ଯାଜପୁର : ଯାଜପୁର ଜିଲ୍ଲାରେ ‘ଗୁପ୍ତଟେଣ୍ଡର’କୁ ନେଇ ଆହୁରି ନୂଆନୂଆ ତଥ୍ୟ ସାମ୍ନାକୁ ଆସିଛି। ପୂର୍ତ୍ତ ବିଭାଗର କେବଳ ବଡ଼ଚଣା ନୁହେଁ, ପାଣିକୋଇଲି ଡିଭିଜନରେ ବି ବଡ଼ଧରଣର ଦୁର୍ନୀତି ହୋଇଛି। ୫ ବର୍ଷ ମଧ୍ୟରେ ପାଖାପାଖି ୭୦୦୦ରୁ ଉର୍ଦ୍ଧ୍ୱ ଗୁପ୍ତ ଟେଣ୍ଡର କରାଯାଇଛି। ଏପରିକି, ଜିଲ୍ଲାପାଳଙ୍କ ବାସଭବନ ଓ ଡିଆର୍ଡିଏ କୋଠା ମଧ୍ୟ ବାଦ୍ ପଡ଼ିନି। ବିକାଶ ନାଁରେ କିଭଳି କୋଟିକୋଟି ଟଙ୍କା ହଡ଼ପ କରାଯାଇଛି, ଗୁପ୍ତ ଟେଣ୍ଡର୍ ତାହାର ଏକ ନମୁନା ପାଲଟିଛି।
ପୂର୍ବରୁ ଚାରିବାଟିଆ ଡିଭିଜନ୍ ଅନ୍ତର୍ଗତ ବଡ଼ଚଣା ସବ୍ଡିଭିଜନ୍ରେ ୩୦୦ରୁ ଉର୍ଦ୍ଧ୍ୱ ଗୁପ୍ତ ଟେଣ୍ଡର୍ ସମ୍ପର୍କରେ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ପୂର୍ତ୍ତ ବିଭାଗ ସଚିବଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଅଧୀକ୍ଷଣ ଯନ୍ତ୍ରୀ ଏହି ମହାଦୁର୍ନୀତିର ତଦନ୍ତ କରୁଛନ୍ତି। ତେବେ କେବଳ ବଡଚଣା ଡିଭିଜନ୍ରେ ନୁହେଁ, ପୂର୍ତ୍ତ ବିଭାଗ ପାଣିକୋଇଲି ଡିଭିଜନ୍ରେ ବି ହଜାରହଜାର ଗୁପ୍ତ ଟେଣ୍ଡର କରାଯାଇଥିବା ସମ୍ପର୍କିତ ତଥ୍ୟ ଏବେ ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁସାରେ, ଗତ ୫ବର୍ଷ ମଧ୍ୟରେ ଏହି ଡିଭିଜନ୍ ଅଧୀନରେ ଥିବା ୪ଟି ସବ୍ଡିଭିଜନ୍ରେ ୭ହଜାରରୁ ଉର୍ଦ୍ଧ୍ୱ ଗୁପ୍ତ ଟେଣ୍ଡର୍ କରାଯାଇଛି। ଖୋଲା ଟେଣ୍ଡର୍ କରା ନଯାଇ ଭାଗଭାଗ କରି ୫ ଲକ୍ଷରୁ କମ୍ ମୂଲ୍ୟରେ ହଜାର ହଜାର ଏଫ୍-୨ ଓ ପି-୧ ନାମରେ ଗୁପ୍ତ ଟେଣ୍ଡର୍ କରାଯାଇଛି। ଗୁପ୍ତ ଟେଣ୍ଡର୍ କେଳେଙ୍କାରୀରୁ ଜିଲ୍ଲାପାଳଙ୍କ ବାସଭବନ ମଧ୍ୟ ବାଦ୍ ପଡ଼ିନାହିଁ। ଗୋଟିଏ ଗୋଟିଏ ରାସ୍ତା ଓ ସରକାରୀ କୋଠା ପାଇଁ ସମାନ ଦିନରେ ଅନେକ ଗୁପ୍ତ ଟେଣ୍ଡର୍ କରାଯାଇଛି। ଏହା ବାବଦରେ ସରକାର ମଧ୍ୟ କୋଟିକୋଟି ଟଙ୍କା ରାଜସ୍ୱ ହରାଇଛନ୍ତି। ଏହି କାରବାରରେ ଡିଭିଜନ୍ର କେତେକ ଅସାଧୁ ଅଧିକାରୀ ଓ ଠିକାଦାର ବେଶ୍ ମାଲାମାଲ ହେବାରେ ଲାଗିଛନ୍ତି।
