ବଲାଙ୍ଗୀରରେ ବନୀକରଣରୁ ବାଟମାରଣା : ଲକ୍ଷଲକ୍ଷ ଖାଇଛନ୍ତି ରେଞ୍ଜର ବାବୁ!

ମୁରିବାହାଲରୁ ଆସିଲା ଦୁର୍ନୀତିର ଚିତ୍ର

ବଲାଙ୍ଗୀର/ମୁରିବାହାଲ : ବନୀକରଣ ଦାୟିତ୍ୱରେ ଥିଲେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ। ତାଙ୍କ ସମୟରେ ୨୦୨୦-୨୧ ବର୍ଷ ପାଇଁ ୭୨୬ କୋଟି ଟଙ୍କା ଅର୍ଥ ବରାଦ ହୋଇଥିଲା। ହେଲେ ଏ ଟଙ୍କା ଜିଲ୍ଲା ସ୍ତରରେ କେମିତି ଖର୍ଚ୍ଚ ହୋଇଛି ଦେଖିଲେ ଜଣାପଡୁଛି କେବଳ କାଗଜପତ୍ରରେ କରାଯାଇଛି ବନୀକରଣ। ବନୀକରଣରେ ମହାଦୁର୍ନୀତି କରାଯାଇଛି। କିଛି ଦିନ ତଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀରର ଅଭୟକାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ବନ ବିଭାଗର ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକଙ୍କଠାରେ ପ୍ରାୟ ଅଢ଼େଇ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ସେଥିରୁ କୋଟିଏରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ସେହି ରେଞ୍ଜରେ କିଭଳି ବନୀକରଣ ହୋଇଛି ତାହା ପରଖିଲା ବେଳକୁ ବହୁ ଗଛ ଲଗା କେବଳ କାଗଜପତ୍ରରେ ହୋଇଥିବା ଜଣାପଡ଼ିଛି।

ମୁରିବାହାଲ ରେଞ୍ଜ ସଦର ମହକୁମାରୁ ଅଳ୍ପ ଦୂରରେ ରହିଛି ଘୁଷୁରାମୁଣ୍ଡା ଗ୍ରାମ୍ୟ ଜଙ୍ଗଲ। ବହୁ ପୁରୁଣା ଜଙ୍ଗଲ ଅଟେ। ସେହି ଜଙ୍ଗଲରେ ଚଳିତ ବର୍ଷ ବନୀକରଣ କାମ ହାତକୁ ନିଆଯାଇଛି। ପାଣି ଭଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କାମକୁ ଦେଖିଲେ ସବୁ କିଛି କାଗଜପତ୍ରରେ କରାଯାଇ ଅର୍ଥ ହରିଲୁଟ ଚାଲିଛି। ଅଧିକାଂଶ ସ୍ଥାନରେ ଗଛ ମରିଯାଉଥିବା ବେଳେ ଆଉ କେଉଁଠି ଚିହ୍ନବର୍ଣ୍ଣ ନାହିଁ। ମୁରିବାହାଲରୁ ବାରବନ୍ଧ ରାସ୍ତାରେ ଲାଗିଥିବା ଫଳକରୁ ଜଣାଯାଏ, ୨୦୨୦-୨୧ ବର୍ଷରେ ବନବିଭାଗ ପକ୍ଷରୁ ମନରେଗାରେ ଏଏନ୍‌ଆର୍‌ ବନୀକରଣ କାମ ହୋଇଛି। ପ୍ରକଳ୍ପ ଅଟକଳର ପରିମାଣ ୧୪ଲକ୍ଷ ୬୦ହଜାର ୯୯୮। ଗତ ୧୫.୩.୨୦୨୦ରୁ କାମ ଆରମ୍ଭ ହୋଇଥିବା ବେଳେ ଏହା ୨୦୨୩ ପର୍ଯ୍ୟନ୍ତ କାମ ସରିବ। ୪୩୦୫ଟି ଶ୍ରମ ଦିବସ ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରହିଛି। ଫଳକରୁ ଜଣାଯାଇଛି ୪୦ ହେକ୍ଟର ଜମିରେ ଗଛ ଲଗାଯାଇଛି। ଏବେ ରକ୍ଷଣାବେକ୍ଷଣ ୨୦୨୩ ଯାଏ ଚାଲିବ। ବନୀକରଣରେ ଯେତେ ଗଛ ଲଗାଯିବା କଥା ତାହା ଲାଗିନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏପରିକି ଫଳକ ପାଖରେ କିଛି ଗଛ ଲଗାଯାଇ ଭିତରକୁ ଗଲେ ସବୁ ଫମ୍ଫା। ଯାହା ଲାଗିଛି ତାହାକୁ ବି ଠିକରେ ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଗଛ ଲଗାଇ ରକ୍ଷଣାବେକ୍ଷଣ ନାଁରେ ବି ଟଙ୍କା ହରିଲୁଟ ଚାଲିଛି।

ଠିକ୍‌ ସେହିପରି ମୁରିବାହାଲରୁ ଗୁଡ଼ିଘାଟ ମୁଖ୍ୟ ରାସ୍ତାର ଘୁଷୁରାମୁଣ୍ଡା ଗାଁକୁ ଲାଗି ରହିଥିବା ଜଙ୍ଗଲରେ ବନୀକରଣ ଚଳିତ ବର୍ଷ କରାଯାଇଛି। ପ୍ରକଳ୍ପ ପାଇଁ ୨୫ଲକ୍ଷ ୫୩ହଜାର ୬୦୩ ଟଙ୍କା ଅଟକଳ ରଖାଯାଇ ବନୀକରଣ ହୋଇଛି। ଚାରିଆଡ଼େ ବାଉଁଶ ଘେରା ଦିଆଯାଇଥିବା ବେଳେ ଯେତେ ସଂଖ୍ୟାରେ ଗଛ ଲାଗିବା କଥା ତାହା ଲଗାଯାଇନି। ଅଧାରୁ କମ ସଂଖ୍ୟକ ଗଛ ଲାଗିଥିବା ଓ ତାହା ପୁଣି ଠିକ୍‌ରେ ରକ୍ଷଣାବେକ୍ଷଣ ହେଉନଥିବା ପଚରାଉଚୁରାରୁ ଜଣାପଡ଼ିଥିଲା। ଜଗୁଆଳି ବି କେହି ସେହି ଅଂଚଳରେ ନାହାନ୍ତି। ମୁରିବାହାଲ ବ୍ଲକ୍‌ ତଥା ରେଞ୍ଜ ଅଂଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ଚଳିତ ବର୍ଷ କୋଟିକୋଟି ଟଙ୍କା ବନୀକରଣରେ ଖର୍ଚ୍ଚ ହୋଇଛି। ହେଲେ ଅଧିକାଂଶ ପ୍ରକଳ୍ପରେ ହୋଇଛି ମହାଦୁର୍ନୀତି। ବହୁ ବର୍ଷ ଧରି ମୁରିବାହାଲରେ ରହି ଦୁର୍ନୀତି ଚଳାଇଥିବା ରେଞ୍ଜର ବର୍ତ୍ତମାନ ଭିଜିଲାନ୍ସ ଜାଲରେ ପଡ଼ି ଜେଲରେ ଅଛନ୍ତି। ଆଉ ସେ ଜେଲ ଯିବା ପରେ ମୁରିବାହାଲ ରେଞ୍ଜର ବନୀକରଣରୁ କେମିତି ଖାଇଛନ୍ତି ତାହାର ସବୁ ଚିତ୍ର ସାମ୍ନାକୁ ଆସିଛି। ଅନ୍ୟପଟେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ମଧ୍ୟ ରେଞ୍ଜର ଶ୍ରୀ ନାୟକଙ୍କ ସମୟରେ ସବୁ ଫାଇଲପତ୍ର ଟିକିନିଖି ଯାଞ୍ଚ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର