ସମବାୟ ବିଭାଗରେ ବଡ଼ କେଳେଙ୍କାରୀ : ଗାଁ ଗଣ୍ଡାରେ ଚାଷୀଙ୍କୁ ଲୁଟ୍

୧୫.୫ କୋଟି ହଡ଼ପ ମାନିଲେଣି
କେବଳ ତଳିଆଙ୍କୁ କାର୍ଯ୍ୟାନୁଷ୍ଠାନ
ସବୁ ସମବାୟ ସଂସ୍ଥାର ସ୍ବତନ୍ତ୍ର ଅଡିଟ୍ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ୱର : କିଏ ମରିହଜି ଗଲେଣି ତ ଆଉ କିଏ ଆଦୌ ଋଣ ନେଇନାହାନ୍ତି। ହେଲେ ସେମାନଙ୍କ ମୁଣ୍ଡ ଉପରେ ଏବେ ଲକ୍ଷ ଲକ୍ଷ ଟଙ୍କାର ଋଣ ଗଡୁଛି। ଏହିଭଳି ଭାବେ ହଜାର ହଜାର ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ହରିଲୁଟ୍ ହୋଇଛି।

ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ଯେତେବେଳେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ନୂଆଦିଲ୍ଲୀରେ ହଜାର ହଜାର ଚାଷୀ ରାଜରାସ୍ତାରେ ପାଖାପାଖି ଦୁଇ ସପ୍ତାହ ଧରି ଗର୍ଜନ ତର୍ଜନ କରୁଛନ୍ତି, ଠିକ୍ ସେତିକି ବେଳେ ଓଡ଼ିଶାରେ ବି ଗାଁ ଗଣ୍ଡାରେ ଋଣ ହଡ଼ପ ପ୍ରସଙ୍ଗକୁ ନେଇ ଚାଷୀ କାନ୍ଦୁଛି। ଏଥିସହିତ ଏକଥା ବି ପ୍ରମାଣିତ ହୋଇଛି ଯେ କେବଳ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ପାଖରେ ଦୁର୍ନୀତି ଅଟକିନି, ବରଂ ଏହା ପ୍ରଶାସନର ଶିରା ପ୍ରଶିରାକୁ ଭେଦ କରିସାରିଲାଣି।

ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ରାଜ୍ୟ ସମବାୟ ବିଭାଗକୁ ନଜର ପକାଇଲେ ଏଠାରେ ଚାଲିଥିବା କେଳେଙ୍କାରୀର ଆକାରର ବିଶାଳତା ଜଣାପଡୁଛି। ଏହି ବିଭାଗର ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ଗାଁ ଗଣ୍ଡାକୁ ମାଡ଼ିଗଲାଣି। ନିଜ ଅଞ୍ଚଳକୁ ଖୋଦ୍ ମନ୍ତ୍ରୀ ସୁରକ୍ଷା ଦେଇପାରିନାହାନ୍ତି। ସମବାୟ ମନ୍ତ୍ରୀ ରଣେନ୍ଦ୍ର (ରାଜା) ପ୍ରତାପ ସ୍ବାଇଁଙ୍କ ଆଠଗଡର ଲୋକଙ୍କଠାରୁ ଲୁଟ୍ ହୋଇଛି। ଗୁରୁଡ଼ିଝାଟିଆ ସେବା ସମବାୟ ସମିତିରେ ସାଧାରଣ ଚାଷୀଙ୍କ ଟଙ୍କା ହରିଲୁଟ୍ ହୋଇଛି।

ସରକାର ସ୍ବୀକାର କରିଛନ୍ତି ଯେ ଏ ପର୍ଯ୍ୟନ୍ତ ୮୮ଲକ୍ଷ ୧୨ ହଜାର ୪୫୦ ଟଙ୍କା ଚାଷୀମାନଙ୍କ ନାମରେ ଋଣ ଜାଲିଆତି ହୋଇଛି। ବାବୁମାନେ ଦାୟିତ୍ବ ଝାଡ଼ିବା ଲାଗି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁ୍ଷ୍ଠାନ ନେଇଛନ୍ତି ଓ ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ଅନୁସନ୍ଧାନ ପାଇଁ ଚିଠି ଲେଖିଛନ୍ତି। ହେଲେ ଏବେ ଧାଇପୁର ଓ ମଞ୍ଚେଶ୍ବର ସୋସାଇଟିରେ ବି କେଳେଙ୍କାରୀ ସାମ୍ନାକୁ ଆସିଲାଣି। ୮ ବର୍ଷ ତଳୁ ମରିଯାଇଥିବା ସ୍ଥାନୀୟ ସୋମନାଥପୁର ଗାଁର ଗନ୍ଧର୍ବ ନାଏକଙ୍କ ନାମରେ ୧ଲକ୍ଷ ୨୦ ହଜାର ଟଙ୍କା ଉଠାଯାଇଛି। ସବିତା ରାଉତ, ପ୍ରମୋଦ ସାହୁ ଆଦୌ ଋଣ ନେଇନାହାନ୍ତି କିନ୍ତୁ ତାଙ୍କ ନାମରେ ୮୦ ହଜାର ଓ ଦେଢଲକ୍ଷ ଟଙ୍କା ଗଡୁଛି। ଏହି ତାଲିକା ଲମ୍ବିଥିବ। କୌତୂହଳ କଥା ହେଲା, ବାରମ୍ବାର ଦାବି ପରେ କେଉଁ କେଉଁ ଚାଷୀ ଋଣ ନେଇଛନ୍ତି, ସେ ନେଇ ରାଜ୍ୟର ଅଧିକାଂଶ ସମବାୟ ସମିତି ତାଲିକା ପ୍ରକାଶ କରୁନାହାନ୍ତି।

କେଳେଙ୍କାରୀ ବିଷ ସବୁ ଅଞ୍ଚଳକୁ ମାଡ଼ିସାରିଛି ବୋଲି ଜାଣିବା ପରେ ମଧ୍ୟ ରାଜ୍ୟ ସମବାୟ ନିବନ୍ଧକ ସବୁ ସମବାୟ ସମିତିର ସ୍ବତନ୍ତ୍ର ଅଡିଟ୍ କରିବା ଲାଗି କୁନ୍ଥକୁନ୍ଥ ହେଉଛନ୍ତି। ଏପଟେ ସାମ୍ନାକୁ ଆସିଲାଣି ଯେ ମନ୍ତ୍ରୀଙ୍କ ନିଜ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ ଯେଉଁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ସଭାପତି ଥିଲେ, ସେଠାରେ ବି ଗରିବ ଲୋକଙ୍କ ଟଙ୍କାକୁ ହଡ଼ପ କରାଯାଇଛି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଅନିୟମିତତା ହୋଇଛି ବୋଲି ମନ୍ତ୍ରୀ ନିଜେ ବିଧାନସଭାରେ ବି ମାନିଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ଦୁର୍ନୀତିଗ୍ରସ୍ତ ବାବୁ ଓ ନେତା ବ୍ୟବସ୍ଥା ଫାଙ୍କି ପାଖାପାଖି ୧୫ କୋଟି ୫୦ ଲକ୍ଷ ଟଙ୍କା ଗିଳି ଦେଇଛନ୍ତି। ବେସରକାରୀ ଭାବେ କୁହାଯାଉଛି ଯେ ବିଭାଗରେ ସବୁ ପ୍ରକାର କେଳେଙ୍କାରୀକୁ ମିଶାଇଲେ ଏହାର ପରିମାଣ ୫୦୦ କୋଟି ଟଙ୍କା ଛୁଇଁପାରେ ବୋଲି ବିଭିନ୍ନ ସଂଗଠନ ଦାବି କରୁଛନ୍ତି।

mccbank.org.in

ଉଲ୍ଲେଖଥାଉକି, ରାଜ୍ୟ ସମବାୟ ବ୍ୟାଙ୍କ ସହିତ ପାଖାପାଖି ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅନୁବନ୍ଧିତ ହୋଇଛନ୍ତି। ଏ ମଧ୍ୟରୁ ୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ କେଳେଙ୍କାରୀ ହୋଇଥିବା ଜଣାପଡ଼ିସାରିଲାଣି। ଏହି ଅନିୟମିତତାର ପରିମାଣ ପାଖାପାଖି ୧୫ କୋଟି ୪୩ ଲକ୍ଷ ୨୫ ହଜାର ଟଙ୍କା ହେବ ବୋଲି ଆକଳନ ହୋଇଛି। ଏ ମଧ୍ୟରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ମୟୂରଭଂଜ କେନ୍ଦ୍ର ସମବାୟ ବ୍ୟାଙ୍କ, ବାଙ୍କି କେନ୍ଦ୍ର ସମବାୟ ବ୍ୟାଙ୍କ, ବାଲେଶ୍ବର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ସମ୍ମିଳିତ ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ ରହିଛି। କେବଳ ବଲାଙ୍ଗୀର ଏବଂ ସୁନ୍ଦରଗଡ କ୍ଷେତ୍ରରେ ଭିଜିଲାନ୍ସ ତଦନ୍ତ ପାଇଁ ଦିଆଯାଇଛି। ହେଲେ ବଲାଙ୍ଗୀରରେ ନୋଟିସରେ ହିଁ ଭିଜିଲାନ୍ସ ତଦନ୍ତ ଅଟକି ରହିଥିବା ବେଳେ ସୁନ୍ଦରଗଡରେ ହାଇକୋର୍ଟଙ୍କ ମାମଲା କାରଣରୁ କୌଣସି ଅଗ୍ରଗତି ହୋଇପାରୁନାହିଁ। କଟକରେ ନିଲମ୍ବିତ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭିତରେ କାର୍ଯ୍ୟାନୁଷ୍ଠାନ ଅଟକିଛି।

ରାଜନୈତିକ ମହଲ କିନ୍ତୁ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇଛନ୍ତି। ସମବାୟବିତ୍ ବି। ଏମାନଙ୍କର କହିବା କଥା ହେଉଛି, ସମବାୟ ବିଭାଗର କେଳେଙ୍କାରୀ ସଂପର୍କରେ ଗଣମାଧ୍ୟମରେ ଯେତେ ରିପୋର୍ଟ ବାହାରିଲେ ବି ସରକାର ନିରବଦ୍ରଷ୍ଟା ସାଜୁଛନ୍ତି। ଏହା କେଉଁଠି ନା କେଉଁଠି ଜଣାଇ ଦେଉଛି ଯେ ଏହି ବ୍ୟାଙ୍କ ସହିତ ଯୋଡି ହୋଇଥିବା ଚାଷୀଙ୍କ ପ୍ରତି ସରକାରଙ୍କର ଆଦୌ ଦରଦ ନାହିଁ। ଏହାକୁ କେଳେଙ୍କାରୀ ମୁକ୍ତ କରିବା ଲାଗି ଏଯାଏ ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆଯାଇଉନାହିଁ।

ରାଜନୈତିକ ମହଲ କିନ୍ତୁ ସମବାୟ ମନ୍ତ୍ରୀଙ୍କ ଭୂମିକା ଓ ଉତ୍ତରଦାୟିତ୍ବ ପ୍ରସଙ୍ଗ ଉଠାଉଛନ୍ତି। ଖୋଦ୍ ମନ୍ତ୍ରୀ ନିଜ ଭାଇ ଅଧୀନରେ ଥିବା ସମବାୟ ବ୍ୟାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କରିପାରିନାହାନ୍ତି। ରାଜ୍ୟ ସରକାର ମଧ୍ୟ ଚାଷୀଙ୍କୁ ହଜାର ହଜାର କୋଟି ଟଙ୍କା ଦେବା କଥା ଘୋଷଣା କରୁଛନ୍ତି। ହେଲେ ଏହି ଋଣ ଚାଷୀଙ୍କ ପାଖରେ ପହଞ୍ଚୁଛି କି ମଝିରେ ହଡ଼ପ ହେଉଛି, ତାର ତଦାରଖ କେବେ କରିନାହାନ୍ତି। ପ୍ରଶାସନରେ ସ୍ବଚ୍ଛତା ପାଇଁ ‘୫ଟି’ ପ୍ରଚଳନ ପରେ ବି ଯଦି ନେତା ଓ ବାବୁ ସମାଜର ସବୁଠାରୁ ସମ୍ବେଦନଶୀଳ ବର୍ଗ ବୋଲି କୁହାଯାଉଥିବା ଚାଷୀଙ୍କୁ ଲୁଟନ୍ତି ଓ ସେମାନଙ୍କୁ ସୁରକ୍ଷା ମିଳେ, ତେବେ ‘ମୋ ସରକାର’ କାହା ପାଇଁ?

ସମ୍ବନ୍ଧିତ ଖବର