ହସ୍ତଗତ ତଥ୍ୟରୁ ଜଣାଯାଇଛି ଯେ, ୨୦୧୩-୧୪ରୁ ୨୦୧୭-୧୮ ମସିହା ୫ ବର୍ଷ ମଧ୍ୟରେ ପାଣିକୋଇଲି ପୂର୍ତ୍ତ ଡିଭିଜନ୍ରେ ଖୁବ୍ କମ୍ ଖୋଲା ଟେଣ୍ଡର୍ କରାଯାଇଥିବା ବେଳେ ହଜାର ହଜାର ଗୁପ୍ତ ଟେଣ୍ଡର୍ କରାଯାଇଛି। ୨୦୧୩-୧୪ରେ ୨୧୪୩ଟି ଗୁପ୍ତ ଟେଣ୍ଡର୍ ହୋଇଥିବାବେଳେ ୨୦୧୪-୧୫ରେ ୩୨୦୩, ୨୦୧୫-୧୬ରେ ୫୮୮ଟି, ୨୦୧୬-୧୭ରେ ୬୦୯ଟି ଓ ୨୦୧୭-୧୮ରେ ୧୦୫୫ଟି ଗୁପ୍ତ ଟେଣ୍ଡର୍ କରାଯାଇଛି। ୫ ବର୍ଷରେ ମୋଟ ୭,୫୯୮ଟି ଗୁପ୍ତ ଟେଣ୍ଡର୍ ହୋଇଛି। ଏମିତିକି ୫୦ ହଜାର ଟଙ୍କାରୁ କମ୍ ମୂଲ୍ୟର କାମ ହୋଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି। ୨୦୧୭-୧୮ ମସିହାରେ ସୁକିନ୍ଦା-ହାତୀବାରି ରାସ୍ତା ଉପରେ ୧୬ଟି ଗୁପ୍ତ ଟେଣ୍ଡର୍ କରାଯାଇ ପ୍ରାୟ ୭୫ ଲକ୍ଷ ଟଙ୍କାର ଘୋଟାଲା କରାଯାଇଛି। ବିଂଝାରପୁର-ସିଂହପୁର ରାସ୍ତା ପାଇଁ ୧୭ଟି ଗୁପ୍ତ ଟେଣ୍ଡର୍ ଜରିଆରେ ପ୍ରାୟ ୮୦ ଲକ୍ଷ ଟଙ୍କାର କେଳେଙ୍କାରୀ କରାଯାଇଛି। ଧର୍ମଶାଳା-କବାଟବନ୍ଧ ରାସ୍ତା ପାଇଁ ମଧ୍ୟ ୧୭ଟି ଗୁପ୍ତ ଟେଣ୍ଡର୍ କରାଯାଇ ପ୍ରାୟ ୮୦ଲକ୍ଷ ଟଙ୍କା ଏବଂ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ମରାମତି ପାଇଁ ୮ଟି ଗୁପ୍ତ ଟେଣ୍ଡର୍ ଜରିଆରେ ୩୫ ଲକ୍ଷ ଟଙ୍କା ହେରାଫେରି କରାଯାଇଛି।
ଡିଆରଡିଏ ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ସ୍କିଲ୍ ଡେଭଲ୍ମେଣ୍ଟ୍ ଟ୍ରେନିଂ ସେଣ୍ଟର୍ କାମକୁ ମଧ୍ୟ ଖୋଲା ଟେଣ୍ଡର୍ କରା ନଯାଇ ଗୁପ୍ତ ଟେଣ୍ଡର୍ ଜରିଆରେ କାମ କରାଯାଇଛି। ଏଥିରେ ୯ଟି ଗୁପ୍ତ ଟେଣ୍ଡର୍ କରାଯାଇ ପ୍ରାୟ ୪୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାମ କରାଯାଇଛି। ସେହିପରି ଜିଲ୍ଲାପାଳଙ୍କ ବାସଭବନ ମଧ୍ୟ ଗୁପ୍ତ ଟେଣ୍ଡର୍ରୁ ବାଦ୍ ପଡ଼ିନାହିଁ। ଏଠାରେ ମଧ୍ୟ ୩ଟି ଗୁପ୍ତ ଟେଣ୍ଡର୍ ବାବଦରେ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କାଗଜପତ୍ରରେ ଦର୍ଶାଯାଇଛି।
ସମସ୍ତ ନୀତିନିୟମକୁ ଉଲ୍ଲଂଘନ କରି ପାଣିକୋଇଲି ପୂର୍ତ୍ତ ଡିଭିଜନ୍ର ଗୁପ୍ତ ଟେଣ୍ଡର୍ ଜରିଆରେ କରାଯାଇଥିବା ମହାଦୁର୍ନୀତି ସରକାରଙ୍କର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଗୁପ୍ତ ଟେଣ୍ଡର୍ ଯୋଗୁ ସରକାର କୋଟିକୋଟି ଟଙ୍କା ରାଜସ୍ୱ ହରାଇଛନ୍ତି। ତେବେ, ଏହି ଅର୍ଥ କାହା ପକେଟକୁ ଯାଇଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ମହାଦୁର୍ନୀତିର ତଦନ୍ତ କରାଯିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି କରାଯାଉଛି।