ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣରେ ଦୁର୍ନୀତି : ପିଚୁ ତାଡ଼ି ଆରମ୍ଭ କଲେ ନିର୍ମାଣ

ଦଶରଥପୁର : କେଉଁଠି ପରସ୍ତ ପରସ୍ତ ହୋଇ ପିଚୁ ଉଠିଯାଉଛି ତ ଆଉ କେଉଁଠି ପିଚୁ ରାସ୍ତା ମଝିରେ ଉଠୁଛି ଘାସ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ର ଲାଲବାଗ ଠାରୁ ରାମପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ ତନାଘନା ଆରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ପ୍ରଦୀପ ଜେନାଙ୍କ ତଦନ୍ତ ନିର୍ଦ୍ଦେଶ ପରେ ରାସ୍ତାରୁ ପିଚୁ ତଡ଼ାଯାଇ ପୁନଶ୍ଚ ନିର୍ମାଣ କରାଯାଉଛି।

ଦଶରଥପୁର ବ୍ଲକ୍‌ ଖାନନଗର ପଞ୍ଚାୟତର  ପୂର୍ତ୍ତ ରାସ୍ତା ଠାରୁ ରାମପୁର ଗ୍ରାମକୁ ସଂଯୋଗ କରୁଥିବା ୧ କିଲୋମିଟର ୮୦୦ ମିଟର ଲମ୍ବ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଉଛି। ଏଥିପାଇଁ ୧୦୬.୯୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରଯାଇଛି। ଏହି ରାସ୍ତାର ୧କମି ୪୫୦ମିଟର ପିଚୁ ଓ ୩୫୦ମିଟର କଂକ୍ରିଟ କରାଯାଉଛି। ଏହି ରାସ୍ତାରେ ମୋଟ ୫ଗୋଟି କଲଭର୍ଟ ରହିବ। ରାସ୍ତାର ମରାମତି ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ୫ବର୍ଷରେ ୬.୯୮ ଲକ୍ଷ ଟଙ୍କା ଖର୍ଚ ପାଇଁ ଅଟକଳ କରାଯାଇଛି । ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଉଭୟ ପାର୍ଶ୍ବରେ ଘାସ ମାଡ଼ିଯାଇଥିଲା। ଏଭଳି କି ରାସ୍ତା ମଝିରେ ବଡ଼ବଡ଼ ଘାସ ଉଠିଥିଲା। ନିମ୍ନମାନର କାମ ସହ ଅବଧି ଅତିକ୍ରାନ୍ତ ପରେ ବି ନିର୍ମାଣ ଶେଷ ହୋଇନଥିଲା।

ପିଚୁ ରାସ୍ତାରେ ଘାସ ଉଠିବା ନେଇ ‘ସମ୍ବାଦ’ରେ ଗତ ୧୩ ତାରିଖରେ ଦିନ ଖବର ପ୍ରକଶ ପାଇଥିଲା। ଏହି ଖବରକୁ ବିଂଝାରପୁର ଅଂଚଳର ଜଣେ ବ୍ୟକ୍ତି ବିଭାଗୀୟ ସଚିବ ପ୍ରଦୀପ ଜେନାଙ୍କୁ ଟୁଇଟ୍‌ କରି ଅଭିଯୋଗ କରିଥିଲେ। ଏହାପରେ ସଚିବ ଶ୍ରୀ ଜେନା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ, ତଦନ୍ତ ନିର୍ଦ୍ଦେଶ ପରେ କେଳେଙ୍କାରୀରେ ସଂପୃକ୍ତ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ମଚାରୀ ଛାନିଆ ହୋଇଯାଇଛନ୍ତି। ସମ୍ପୃକ୍ତ ଠିକାଦାରଙ୍କୁ ସମ୍ପୂର୍ଣ୍ଣ ରାସ୍ତାରୁ ପିଚୁ ତାଡ଼ି ନୂତନ ଭାବେ କାର୍ଯ୍ୟ କରିବାକୁ କୁହାଯାଇଥିବା ଦେଖିବାକୁ ମିଳିଛି। ତଦନୁଯାୟୀ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର