ନଦୀବନ୍ଧ ମରାମତିରେ ଦୁର୍ନୀତି : ଓସିସି ନାଁରେ କୋଟିକୋଟି ଟଙ୍କା ଚଳୁ

ମନୁଷ୍ୟକୃତ ଘାଇର ଭିତିରି ରହସ୍ୟ ଖୋଲୁଛି, ୧୫% ଅଧିକ ଅର୍ଥ ଓସିସି ନେଇ କରୁଛି କଣ?

ଯାଜପୁର/ଦଶରଥପୁର : ଯାଜପୁର ଜିଲ୍ଲାର ବିଭିନ୍ନ ନଦୀ‌ରେ ଏକକାଳୀନ ୩୦ଟି ଘାଇ ସୃଷ୍ଟି ହେବାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି। ବୈତରଣୀ, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଏକାକାଳୀନ ଘାଇ ପାଇଁ ଦାୟୀ କିଏ, ଏହାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ରାଜନେତାଙ୍କ ଠିକାଦାରଙ୍କୁ ନେଇ ପ୍ରଶ୍ନ ଉଠିଛି। କୁହାଯାଉଛି ଯେ, ଓସିସି ନାମରେ କେବଳ କାଗଜପତ୍ର ଦର୍ଶାଯାଉଥିବାବେଳେ ରାଜନେତାଙ୍କ ଠିକାଦାରମାନେ କାମ କରୁଛନ୍ତି।

ଯାଜପୁର ଡିଭିଜନରେ ଶହଶହ କୋଟି ଟଙ୍କା ନଦୀବନ୍ଧ ମରାମତି ଓ ନିର୍ମାଣ ଚାଲିଛି।

ଗତ ୧୦ବର୍ଷରେ ଏଥିପାଇଁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ, ଓଡ଼ିଶା ନିର୍ମାଣ ନିଗମ(ଓସିସି) କେବଳ ନାଁକୁ ମାତ୍ର। ଓସିସି ନାମରେ କେବଳ କାଗଜପତ୍ର ଦର୍ଶାଯାଉଥିବା ବେଳେ ରାଜନେତାଙ୍କ ଠିକାଦାରମାନେ କାମ କରୁଛନ୍ତି। ‌କେତେଜଣ ଠିକାଦାର ଟେଣ୍ଡର ନେଇ କାମ କରୁଥିବାବେଳେ ଆଉ କେତେଜଣ ବିନା ଟେଣ୍ଡରରେ ଓସିସି ନାମରେ କାମ ଥିଲେ ହେଁ ସେମାନେ କରୁଛନ୍ତି। ଫଳରେ, ନିମ୍ନମାନର କାମ ପାଇଁ ବ୍ୟାପକ ଘାଇ ସୃଷ୍ଟିହୋଇଛି। କେତେକ ସ୍ଥାନରେ ଠିକାଦାରମାନେ ଦଲାଲଙ୍କ ଜରିଆରେ ଘାଇ କରି ଦେବାର ଅଭିଯୋଗ ହେଉଛି। ‌ରାଜନେତା, ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ବର୍ଷ ବର୍ଷ ହେଲା ଶହଶହ କୋଟି ଟଙ୍କା ମୁନାଫା କରୁଥିବା ବେଳେ ଏଥର ବନ୍ୟାରେ ଜିଲ୍ଲାର ୧୦ଲକ୍ଷ ଲୋକ ବିପନ୍ନ ହେଲେ। ହଜାରହଜାର କୋଟି ଟଙ୍କା ସମ୍ପତି କ୍ଷୟକ୍ଷତି ହେଲା।

ଦଶରଥପୁର ବ୍ଲକ୍ ହୋଇଥିବା ଘାଇକୁ ନେଇ ଏବେ ଦିନକୁ ଦିନ ବିବାଦ ବଢ଼ି ଚାଲିଛି। ଏହି ବ୍ଲକ୍ ଦତ୍ତପୁରଠାରେ ବୈତରଣୀ ନଦୀବନ୍ଧରେ ୨୦୦ ଫୁଟ୍ ଘାଇ ଓ କାଣୀ ନଦୀବନ୍ଧରେ ନୂଆଶାସନଠାରେ ୧୫୦ ଫୁଟ୍ ଓ କପଡ଼ାରେ ୭୦ ଫୁଟ୍ ଘାଇ ହୋଇଛି। ଘାଇକୁ ନେଇ ଏବେ ଶାସକ ଦଳ ଓ ବିରୋଧୀ ଦଳଙ୍କ ମଧ୍ୟରେ ବିବାଦ ଘନେଇଛି। ଘାଇକୁ ହଣାଯାଉଥିବାର ଫଟୋ ଓ ଭିଡିଓକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସ୍ବର ତୀବ୍ର କରିଛନ୍ତି। କୋଟିକୋଟି ଟଙ୍କା ବ୍ୟୟରେ ଓସିସି ପକ୍ଷରୁ ବନ୍ଧ ନିର୍ମାଣ କରାଯାଇଥିବା ବେଳେ କାମ ନିମ୍ନମାନର ହୋଇଥିବାରୁ ଘାଇ ହେଲା ବୋଲି ସାଧାରଣରେ ବି ଅଭିଯୋଗ ହୋଇଛି।

