ହରଭଙ୍ଗା : ହରଭଙ୍ଗା ବ୍ଲକ୍ରେ ଆର୍ଡି ବିଭାଗ ଅଧୀନରେ ନୂଆ ପ୍ରକଳ୍ପକୁ ପୁରୁଣା ଓ ପୁରୁଣା ପ୍ରକଳ୍ପକୁ ନୂଆ ଦର୍ଶାଇ ଅର୍ଥ ବାଟମାରଣା କରୁଥିବା ଅଭିଯୋଗ ହେଉଛି। ଲୁଣିବାହାଲ ପଞ୍ଚାୟତର ବଘୁଆକଟାରୁ ଶୁକପାଲି ଦେଇ ତାକୁଡ଼ ସାଢେ ୩କିମି ଆର୍ଡି ରାସ୍ତାର ଉନ୍ନତି କରଣ ପାଇଁ ୨୦୧୮/୧୯ ଆର୍ଥିକ ବର୍ଷରେ ୨୦ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ତେବେ ଏହା ପ୍ରାୟ ଦେଢ କିମି ପିଚୁରାସ୍ତା ନିର୍ମାଣ ହୋଇ ଅବଶିଷ୍ଟ ରାସ୍ତା କେବଳ ମେଟାଲିଂ ହୋଇଥିଲା। ଏହି ପ୍ରକଳ୍ପ ନିର୍ମାଣର ୫ବର୍ଷ ପର୍ଯ୍ୟନ୍ତ ରାସ୍ତାର ମରାମତି ଦାୟିତ୍ୱ ସମ୍ପୃକ୍ତ ଠିକାଦାର କରିବାର ନିୟମ ରହିଛି। ହେଲେ ଏହାକୁ ଅଣ ଦେଖାକରି ୩ବର୍ଷ ନପୁରୁଣୁ ସେହି ରାସ୍ତାରେ ଆର୍ଡି ବିଭାଗ ପକ୍ଷରୁ ସମ୍ପ୍ରତି ତାକୁଡ଼ରୁ ବଘୁଆକଟା ରାସ୍ତାକୁ ବିନା ସୂଚନା ଫଳକରେ ୪୫ଲକ୍ଷ ଟଙ୍କାର ନୂତନ ପ୍ରକଳ୍ପ କାମ ଚାଲିଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2021/06/4aa2f080-09fe-4ede-a030-0520eb9ad488.jpg)
ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ଉକ୍ତ ପୁରୁଣା ପ୍ରକଳ୍ପର ମେଟାଲିଂ କାମକୁ ନୂତନ କାମ ଦର୍ଶାଇ ତା ଉପରେ ଅତ୍ୟନ୍ତ ନିମ୍ନମାନର ପିଚୁ କାମ ହେଉଛି। ଉକ୍ତ ରାସ୍ତାରେ ପୂର୍ବରୁ ନିର୍ମାଣ ହୋଇଥିବା ୩ଟି ପୁରୁଣା କଲଭର୍ଟକୁ ପ୍ଲାଷ୍ଟର କରି ନୂଆଁ କଲଭର୍ଟ ଭାବେ ଦର୍ଶାଇଥିବା ଅଭିଯୋଗ ହେଉଛି। ଏଥି ସହିତ ରାସ୍ତାର ଅନେକ ସ୍ଥାନରେ ରୋଲିଂ ହୋଇନଥିବାରୁ ସମତଳ ହେବା ବଦଳରେ ଖାଲଢ଼ିପ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ସେହିପରି ତାକୁଡ଼ରୁ ଖଜୁରିଆ ପର୍ଯ୍ୟନ୍ତ ପୁରୁଣା ମେଟାଲିଂ ହୋଇଥିବା ଦେଢ କିମି ଆର୍ଡି ରାସ୍ତା ଉପରେ ସାମାନ୍ୟ ମରୁମ ବିଛାଇ ରୋଲିଂ କରି ତା’ ଉପରେ ପିଚୁକାମ ହେଉଥିବା ଦେଖାଯାଉଛି।
/sambad/media/post_attachments/wp-content/uploads/2021/06/31839bfe-1582-4508-b06b-609d3dc1c665-aaa.jpg)
ନୂଆ ପ୍ରକଳ୍ପକୁ ପୁରୁଣା ଓ ପୁରୁଣା କାମକୁ ନୂଆ ଦର୍ଶାଇ ବିନା ସୂଚନା ଫଳକରେ ଏଭଳି ନିମ୍ନମାନର କାମ ହେଉଥିବା ବେଳେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀମାନେ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ସମାଜସେବୀ ବନମାଳୀ ପ୍ରଧାନ ଦାବି କରିଛନ୍ତି। ଏ ସମ୍ପର୍କରେ ବୌଦ୍ଧ ଆର୍ଡି ବିଭାଗର ନିର୍ବାହୀ ଯନ୍ତ୍ରୀ ହୃଷୀକେଶ ବରାଳଙ୍କୁ ପଚାରିବାରୁ ସେଭଳି କାର୍ଯ୍ୟ ସମ୍ପର୍କରେ ମୁଁ କୌଣସି ଅଭିଯୋଗ ପାଇନାହିଁ। ତଥାପି ଯଦି ସେପରି କିଛି ହୋଇଥାଏ ଆମେ ତାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/aaa.jpg)