ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନରେ ଦୁର୍ନୀତି : ସାକ୍ଷରତା ନାଁରେ ଦେଢ଼କୋଟି ହରିଲୁଟ୍‌!

ଯୋଗ୍ୟଙ୍କୁ ଅଯୋଗ୍ୟ ଦର୍ଶାଇ ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା/ରାଜନଗର : କମ୍ପ୍ୟୁଟର ଜ୍ଞାନ ନ ଥିବା ବ୍ୟକ୍ତିଙ୍କୁ ସାକ୍ଷର କରାଯିବ। ଏଥିପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଆରମ୍ଭ କରିଥିଲେ। ଜନସେବା କେନ୍ଦ୍ର ଜରିଆରେ କରାଯାଇଥିବା ଏହି ଅଭିଯାନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବଡ଼ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ଶିକ୍ଷିତ ବ୍ୟକ୍ତି ତଥା ଯୋଗ୍ୟଙ୍କୁ ଅଯୋଗ୍ୟ ଦର୍ଶାଯାଇ ସାକ୍ଷରତା ନାଁରେ ପ୍ରାୟ ଦେଢ଼କୋଟିରୁ ଅଧିକ ଟଙ୍କା ହରିଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ୱେବସାଇଟ୍‌ରେ ଦିଆଯାଇଥିବା ତଥ୍ୟକୁ ନେଇ ଖୋଳତାଡ଼ କରାଯିବା ପରେ ଏଭଳି ଚକିତ କଲା ଭଳି କେଳେଙ୍କାରୀ ସାମ୍ନାକୁ ଆସୁଛି। ବହୁ ଶିକ୍ଷିତ ଗ୍ରାଜୁଏଟ୍‌, କମ୍ପ୍ୟୁଟର ଶିଖିଥିବା ବ୍ୟକ୍ତିଙ୍କୁ ଏହି ଅଭିଯାନରେ ସାକ୍ଷର କରାଯାଇଥିବାର ମିଥ୍ୟା ତଥ୍ୟ ଦେଇ କର୍ତ୍ତୃପକ୍ଷ ସାର୍ଟିଫିକେଟ୍‌ ବାବଦକୁ ପର୍ଯ୍ୟାୟ କ୍ରମେ ଦେଢ଼କୋଟିରୁ ଅଧିକ ଟଙ୍କା ଖାଇ ଦେଇଥିବା ଅଭିଯୋଗ ହେଉଛି।

ସୂଚନାନୁଯାୟୀ, ଗ୍ରାମାଂଚଳ ଲୋକଙ୍କୁ କମ୍ପ୍ୟୁଟର, ସ୍ମାର୍ଟଫୋନ, ଟାବ୍‌ଲେଟ ଭଳି ଡିଜିଟାଲ ଉପକରଣ ବିଷୟରେ ତାଲିମ ଦେଇ ସଶକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନରେ ଡିଜିଟାଲ ଜ୍ଞାନକୌଶଳ ସଂପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ୧୪ରୁ ୬୦ବର୍ଷ ଯାଏ ହିତାଧିକାରୀଙ୍କୁ ସାମିଲ କରାଯାଇ ଇ-ମେଲ ପଢିବା/ପଢାଇବା, ଇଣ୍ଟରନେଟ୍‌ ଚଳାଇ ଶିଖିବା, ସରକାରୀ ସୁବିଧା ପର୍ଯ୍ୟନ୍ତ ପହଞ୍ଚିବା, ଆବଶ୍ୟକ ସୂଚନା ଖୋଜିବା, ଡିଜିଟାଲ ପେମେଣ୍ଟ ଆଦି ଅନେକ ବିଷୟରେ ହିତାଧିକାରୀଙ୍କୁ ତାଲିମ ଦିଆଯାଉଛି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨୧ଟି ସେଣ୍ଟରରେ ୬୦,୬୧୯ ହିତାଧିକାରୀଙ୍କୁ ନାମ ଲେଖାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮,୪୮୨ଜଣଙ୍କ ତାଲିମ୍ ଶେଷ ହୋଇଛି। ତାଲିମପ୍ରାପ୍ତ ହିତାଧିକାରୀଙ୍କ ମଧ୍ୟରୁ ୩୬,୭୫୯ ଜଣଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବିଭାଗୀୟ ୱେବସାଇଟ୍‌ରେ ଦର୍ଶାଯାଇଛି। ରେକର୍ଡ ମୁତାବକ, ଆଳି ବ୍ଲକ୍‌ରେ ୨୭ଟି ସେଣ୍ଟରରେ ନାମ ଲେଖାଇଥିବା ୩୮୧୨ଜଣଙ୍କ ମଧ୍ୟରୁ ୨୯୩୬ଜଣ ପ୍ରଶିକ୍ଷଣ ସରିଥିବା ବେଳେ ଡେରାବିଶ ବ୍ଲକରେ ୨୫ଟି କେନ୍ଦ୍ରରେ ୨୯୭୪ଜଣଙ୍କ ମଧ୍ୟରୁ ୨୨୨୯ଜଣ, ଜମ୍ବୁ ମେରାଇନ ଥାନା ଅଞ୍ଚଳରେ ୪ଟି କେନ୍ଦ୍ରରେ ୧୪୯୭ଜଣଙ୍କ ମଧ୍ୟରୁ ୧୦୦୬ଜଣ, କେନ୍ଦ୍ରାପଡ଼ା ସଦର ବ୍ଲକରେ ୪୮ଟି କେନ୍ଦ୍ରରେ ୮୨୪୧ଜଣଙ୍କ ମଧ୍ୟରୁ ୬୬୯୬ଜଣ ପ୍ରଶିକ୍ଷଣ ନେଇଛନ୍ତି। ଅନୁରୂପ ଭାବେ ମହାକାଳପଡ଼ା ବ୍ଲକରେ ୩୬ଟି କେନ୍ଦ୍ରରେ ୬୪୦୫ଜଣଙ୍କୁ ମଧ୍ୟରୁ ୪୫୪୪ଜଣ, ମାର୍ଶାଘାଇ ବ୍ଲକରେ ୩୪ଟି କେନ୍ଦ୍ରରେ ୬୯୧୫ଜଣଙ୍କ ମଧ୍ୟରୁ ୫୭୯୬ଜଣ ପ୍ରଶିକ୍ଷଣ, ନିକିରାଇରେ ୧୭ଟି କେନ୍ଦ୍ରରେ ୨୭୩୩ ଜଣଙ୍କ ମଧ୍ୟରୁ ୧୮୪୪ଜଣ, ପାଟକୁରାରେ ୩୩ଟି କେନ୍ଦ୍ରରେ ୫୭୯୮ଜଣଙ୍କ ମଧ୍ୟରୁ ୪୭୧୧ଜଣ, ପଟ୍ଟାମୁଣ୍ତାଇ ବ୍ଲକରେ ୪୪ଟି କେନ୍ଦ୍ରରେ ୧୦,୮୦୨ଜଣଙ୍କ ମଧ୍ୟରୁ ୯୦୦୪ଜଣ, ରାଜକନିକା ବ୍ଲକରେ ୨୭ଟି କେନ୍ଦ୍ରରେ ୫୩୨୬ଜଣଙ୍କ ମଧ୍ୟରୁ ୪୦୭୩ଜଣ ପ୍ରଶିକ୍ଷଣ, ରାଜନଗର ବ୍ଲକରେ ୨୬ଟି କେନ୍ଦ୍ରରେ ୬୧୧୬ଜଣଙ୍କ ମଧ୍ୟରୁ ୫୫୯୫ଜଣ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଥିବା ଦର୍ଶାଯାଇଛି।