ସୂଚନାଥାଉକି, ସୁନ୍ଦରିମୁହଁଠାରୁ କୟାଁଗୋଲା ପର୍ଯ୍ୟନ୍ତ ବନ୍ଧ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଓସିସି ନିଜେ କାମନକରି ପ୍ରଭାବଶାଳୀ ନେତାଙ୍କ ସୁପାରିସରେ ବ୍ରହ୍ମଚାରୀପାଟଣାରୁ ୬.୫ କିମି ଅର୍ଦ୍ଦାଳୁଆ ପର୍ଯ୍ୟନ୍ତ ଠିକାଦାର ଓ ସେଠାରୁ କୟାଁଗୋଲା ପର୍ଯ୍ୟନ୍ତ ଅବଶିଷ୍ଟ ୧୨.୫ କିମି ଅନ୍ୟଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ୧୨.୫ କିମି କରିଥିବା ଠିକାଦାର ସହିତ ଅନ୍ୟ ୫ ଜଣ ଅନଭିଜ୍ଞ ଠିକାଦାର ଜୋରଜବରଦସ୍ତ କାମ କରିଥିଲେ। ବନ୍ଧର ଏଷ୍ଟିମେଟ୍ ଉପରଭାଗ ୬ ମିଟର ଥିବାବେଳେ ୨ ମିଟର ଓ ବନ୍ଧର ନିମ୍ନଭାଗ ୧୮ ମିଟର ଥିବାବେଳେ ୧୦ ମିଟର କାମ କରାଯାଇଛି। ବନ୍ଧରେ ଥିବା ବିଭିନ୍ନ ସ୍ଲୁଇସ୍‌ ଗେଟ ପୋତିପକାଇଥିବାର ଅଭିଯୋଗ ହୋଇଛି। ଫଳରେ ଦତ୍ତପୁରଠାରେ ଘାଇ ହୋଇଥିବା ସ୍ଥାନରେ ଏକ ସ୍ଲୁଇସ୍‌ ଗେଟ୍ ପାଇପ୍ ମଧ୍ୟରେ ଘଳିଆ ପଡ଼ିଥିଲା। ପରେ ଏହି ଘଳିଆରୁ ଘାଇ ସୃଷ୍ଟି ହୋଇଥିବାର ଅଭିଯୋଗ ହୋଇଛି।

ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ପଲାସାହିଠାରେ ବନ୍ଧ ପ୍ରାୟ ୧୦୦ ଫୁଟ୍ ଅଧିକ ଦବିଯାଇ ଘଳିଆ ପଡ଼ିଥିବା ବେଳେ ହେମନ୍ତପୁର, ନୂଆପାଟଣା, ବଳରାମପୁରଠାରେ ୫୦ ଫୁଟ ଅଧିକ ନଦୀ ମଧ୍ୟକୁ ଧସିଯାଇଛି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରିଥିବାରୁ ଦତ୍ତପୁରରେ ଘାଇ ହେବା ସହ ପଲାସାହି ଓ ନୂଆପାଟଣାରେ ବନ୍ଧ ଦବି ଘାଇ ହୋଇଥିଲା।

ଉନ୍ନତମାନର କାମ ହେବ ବୋଲି ସରକାର ଓସିସିକୁ ପ୍ରକଳ୍ପ ବ୍ୟୟର ୧୫ଶତକଡ଼ା ଅଧିକ ଦେଉଛନ୍ତି। ଏହି ବାବଦରେ ଶହଶହ କୋଟି ଟଙ୍କା ସରକାରଙ୍କ ତହବିଲରୁ ବ୍ୟୟ ହେଉଛି। ଅଥଚ ଅନ୍ୟାନ୍ୟ ବିଭାଗ ପରି ଠିକାଦାର ଏହି କାମ ଯଦି କରୁଛନ୍ତି, ତେବେ ନାମକୁ ମାତ୍ର ଓସିସି ନାମରେ କାହିଁକି କୋଟିକୋଟି ଟଙ୍କା ଅପବ୍ୟୟ ହେଉଛି ବୋଲି ପ୍ରଶ୍ନ ଉଠିଛି। ଓସିସି, ଠିକାଦାର ଓ ପ୍ରଭାବଶାଳୀ ଗୋଷ୍ଠୀଙ୍କ ମଧୁଚନ୍ଦ୍ରିକା ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର