ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା : ତଳେ ଗଡୁଛି ଗୋରଡ଼ି, ଚାରା ଉଭାନ୍

ବନୀକରଣ ନାଁରେ ମାଲାମାଲ୍ ବନ କର୍ମଚାରୀ

ଦଶପଲ୍ଲା : ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ସରକାର ପ୍ରତିବର୍ଷ ଯେଉଁ ଅନୁପାତରେ ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି, ବାସ୍ତବ କ୍ଷେତ୍ରରେ ତାହାର ସମ୍ପୂର୍ଣ୍ଣ ଓଲଟା କାର୍ଯ୍ୟ ଦେଖିବାକୁ ମିଳୁଛି। କିଛି ବନ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସରକାରଙ୍କୁ ଏହି ବଦନାମର ବୋଝ ମୁଣ୍ତାଇବାକୁ ପଡ଼ୁଛି। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି, ନୟାଗଡ଼ ବନଖଣ୍ତ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରେ। କୌଣସି ଉପାନ୍ତ ଅଂଚଳ ନୁହେଁ, ଖୋଦ୍‌ ସଦର ସେକ୍ସନ ଅଂଚଳର ବିଭିନ୍ନ ସ୍ଥାନରେ ହୋଇଥିବା ବନୀକରଣ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଆସୁଛି। କିନ୍ତୁ ଏହାର ରକ୍ଷଣାବେକ୍ଷଣ ବାବଦକୁ ପ୍ରତି ବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଚାଲିଥିବା ବେଳେ କେଉଁଠି ଗୋରଡ଼ି ଭାଙ୍ଗି ତଳେ ଗଡୁଛି ତ ପୁଣି କେଉଁଠି ଚାରା ରୋପଣର ଚିହ୍ନବର୍ଣ୍ଣ ନାହିଁ।

ସହରୀ ବନୀକରଣ ଯୋଜନାରେ ହୋଇଥିବା ଅନିୟମିତତାକୁ ନେଇ ବନ ବିଭାଗ ଏବେ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥଠାରୁ ଶାଳିଆଗୋଛା ପର୍ଯ୍ୟନ୍ତ କରାଯାଇଥିବା ବନୀକରଣ ଯୋଜନାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି ରାସ୍ତାର ଉଭୟ ପାର୍ଶ୍ବରେ ୪ କିମି ପର୍ଯ୍ୟନ୍ତ ବନୀକରଣ କରାଯାଇ ବିଭିନ୍ନ ପ୍ରଜାତିର ୨ ହଜାର ଚାରାରୋପଣ କରାଯାଇଥିଲା। କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବକୁ ନେଇ ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହେଉଛି। କେତେକ ସ୍ଥାନରେ ଗୋରଡ଼ି ଭାଙ୍ଗି ମାଟିରେ ଗଡ଼ୁଥିବା ବେଳେ ଅଧିକାଂଶ ସ୍ଥାନରେ ଚାରା ନଥାଇ ଖାଲି ଗୋରଡ଼ି ଖତଖାଇ ଠିଆ ହୋଇ ରହିଛି। ସ୍ଥାନୀୟ ଅଂଚଳବାସୀଙ୍କ କହିବା ଅନୁଯାୟୀ ଚାରା ରୋପଣ ପରେ ବର୍ଷତମାମ୍ କୌଣସି ବନ କର୍ମଚାରୀ ଏଥିପ୍ରତି ସାମାନ୍ୟ ଦୃଷ୍ଟି ଦେଲେ ନାହିଁ। ଯାହାକୁ ନେଇ ଚାରାଗୁଡ଼ିକ ନଷ୍ଟ ହୋଇ ଯାଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏବେ କିନ୍ତୁ ସଂପୃକ୍ତ ବନପାଳ ଏହାର ରକ୍ଷଣାବେକ୍ଷଣ ପାଇଁ ଲୋକଦେଖାଣିଆ ଭାବରେ ଗୋରଡ଼ି ମରାମତି କରୁଥିବା ବେଳେ ଶହଶହ ସଂଖ୍ୟାରେ ଚାରା ନଥିବା ଦେଖିବାକୁ ମିଳିଛି। ମରାମତି ଆଳରେ ଲକ୍ଷଲକ୍ଷ ଟଙ୍କା ଚଳୁ କରିବା ପାଇଁ ମସୁଧା ଚାଲିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସଂପୃକ୍ତ ବନପାଳଙ୍କ ମତାମତ ପାଇଁ ଯୋଗାଯୋଗ କରିଥିବା ବେଳେ ତାଙ୍କ ଫୋନ ବନ୍ଦ ରହିଛି। ଏହି ଯୋଜନା ବାଟ ମାରଣା ହେବା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି।

ସମ୍ବନ୍ଧିତ ଖବର