ଆର୍‌ଜିଏଚ୍‌ରେ ଲମ୍ବୁଛି ଦୁର୍ନୀତିର ଚେର: ନକଲି ଡାକ୍ତରରେ ଚାଲିଥିଲା ଡାୟଲେସିସ୍‌ ସେବା

ଦୈନିକ ଆସୁଥିଲେ ୨୫ରୁ ୩୦ ରୋଗୀ

ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ନକଲି ଡାକ୍ତର ଗିରଫ ହେବା ଘଟଣାରେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଘରୋଇ ସଂସ୍ତା ‘ରାହି କେୟାର ପ୍ରାଇଭେଟ୍‌ ଲିମିଟେଡ୍‌’ ଦ୍ବାରା ପରିଚାଳିତ ହେଉଥିବା ଡାୟଲେସିସ୍‌ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଓ ଏହାକୁ ତଦାରଖ କରୁଥିବା ଆର୍‌ଜିଏଚ୍‌ର ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ରାଉରକେଲା ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି, ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାହି ସଂସ୍ଥାର ଏରିଆ ମ୍ୟାନେଜର ମୟୁର ଅଗ୍ରୱାଲଙ୍କ ଲିଖିତ ଏତଲା ଆଧାରରେ ଘଟଣାର ତଦନ୍ତ କରାଯାଉଛି। ସେପଟେ ନକଲି ଡାକ୍ତର ଗିରଫ ହେବା ପରେ ଡାୟଲେସିସ୍‌ ସେବାକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି। ଡାକ୍ତର ନିଯୁକ୍ତି ହେବା ପରେ ଡାୟଲେସିସ୍‌ ବିଭାଗକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ଏରିଆ ମ୍ୟାନେଜର ଶ୍ରୀ ଅଗ୍ରୱାଲ କହିଛନ୍ତି। ସେ କହିଛନ୍ତି, ଆମେ ଡାକ୍ତର ନିଯୁକ୍ତି କରିବା ପୂର୍ବରୁ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିଥିଲୁ। ଘଟଣା ସମ୍ପର୍କରେ ସଂସ୍ଥାର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଇ ଦେଇଛୁ। ଏବେ ଡାୟଲେସିସ୍‌ ବିଭାଗରେ କାର୍ଯ୍ୟକରୁଥିବା ଠିକାସଂସ୍ଥାର କର୍ମଚାରୀଙ୍କ ଅସଲି ନା ନକଲି, ତା’ର ମଧ୍ୟ ବିଧିବଦ୍ଧ ଯାଞ୍ଚ ହେବାର ଆବଶ୍ୟକତା ରହିଛି। ରୋଗୀଙ୍କ ଜୀବନ ସହ ଖେଳୁଥିବା ଏଭଳି ଠିକା ସଂସ୍ଥା ବିରୋଧରେ ସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି।

ଆର୍‌ଜିଏଚ୍‌ରେ ଦୁର୍ନୀତି ଓ ଏସବୁ ପ୍ରସଙ୍ଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସେ କହିଛନ୍ତି। ଗତ ୨୦୨୧ ଜୁନ୍‌ ୨୫ରେ ଆର୍‌ଜିଏଚ୍‌ରେ ଡାୟଲେସିସ୍‌ ୟୁନିଟ୍‌ ଉଦ୍‌ଘାଟନ ହୋଇଥିଲା। ୟୁନିଟ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୭ଟି ଓ ଆଇସିଆଇସିଆଇ ପକ୍ଷରୁ ୪ଟି, ଏମିତି ମୋଟ ୧୧ ଟି ମେସିନ୍‌ ଯୋଗାଇ ଦିଆଯାଇଛି। ଦୈନିକ ୨୫ରୁ ୩୦ ‌ରୋଗୀଙ୍କର ଡାୟଲେସିସ୍‌ କରାଯାଉଛି। ଚୁକ୍ତିନାମା ଅନୁଯାୟୀ ରାହି କେୟାର ପ୍ରାଇଭେଟ୍‌ ଲିମିଟେଡ ସଂସ୍ଥା ପକ୍ଷରୁ ରୋଗୀ ପିଛା ହଜାରରୁ ଅଧିକ ଟଙ୍କା ନିଆଯାଉଛି। ଯାହାକୁ ସରକାର ବହନ କରୁଛନ୍ତି। ଏଥିପାଇଁ ରୋଗୀଙ୍କୁ ଟଙ୍କାଟିଏ ଦେବାକୁ ପଡ଼ୁନି। ଅର୍ଥାତ୍‌ ପ୍ରତ୍ୟେକ ଦିନ ହାରହାରି ୨୫ ହଜାର ଟଙ୍କା ‘ରାହି କେୟାର’ ସଂସ୍ଥା ପାଉଛି। ମାସକୁ ପାଖାପାଖି ୭ ଲକ୍ଷ ୫୦ ହଜାର ଟଙ୍କା ରୋଜଗାର କରୁଥିବା ଏହି ଠିକାସଂସ୍ଥା ମାତ୍ର କେହି ଜଣ କର୍ମଚାରୀ ଓ ନକଲି ଡାକ୍ତରଙ୍କୁ ନିଯୁକ୍ତି ଦେଇଛି। ନକଲି ଡାକ୍ତରଙ୍କୁ ମାସକୁ ୫୦ ହଜାର ଟଙ୍କା ଦରମା ଦେଉଥିଲା। ମାସକୁ ମାସ ସରକାରଙ୍କଠୁ ଲକ୍ଷାଧିକ ଟଙ୍କା ଆୟ କରୁଥିବା ଏହି ଠିକାସଂସ୍ଥା ବିରୋଧରେ ଆର୍‌ଜିଏଚ୍‌ର କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଆର୍‌ଜିଏଚ୍‌ରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ ସଂସ୍ଥାର କିଛି କର୍ମଚାରୀ ସ୍ଥାୟୀ କର୍ମଚାରୀଙ୍କ ସହ ଭିତିରି ସଲାସୁତରା କରି ଆର୍‌ଜିଏଚ୍‌ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆର୍‌ଜିଏଚ୍‌ ମର୍ଗ ହାଉସ୍‌ରୁ ଫ୍ରିଜ୍‌ର ଗାଏବ ହେବା ପରେ ଡାକ୍ତରଖାନା ମ୍ୟାନେଜର ଛୁଟିରେ ପଳାଇଯାଇଛନ୍ତି। ତଦନ୍ତ ହେଲେ ଆର୍‌ଜିଏଚ୍‌ର ଅନ୍ୟ ବିଭାଗରେ ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର