ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲା : ୫ ବର୍ଷ ଯାଉନି, ୨ ବର୍ଷରେ ଶୋଚନୀୟ

ନୂଆଗାଁ : ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବଡ଼ ଧରଣର ଘୋଟାଲା ହେଉଥିବାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ରାସ୍ତାକାମରେ ଚଞ୍ଚକତା କରି ଠିକାଦାର ଟଙ୍କା ଚଳୁ କରିବା ପରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ୁଛି। ଏଭଳି ଘଟଣା ନୂଆଗାଁ ବ୍ଲକ୍‌ର ବିଭିନ୍ନ ରାସ୍ତା କାମରେ ଦେଖିବାକୁ ମିଳିଛି। ଆଉ କେତେକ ସ୍ଥାନରେ ଅବଧି ସରିବା ପରେ କାର୍ଯ୍ୟ ଆରମ୍ଭ ହେଉଥିଲେ ମଧ୍ୟ ୨ ବର୍ଷ ନ ଯାଉଣୁ ରାସ୍ତାରୁ ପିଚୁ ଉଠି ଯା‌ଉଛି। ଏହି ଘୋଟାଲାର ଏକ ତଦନ୍ତ ଦାବି ହୋଇଛି।

ଖବରରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ର ବିଭିନ୍ନ ଗାଁ ସହିତ ଗାଁକୁ ସଂଯୋଗ କରିବାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ୍ କରାଯାଉଛି। ରାସ୍ତା ନିର୍ମାଣ ଦାୟିତ୍ବ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଛି। ଠିକାଦାର ଟେଣ୍ତର୍‌ କରି ବର୍ଷ ବର୍ଷ ଧରି ପକାଇ ରଖିବା ପରେ କାର୍ଯ୍ୟ ଆରମ୍ଭ କରୁଛି। ଏମିତିକି ଅବଧି ଶେଷ ହେବା ପରେ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ରକ୍ଷଣାବେକ୍ଷଣର ଦାୟିତ୍ବ ୫ ବର୍ଷ ରହିଥିଲେ ମଧ୍ୟ ଠିକାଦାର କାମ ନ କରି ଟଙ୍କା ଉଠାଇ ନେଉଛି। ଏଥିରେ ବିଭାଗୀୟ ଅଧିକାରୀମାନେ ଠିକାଦାରକୁ ଦରଦ ଦେଖାଇ ସାହାଯ୍ୟ କରୁଛନ୍ତି। ବ୍ଲକ୍‌ର ମାଳିସାହିଠାରୁ ମହୀପୁର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୯ କିଲୋମିଟର ରାସ୍ତାକୁ ୪ କୋଟି ୫୦ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା। ଠିକାଦାର ଦୁଇ ବର୍ଷ ପରେ ଆରମ୍ଭ କରିବା ପରେ ଏବେ ସେହି ରାସ୍ତା ଶୋଚନୀୟ ହେବା ସହିତ ବଡ ବଡ ଖାଲ ସୃଷ୍ଟି ହୋଇଛି। ଲୋକେ ରାତିରେ ଅନ୍ଧାରୁଆ ରାସ୍ତାରେ ଯିବାଆସିବା କରିବା ସମୟରେ ଖାଲରେ ପଡି ଗୁରୁତର ଆହତ ହେଉଛନ୍ତି। ତେବେ ରାସ୍ତା ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷର ଅବଧି ଥିଲେ ମଧ୍ୟ ଠିକାଦାର କାମ ନ କରିବା ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହି କାମକୁ ଭୁବନେଶ୍ବରର ଜେବିଏସ୍‌ କନ୍‌ଷ୍ଟ୍ରକସନ୍ ପ୍ରାଇଭେଟ ଲିମିଟେଡ୍ କଂପାନିକୁ ଦିଆଯାଇଥିଲା। ଅବଧି ପରେ ରାସ୍ତା ନିର୍ମାଣ ଓ ରାସ୍ତା ନଷ୍ଟ ହୋଇଥିଲେ ମଧ୍ୟ ରାସ୍ତା ମରାମତି ହୋଇନାହିଁ। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ମରାମତି ପାଇଁ ଠିକାଦାରକୁ ତାଗିଦ୍‌ ନ କରି ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେହିପରି ଖଣ୍ତୁଗାଁଠାରୁ ତୁଳସୀପୁର ରାସ୍ତା ନିର୍ମାଣରେ ମଧ୍ୟ ଚଞ୍ଚକତା ହୋଇଛି। ଏହି ରାସ୍ତା କାମ ନାବାର୍ଡ ଅନୁଦାନରେ ହୋଇଥିଲେ ମଧ୍ୟ ଠିକାଦାର ଅତି ନିମ୍ନମାନର କାର୍ଯ୍ୟ କରିଥିବା ଯୋଗୁ ରାସ୍ତାରୁ ପିଚୁ ଉଠି ଯାଇ ଅତି ଶୋଚନୀୟ ହୋଇ ପଡିଛି। ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ଘଟଣା ପ୍ରତି କର୍ଣ୍ଣପାତ କରୁନଥିବା ଜଣାପଡ଼ିଛି। ଲାଭ ହେଉନଥିବା କହିଛନ୍ତି। ଏହି ଘଟଣାରେ ବିଭାଗୀୟ ଅଧିକାରୀ ନାରାୟଣ ମୁର୍ମୁ କହିଛନ୍ତି, ମହୀପୁରଠାରୁ ମାଳିସାହି ରାସ୍ତା ପିଡବ୍ଲୁଡିକୁ ହାସ୍ତାନ୍ତର କରାଯାଇଛି ଏବଂ ଖଣ୍ତୁଗାଁ ତୁଳସୀପୁର ରାସ୍ତା ଖରାପ ହୋଇଥିବା କଥା ଆମେ ଜାଣିଛୁ; ନୂଆ ଆଲଟମେଣ୍ଟ୍‌ ଆସିଲେ ରାସ୍ତା ତିଆରି କରାଯିବ।

ସମ୍ବନ୍ଧିତ ଖବର