ତେବେ ପ୍ରଶିକ୍ଷଣ ସହ ପ୍ରତି ସାର୍ଟିଫିକେଟ୍‌ ପିଛା କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟ ୩୭୦ଟଙ୍କା ପ୍ରଦାନ କରିଥାଏ। ସେଥିରୁ ପ୍ରଶିକ୍ଷଣ ଦେଉଥିବା ଟ୍ରେନିଂ ସେଣ୍ଟରର ଆକାଉଣ୍ଟକୁ ୩ଶହ ଟଙ୍କା ଦିଆଯାଇଥିବା ବେଳେ ମୂଲ୍ୟାୟନ ସାର୍ଟିଫିକେଟ ଦେଉଥିବା ସଂସ୍ଥା ବା ଜନସେବା କେନ୍ଦ୍ରକୁ ୭୦ଟଙ୍କା ଲେଖାଏ ପ୍ରଦାନ କରାଯାଇଥାଏ। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଶିକ୍ଷଣ ଶେଷକରି ସାର୍ଟିଫିକେଟ୍‌ ହାତେଇଥିବା ୪୮,୪୮୨ଜଣ ବାବଦରେ ୩୨୧ ଜନସେବା କେନ୍ଦ୍ର ଓ ସହଯୋଗୀ ସେଣ୍ଟରର ଆକାଉଣ୍ଟକୁ ୧କୋଟି ୪୫ ଲକ୍ଷ ୩୯ହଜାର ୨ଶହ ଟଙ୍କା ଦିଆଯାଇଥିବା ବେଳେ ମୂଲ୍ୟାୟନ ଓ ସାର୍ଟିଫିକେଟ ଦେଇଥିବା ସଂସ୍ଥାକୁ ୩୩ଲକ୍ଷ ୯୨ହଜାର ୪୮୦ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ୧ କୋଟି ୭୯ ଲକ୍ଷ ୩୧ହଜାର ୬୮୦ଟଙ୍କା ଡିଜିଟାଲ ସାକ୍ଷରତା ଅଭିଯାନ ବାବଦରେ ବ୍ୟୟ ସରିଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ନ ଥିବାର ଗୁରୁତର ଅଭିଯୋଗ ହୋଇଛି। ଯୋଗ୍ୟକୁ ଅଯୋଗ୍ୟ ଦର୍ଶାଇ ଅର୍ଥାତ ପୂର୍ବରୁ କମ୍ପ୍ୟୁଟର ସମ୍ପର୍କରେ ଜ୍ଞାନ ଥିବା ଓ କମ୍ପ୍ୟୁଟର ଡିଗ୍ରୀଧାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଯୋଗ୍ୟ କରିଥିବା ଦର୍ଶାଇ ସରକାରୀ ଅର୍ଥ ଲୁଟି ନିଆଯାଇଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର