ଏଡ୍‌ସ ନିୟନ୍ତ୍ରଣ ସମିତିରେ କୋଟି କୋଟି ଟଙ୍କାର ଅନିୟମିତତା

ବିନା ଟେଣ୍ଡରରେ ମଞ୍ଜୁର ହୋଇଛି ଟଙ୍କା, ଉଚ୍ଚସ୍ତରୀୟ ତଦନ୍ତ ହେଲେ ଖୋଲିବ ଗୁମର

ଭୁବନେଶ୍ବର : ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ବିନା ଟେଣ୍ଡର୍‌ରେ କୋଟି କୋଟି ଟଙ୍କା ବିଭିନ୍ନ ଏନ୍‌ଜିଓ ଓ ଅନ୍ୟ ସଂସ୍ଥାକୁ ଟେକି ଦିଆଯାଇଛି। ବର୍ଷ ବର୍ଷ ଧରି ଏହି ଖେଳ ଚାଲିଥିବା ବେଳେ ଯାଞ୍ଚ ସମୟରେ ଏବେ ଏହି ଜାଲିଆତି ପଦାକୁ ଆସିଛି। ଘଟଣା ଯେପରି ବାହାରକୁ ନ ଆସିବ, ସେଥିପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଥିବା ଜଣାପଡ଼ିଛି। ସମସ୍ତଙ୍କ ସଲାସୁତରାରେ ଏଭଳି ମନଇଚ୍ଛା କାରବାର ଚାଲିଥିବା ଚର୍ଚା ହେଉଛି। ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ବହୁ ଗୁମର ଖୋଲିବା‌ ସହିତ ସବୁ ହେରଫେର୍‌ ଉପରୁ ପରଦା ହଟିପାରିବ ବୋଲି ଆଶା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ତୃଣମୂଳସ୍ତରରେ ଯେଉଁମାନେ ଏଚ୍‌ଆଇଭି/ଏଡ୍‌ସ ପ୍ରତି ଅଧିକ ସମ୍ବେଦନଶୀଳ, ସେମାନଙ୍କୁ ଚିହ୍ନଟ କରିବା ସହ ପରୀକ୍ଷା କରିବା ପାଇଁ ଓସାକ୍ସ ପକ୍ଷରୁ ଟାର୍ଗେଟ୍‌ ଇଣ୍ଟରଭେନସନ୍ ବା ଟିଆଇଙ୍କୁ ଦାୟିତ୍ବ ଦିଆଯାଇଛି। ବିଶେଷକରି ମହିଳା ‌ଯୌନକର୍ମୀ ବା ଏଫ୍‌ଏସ୍‌ଡବ୍ଲୁ, ଇଞ୍ଜେକସନ୍‌ରେ ଡ୍ରଗ୍‌ସ ନେଉଥିବା ଲୋକ ବା ଆଇଡିୟୁ, ପୁରୁଷ ଯୌନକର୍ମୀ ବା ଏମ୍‌ଏସ୍‌ଏମ୍‌ଙ୍କ କ୍ଷେତ୍ରରେ ଟିଆଇ କାମ କରୁଛି। ରାଜ୍ୟରେ ଏବେ ୪୮ଟି ଟିଆଇ କାମ କରୁଥିବା ବେଳେ ସେମାନଙ୍କ ଟ୍ରାକ୍‌ ରେକର୍ଡ ସଂପର୍କରେ କୌଣସି ଯାଞ୍ଚ ହେଉନାହିଁ। ଏଥିପାଇଁ ଗୋଟିଏ ଲେଖାଏଁ ଏନ୍‌ଜିଓଙ୍କୁ ବର୍ଷକୁ ପ୍ରାୟ ୧୬ଲକ୍ଷ ଟଙ୍କା ଦିଆଯାଉଥିବା ବେଳେ ସମିତିରେ ସାମିଲ ହେବା ପାଇଁ ଯେଉଁ ପ୍ରକ୍ରିୟା ଗ୍ରହଣ କରାଯିବା କଥା, ତାହା ହେଉ ନଥିବା ଅଭିଯୋଗ ହୋଇଛି। ଟିଆଇଙ୍କ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚ ହେଉଥିବା ବେଳେ କେତେସଂଖ୍ୟକ ଏଚ୍‌ଆଇଭି ରୋଗୀଙ୍କୁ ଚିହ୍ନଟ କରାଗଲା ‌ଓ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ କେଉଁ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, ତାହାକୁ ଠିକ୍‌ ଭାବେ ଉପସ୍ଥାପନ କରାଯାଉ ନ ଥିବା ଯାଞ୍ଚ ସମୟରେ ନଜରକୁ ଆସିଛି। ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସମିତି ଓ ଏନ୍‌ଜିଓଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।

