ୱ ତୁଲାଉଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ନାମରେ ବ୍ୟାପକ ଆର୍ଥିକ ଅନିୟମିତତା, ଟେଣ୍ଡର ହେରାଫେରି ଭଳି ବହୁ ସାଂଘାତିକ ଅଭିଯୋଗ ରହିଛି। କେବଳ ସେତିକି ନୁହେଁ କେସିଙ୍ଗା ପଣ୍ୟାଗାର ନିଗମର କଣ୍ଟ୍ରାକ୍ଟର ଯଶୋଦା ରୋଡଲାଇନସ୍‌ ବ୍ୟାପକ ଚୁକ୍ତି ଖିଲାପ କରିଥିବା ସତ୍ତେ୍ଵ ସେ ତାକୁ କଳା ତାଲିକାଭୁକ୍ତ ନକରି ଓଲଟା ତାକୁ ପୁରସ୍କାର ସ୍ୱରୂପ ୮ଟି ସ୍ଥାନରେ କାର୍ଯ୍ୟାଦେଶ ଦେଇଛନ୍ତି। ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଏ ସଂପର୍କରେ ସୂଚନା ମଧ୍ୟ ଦେଇ ନଥିବା ଜଣାପଡ଼ିଛି। ଏହା ସତ୍ତେ୍ଵ ସରକାର ତାଙ୍କ ବିରୋଧରେ ନା କୌଣସି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ଅଭିଯୋଗର ତଦନ୍ତ ନିର୍ଦେଶ ଦେଉଛନ୍ତି। ଯଦି ତାଙ୍କୁ ଏହି ଦୁଇ ନିଗମରୁ ବଦଳି କରା ନଯାଏ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ପ୍ରଶାସନିକ ଅଚାଳାବସ୍ଥା ପରିସ୍ଥିତି ସୃଷ୍ଟି ହେବା ସହ ଯୋଗାଣ ନିଗମ ଖୁବ୍‌ ଶୀଘ୍ର ଦେବାଳିଆ ହୋଇଯିବ ବୋଲି କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର