ଦଶପଲ୍ଲା : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିବା ବେଳେ ନିର୍ମାଣ କାର୍ଯ୍ୟକୁ ୬ ମାସ ବିତିନି। ଏହା ଭିତରେ ରାସ୍ତାରୁ ପିଚୁ, ମେଟାଲ୍ ଓ ଚିପ୍ସ ବାହାରିବା ସହ ମାଟି ଉଠିଗଲାଣି। ଗୋଟିଏ କି ଦୁଇଟି ସ୍ଥାନରୁ ନୁହେଁ, ପ୍ରାୟ ସାଢେ ୩ କିମି ରାସ୍ତା ନିର୍ମାଣ ମଧ୍ୟରୁ ୨ କିମିରୁ ଊର୍ଦ୍ଧ୍ବ ରାସ୍ତା ଏଭଳି ଦୟନୀୟ ହୋଇ ପଡ଼ିଛି। ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟକୁ ନେଇ ଗ୍ରାମବାସୀ ପ୍ରତିବାଦ କରଥିବା ବେଳେ ତାଙ୍କ କଥାକୁ କେହି ବି କର୍ଣ୍ଣପାତ କରିନଥିବା ପ୍ରକାଶ କରିଛନ୍ତି, ଯାହାକୁ ନେଇ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ପ୍ରିୟାପ୍ରୀତି ତୋଷଣ ଏବେ ପଦାରେ ପଡ଼ିଥିବା ବେଳେ ରାସ୍ତା ନିର୍ମାଣ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରିଦିଆଯାଇଥିବା ଅଭିଯୋଗ ହେଉଛି।
ଏଭଳି ଘଟଣା କୌଣସି ଉପାନ୍ତ ଅଂଚଳର ନୁହେଁ। ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ କିମି ଦୂର ଦଶପଲ୍ଲା-ଗଣିଆ ରାସ୍ତାର ମଧ୍ୟଖଣ୍ତଠାରୁ ମହାନ୍ତିପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ ଶୈଳୀକୁ ଲକ୍ଷ୍ୟ କଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା କିଭଳି ତାହା ସ୍ପଷ୍ଟ କରିଛି। ମଧ୍ୟଖଣ୍ତ ଛକଠାରୁ ମହାନ୍ତିପଲ୍ଲୀ ଗ୍ରାମ ପର୍ଯ୍ୟନ୍ତ ୩.୩୪୦ କିମି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହେବା ପାଇଁ ୧୫୦.୦୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ହେବାକୁ ଥିବା ବେଳେ ଏହାକୁ ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ପାଲ୍ ଆଣ୍ତ୍ ପାଲ୍ ଇନଫ୍ରାଷ୍ଟ୍ରକ୍ଚର୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ନିର୍ମାଣ ଦାୟିତ୍ବ ନେଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟକୁ ନେଇ ବାରମ୍ବାର ବିରୋଧ କରାଯାଇଥିଲା। ଯେଉଁ ପରିମାଣର ବାଲି, ମେଟାଲ, ଚିପ୍ସ ପଡ଼ିବା କଥା ତାହା ପକାଯାଇନଥିଲା। ଅଭିଯୋଗ ପ୍ରତି କର୍ଣ୍ଣପାତ ନକରି କାର୍ଯ୍ୟ କରାଯାଇଥିବା ବେଳେ ଦିନକ ପାଇଁ କନିଷ୍ଠ ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀଙ୍କ ଦେଖା ମଧ୍ୟ ମିଳିନଥିବା ପ୍ରକାଶ କରିଛନ୍ତି। ଯାହାର ପରିଣାମ ସ୍ବରୂପ ରାସ୍ତା ନିର୍ମାଣ କାର୍ଯ୍ୟ କିଭଳି କରାଯାଇଥିଲା ତାହା ଏବେ ଦେଖିବାକୁ ମିଳିଛି।
ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ତତ୍କାଳୀନ କନିଷ୍ଠଯନ୍ତ୍ରୀ ଜଗନ୍ନାଥ ସୁବୁଦ୍ଧିଙ୍କୁ ପଚାରିବାରୁ, ଏହି ରାସ୍ତା ଉପରେ ୧୦ରୁ ୨୦ ଟନ୍ ଓଜନର ଗାଡ଼ି ଯିବା କଥା; ମାତ୍ର ୩୦/୪୦ ଟନ୍ ଓଜନର ବାଲି ଟ୍ରକ୍ ନିଆଯିବା ହେତୁ ଏଭଳି ହୋଇଛି’’ ବୋଲି କହିଛନ୍ତି। ତେବେ ଠିକାଦାରକୁ ଚିଠି ହୋଇଛି ଏବଂ ୧୦ ଦିନ ମଧ୍ୟରେ ଏହାର ମରାମତି କରାଯିବ ବୋଲି ଜଣାପଡ଼ିଛି।