ଓଏଲ୍ଏମ୍, ଓରମାସ୍‌ରେ ଅନିୟମିତତା!

ତରବରିଆ ଭାବେ ବଦଳିଲେ ଆଇଏଏସ୍ ଅଫିସର

ଛୁଟିରେ ଯିବାକୁ ଏସ୍‌ଆର୍ ପ୍ରଧାନଙ୍କୁ ନିର୍ଦେଶ
ଦାୟିତ୍ବରେ ରହିଲେ ରାଜେଶ ପ୍ରଭାକର ପାଟିଲ
ପ୍ରଭାବଶାଳୀ ଅଧିକାରୀଙ୍କୁ ବି ଦେବଗଡ଼ ବଦଳି

ଭୁବନେଶ୍ବର : ଓରମାସ୍ ଓ ଓଡ଼ିଶା ଜୀବନ ଜୀବିକା ମିସନ (ଓଏଲ୍‌ଏମ୍‌) କାର୍ଯ୍ୟାଳୟରୁ ଏକ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାହାରୁଛି। ଏହି ଖବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ୫ଟି ସଚିବ ଭି କାର୍ତିକେୟନ୍ ପାଣ୍ଡିଆନ୍ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇଛନ୍ତି। କେବଳ ସେତିକି ନୁହେଁ, କଥା ଲୋକଲୋଚନକୁ ଆସିବା ପୂର୍ବରୁ ପଞ୍ଚାୟତିରାଜ ବିଭାଗରେ ‘୫ଟି’ ଛାଟ ବାଜିଛି।

ମିଳିଥିବା ସୂଚନା ଅନୁସାରେ, ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହଙ୍କୁ ଡାକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରବଳ ଅସନ୍ତୋଷ ଝାଡିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପର୍ବ ଆରମ୍ଭ େହାଇଛି। ସଂସ୍ଥା ଦାୟିତ୍ବରେ ଥିବା ଆଇଏଏସ୍ ଅଫିସର ସ୍ମୃତିରଂଜନ ପ୍ରଧାନଙ୍କୁ ସରକାର ଛୁଟିରେ ପଠାଇ ଦେଇଥିବା ଖବର ମିଳିଛି। ଏପରିକି ଶ୍ରୀ ପ୍ରଧାନଙ୍କ ମହୀଶୂରରେ ଥିବା ପ୍ରଶିକ୍ଷଣ ଅନୁମତିକୁ ବାତିଲ୍ ପାଇଁ ଅଧିକାରୀମାନେ ଚିନ୍ତା କରୁଛନ୍ତି। ଉଭୟ ସଂସ୍ଥାର ଅତି ଗୁରୁତ୍ବପୂର୍ଣ୍ଣ ଫାଇଲକୁ ଜବତ କରାଯାଇଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଦିଆଯାଇପାରେ େବାଲି ଜଣେ ଅଧିକାରୀ କହିଛନ୍ତି। ହେଲେ ବିଭାଗର ଅଧିକାରୀମାନେ ଏ ନେଇ କିଛି କହିବାକୁ ଚାହୁଁନାହାନ୍ତି।

କଥା କେବଳ ସେତିକିରେ ଅଟକିନି। ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦେଶକ ରାଜେଶ ପ୍ରଭାକର ପାଟିଲଙ୍କୁ ତୁରନ୍ତ ଉଭୟ ସଂସ୍ଥାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେେଣ ଦୁର୍ନୀତି ସନ୍ଦେହ ବଳୟରେ ଥିବା ଶ୍ରୀ ପ୍ରଧାନ ତତ୍କାଳ ଓଏଲ୍ଏମ୍ କର୍ମଚାରୀଙ୍କ ସହ ସଂପୃକ୍ତ ସମସ୍ତ ହ୍ବାଟସ୍ ଆପ୍ ଗ୍ରୁପରୁ ଓହରିଯାଇଛନ୍ତି। ପଞ୍ଚାୟତିରାଜ ବିଭାଗ ନିଜର ଏହି କେଳେଙ୍କାରୀକୁ େଗାପନ ରଖିବା ଲାଗି ଆପ୍ରାଣ ଉଦ୍ୟମ ଚଳାଇଥିଲେ ହେଁ କଥା ଏବେ ଲୋକସେବା ଭବନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ଓଏଲ୍ଏମ୍ ନିର୍ଦେଶକ ଦାୟିତ୍ବ ନେଇଥିବା ଶ୍ରୀ ପାଟିଲ୍ ଏହି ଘଟଣା ସଂପର୍କରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ଯଦିଓ ସେ ଓରମାସ୍ କାର୍ଯ୍ୟ ସମୀକ୍ଷା କରିଛନ୍ତି, ତଥାପି ଏ ନେଇ ମୁହଁ ଖୋଲୁନାହାନ୍ତି।