ସେହିପରି ଓସାକ୍ସର ସଚେତନତା ବା ଆଇଇସି କାର୍ଯ୍ୟକ୍ରମରେ ମଧ୍ୟ ବ୍ୟାପକ ଅନିୟମିତତା ନଜରକୁ ଆସିଛି। ଏଥିରେ ବିଭିନ୍ନ ଗଣମାଧ୍ୟମକୁ ଦିଆଯାଉଥିବା ସଚେତନତା ବିଜ୍ଞାପନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି। ୧ଲକ୍ଷରୁ ଅଧିକ ଟଙ୍କା ହେଉଥିବା ବିଜ୍ଞାପନ ପାଇଁ ଏକ ଟୋକନ୍ ଟେଣ୍ଡର କରାଯିବା କଥା। ଏହାକୁ ମଧ୍ୟ ଠିକ୍‌ ଭାବେ ଅନୁକରଣ କରାଯାଇ ନ ଥିବା ଖୋଳତାଡ଼ ସମୟରେ ଜଣାପଡ଼ିଛି। ବର୍ଷ ବର୍ଷ ଧରି ବିନା କୌଣସି ଟେଣ୍ଡର୍‌ରେ ଏଭଳି ଢଙ୍ଗରେ ସଚେତନତା ପାଇଁ ଥିବା ଟଙ୍କାକୁ ମନଇଚ୍ଛା ଖର୍ଚ କରାଯାଇଛି। ଆଇଇସିରେ ହିଁ ସର୍ବାଧିକ ଅନିୟମିତତା ନଜରକୁ ଆସିଛି।

ଅପରପକ୍ଷରେ ନିକଟରେ ଓସାକ୍ସ ପକ୍ଷରୁ ଏଚ୍‌ଆଇଭି/ଏଡ୍‌ସ ସଚେତନତାକୁ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ବା ଓଏସ୍‌ଆର୍‌ଟିସି ଅଧୀନରେ ଚାଲୁଥିବା ବସ୍‌ଗୁଡ଼ିକରେ ସଚତେନତା ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୁରୀଠାରେ ରଥଯାତ୍ରା ସମୟରେ ଏହାର ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଓଏସ୍‌ଆରଟିସିର ବସ୍‌ଗୁଡ଼ିକର ଟିକେଟ୍‌ରେ ଏଚ୍‌ଆଇଭି/ଏଡ୍‌ସ ସଚେତନତା ବାର୍ତ୍ତା ସ୍ଥାନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୩/୪ଲକ୍ଷ ଟିକେଟ୍‌ରେ ସଚେତନତା ବାର୍ତ୍ତା ରଖିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଏ ବାବଦରେ ୭ ଲକ୍ଷ ଟଙ୍କା ଖର୍ଚ କରାଯିବ। ହେଲେ ଏଥିରେ ମଧ୍ୟ ବିନା ଟେଣ୍ଡର୍‌ରେ କାମ ଦିଆଯାଇଥିବା ଅଧିକାରୀଙ୍କ ନଜରକୁ ଆସିଛି। କେଉଁ ପରିସ୍ଥିତିରେ ବିନା ଟେଣ୍ଡରରେ ଲକ୍ଷାଧିକ ଟଙ୍କା ଦିଆଗଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେବଳ ଏତିକିରେ ଅଟକି ଯାଇନାହିଁ ଅନିୟମିତତା। ରକ୍ତ ସଞ୍ଚାରଣ ସେବା ବା ବିଟିସ୍‌ରେ ମଧ୍ୟ ଯନ୍ତ୍ରପାତି ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି। ରାଜ୍ୟରେ ଥିବା ରକ୍ତ ଭଣ୍ଡାରରେ ବିଟିଏସ୍‌ ଅଧୀନରେ ଯେତିକି ସଂଖ୍ୟକ ଯନ୍ତ୍ରପାତି କିଣାଯାଇଛି, ତାହାର ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ ବା ଏଏମ୍‌ସି ଓ ବ୍ୟାପକ ରକ୍ଷଣାବେକ୍ଷଣ ଖର୍ଚ ବା ସିଏଏମ୍‌ସି କ୍ଷେତ୍ରରେ ମଧ୍ୟ ମନଇଚ୍ଛା ଲକ୍ଷାଧିକ ଟଙ୍କା ଖର୍ଚ ହୋଇଛି। ଯେଉଁ ସଂସ୍ଥା ଯନ୍ତ୍ରପାତି ଯୋଗାଇଛି, ସେହି ସଂସ୍ଥା ଏଏମ୍‌ସି ଓ ସିଏମ୍‌ସି ଦାୟିତ୍ବ ବହନ କରିବା କଥା। ମାତ୍ର ସଂପୃକ୍ତ ସଂସ୍ଥା ବଦଳରେ ଅନ୍ୟ ସଂସ୍ଥାକୁ ଏହାର ରକ୍ଷଣାବେକ୍ଷଣ ବାବଦରେ ବର୍ଷକୁ ବର୍ଷ ଲକ୍ଷାଧିକ ଟଙ୍କା ଦିଆଯିବାକୁ ନେଇ ପ୍ରଶ୍ନ ଉଠିଛି। ସଂପୃକ୍ତ ସଂସ୍ଥା ପ୍ରକୃତରେ ରକ୍ଷଣାବେକ୍ଷଣ କରୁଛି କି ନାହିଁ ଓ କେଉଁ ଅଧିକାରୀ ଏହାର ପଛରେ ରହିଛନ୍ତି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ବେନିୟମ ଭାବେ ଏସବୁ କାର୍ଯ୍ୟ ଚାଲିଥିବା ବେଳେ କିଭଳି ସମସ୍ତଙ୍କ ନଜରରୁ ବର୍ତ୍ତି ଯାଇଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଅନିୟମିତତା ସଂପର୍କରେ ମତାମତ ଲାଗି ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଗୁହା ପୁନମ ତାପସ କୁମାରଙ୍କୁ ବହୁବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଥିଲେ ହେଁ ଏହା ସମ୍ଭବ ‌େହାଇପାରି ନାହିଁ।

ସମ୍ବନ୍ଧିତ ଖବର