କିଏ କହୁଛନ୍ତି, ଶ୍ରୀ ପ୍ରଧାନ ପ୍ରଶିକ୍ଷଣରେ ଯାଇଛନ୍ତି ତ ଆଉ କିଏ କହୁଛନ୍ତି, ସେ ପାରିବାରିକ କାର୍ଯ୍ୟରେ ଛୁଟି ନେଇଛନ୍ତି। ଆଉ କିଏ ତାଙ୍କର ଅସୁସ୍ଥତା କଥା କହି ଏହି ପ୍ରସଙ୍ଗକୁ ଗିଳି ଦେବାକୁ ଉଦ୍ୟମ ଚଳାଇଛନ୍ତି।

ସେହିଭଳି ଓଏଲ୍ଏମ୍‌ରେ ମାନବ ସମ୍ବଳ କଥା ବୁଝାସୁଝା କରୁଥିବା ଅଧିକାରୀ ରବି ମିଶ୍ରଙ୍କୁ ଦେବଗଡ ଜିଲ୍ଲା ପ୍ରକଳ୍ପ ଅଧିକାରୀଭାବେ ବଦଳି କରାଯାଇଛି। ଏଥିସହିତ କିଛି କନସଲ୍‌ଷ୍ଟାଣ୍ଟ୍‌ଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଇ ତାଙ୍କ ସ୍ଥାନରେ ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀଙ୍କୁ ସେସବୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି।

ରାଜ୍ୟ ସରକାର ଗତ ସାତ ବର୍ଷ ଧରି ଦେଓରଂଜନ ସିଂହଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଭାବେ ରଖିଛନ୍ତି। ଏହା ମଧ୍ୟରେ ଅଧିକାଂଶ ଅଧିକାରୀ ଏକାଧିକବାର ବଦଳି ହୋଇଛନ୍ତି।

ହେଲେ ଦେଓରଂଜନଙ୍କ ଉପରେ ମୁଖ୍ୟସଚିବ କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନଜର ପଡିନାହିଁ। ବରଂ ସେ ତୃତୀୟ ମହଲାର ଅତ୍ୟନ୍ତ ଘନିଷ୍ଠ ବୋଲି ଚର୍ଚ୍ଚା ହୋଇ ଆସିଛି। ଏପରିସ୍ଥଳେ ଓରମାସ୍ ଓ ଓଏଲ୍ଏମ୍‌ରେ କିଭଳି କେଳେଙ୍କାରୀ ହୋଇଗଲା, ଅଥଚ ସଚିବ ଜାଣିପାରିଲେନି? ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଆସନ୍ତା ଏପ୍ରିଲମାସରୁ ମିସନ ଶକ୍ତିରେ ବିଲୀନ ହେବ ଓଏଲ୍ଏମ୍। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ମିସନ ଶକ୍ତି ଅଧିକାରୀମାନେ ଏହି ସଂସ୍ଥାକୁ ହାତେଇବା ପୂର୍ବରୁ ବିଶ୍ବସ୍ତ ସୂତ୍ରରୁ ଗୁରୁତର ଅଭିଯୋଗମାନ ପାଇଥିଲେ। ନିଯୁକ୍ତି ଠାରୁ ଆରମ୍ଭ କରି ପ୍ରକଳ୍ପ କାର୍ଯ୍ୟାନ୍ବୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ଓଡ଼ିଶା ଜୀବନ ଜୀବିକା ମିସନ ନିଯୁକ୍ତିରେ କୌଣସି ସ୍ବଚ୍ଛତା ଅବଲମ୍ବନ କରାଯାଇନାହିଁ ବୋଲି ଖବର ଆସିଥିଲା। ସେହିଭଳି ଓରମାସ୍ ସାମଗ୍ରୀ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଛି।

ସମ୍ବନ୍ଧିତ ଖବର