‘ନାସା’ ନାଁରେ ଠକେଇ ଘଟଣା : ସରକାରୀ କଳକୁ କେମିତି ଭୁତାଇଲା ସାଇବର ଠକ?

ଶୁଭ୍ରାଂଶୁଙ୍କ ପାଇଁ ସମସ୍ତେ କାନ୍ଦୁଛନ୍ତି, କାହା ଆଖିରେ ଲୁହ ନାହିଁ

ଜିଲ୍ଲାପାଳ କହିଥିଲେ ବୋଲି ଚିଠି ଲେଖିଥିଲୁ, ମୁଁ ଜାଣିନି: ଡିଇଓ
ସ୍କୁଲ ଡାକିଲା ଜରୁରି ବୈଠକ, ଆଲୋଚନା ପରେ ନିଷ୍ପତ୍ତି

ଅନୁଗୁଳ : ‘ନାସା’ ଯିବା ନୋହିଲା। ଅଧୁରା ରହିଗଲା ଆମେରିକା ୱାଶିଂଟନ୍‌ ଡିସିର ସ୍ବପ୍ନ। ନାସା ନାଁରେ ଠକାମିର ଶିକାର ହେବା ପରଠାରୁ ସ୍ବାଭାବିକ ଭାବେ ଭାଙ୍ଗି ପଡ଼ିଛନ୍ତି ଶୁଭ୍ରାଂଶୁ ଏବଂ ତାଙ୍କ ପରିବାର। ସ୍କୁଲଠୁ ନେଇ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମ‌େସ୍ତ ଦରଦ ଦେଖାଇବା ସହ କ୍ଷୋଭ ପ୍ରକାଶ କରୁଛନ୍ତି ସିନା, କିନ୍ତୁ ଉତ୍ତରଦାୟିତ୍ବ ମୁଣ୍ଡାଇବାକୁ କେହି ଆଗଭର ନୁହନ୍ତି। ‘ସମସ୍ତେ କାନ୍ଦୁଛନ୍ତି, କାହାରି ଆଖିରେ ଲୁହ ନାହିଁ’ ନ୍ୟାୟରେ ଜିଲ୍ଲା ପ୍ରଶାସନ, ପୁଲିସ ଏ ଘଟଣାର ଚେରକୁ ଖୋଜିବା ପରିବର୍ତ୍ତେ ହାତବାନ୍ଧି ବସିଛନ୍ତି। ଏହା ଶୁଭ୍ରାଂଶୁଙ୍କ ଭଳି ଜଣେ ମେଧାବୀଙ୍କ ମନୋବଳ ଏବଂ ଆତ୍ମବିଶ୍ବାସକୁ କେବଳ ଭାଙ୍ଗି ଦେଇ ନାହିଁ, ବରଂ ନୂଆ ଉଦ୍ଭାବନ କରିବାକୁ ଚାହୁଁଥିବା ଅନ୍ୟ ସୃଜନଶୀଳ ପ୍ରତିଭାଙ୍କୁ ମଧ୍ୟ ଏ ଠକେଇ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଠକେଇର ଶିକାର ଶୁଭ୍ରାଂଶୁଙ୍କ ପରିବାର ଘଟଣାର ତଦନ୍ତ ଲାଗି ପୁଲିସ, ପ୍ରଶାସନର ସହାୟତା ନ ଲୋଡ଼ି ନାହାନ୍ତି। ପ୍ରଶ୍ନ ଉଠୁଛି, ଖାଲି ଶୁଭ୍ରାଂଶୁଙ୍କ ପରିବାର ନୁହେଁ, ସରକାରୀ କଳକୁ ଏ ସାଇବର ଠକ କେମିତି ଭୂତାଇ ପାରିଲା? ଜିଲ୍ଲାପାଳଙ୍କଠାରୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପର୍ଯ୍ୟନ୍ତ କେମିତି କେହି ବି ଏଭଳି ଚିଠିର ସତ୍ୟତା ପରୀକ୍ଷା କରିବାକୁ ପଦକ୍ଷେପ ନେଲେ ନାହିଁ?

ଅନୁଗୁଳ ସହର ହୁଲୁରିସିଂହା ଦୋଳମଣ୍ଡପ ସାହିର ବ୍ୟାଗ୍‌ ସିଲେଇ କାରିଗର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁ ନାୟକ ନିଜ ହାତରେ ତିଆରି କରିଥିଲେ ରୋବୋଟିକ୍‌ ଡ୍ରୋନ ‘ମାଭିକ୍‌’। ଏହି ପ୍ରକଳ୍ପ ପାଇଁ ବିଶ୍ବର ସର୍ବବୃହତ୍‌ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ ଶୁଭ୍ର‌ାଂଶୁଙ୍କୁ ପ୍ରଶଂସା କରିଥିଲା। ‘ନାସା’ ନାଁରେ ଶୁଭ୍ରାଂଶୁଙ୍କ ଗାନ୍ଧୀମାର୍ଗ ସ୍ଥିତ ସ୍କୁଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମେଲ୍‌ ଆଇଡିକୁ ଆସିଥିଲା ଚିଠି। ନଭେମ୍ବର ୨୮ରେ ଆମେରିକା ଯିବା ପାଇଁ ଆସିଥିଲା ଡାକରା। ନାସା ନାଁରେ ଆସିଥିବା ଚିଠି ଶୁଭ୍ରାଂଶୁଙ୍କୁ ରାତାରାତି ସାରା ରାଜ୍ୟରେ ଚର୍ଚ୍ଚିତ ଚେହେରା ଭାବେ ଠିଆ କରାଇ ଦେଇଥିଲା। ଏହି ଚିଠିକୁ ବିଶ୍ବାସ କରି ସ୍କୁଲ କର୍ତୃପକ୍ଷ ବି ଭଳି ଯାଇଥିଲେ। ଆମେରିକା ଯିବା ପାଇଁ ଶୁଭ୍ରାଂଶୁଙ୍କୁ ପ୍ରାୟ ସାଢ଼େ ୪ଲକ୍ଷ ଟଙ୍କା ଲୋଡ଼ା ଥିଲା। ସରକାରଙ୍କ ଆର୍ଥିକ ସହଯୋଗ ବିନା ଯିବା ସମ୍ଭବ ନୁହେଁ। ତେଣୁ ଆର୍ଥିକ ସହଯୋଗ ପାଇଁ ସ୍କୁଲ୍‌ କର୍ତୃପକ୍ଷ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ। ଜିଲ୍ଲାପାଳ ମନୋଜ ମହାନ୍ତି ମଧ୍ୟ ‘ନାସା’ ଚିଠିର ସତ୍ୟତା ନ ପରଖି ସହାୟତା ଦେବାକୁ ବିଭାଗୀୟ ନିର୍ଦେଶକଙ୍କୁ ଚିଠି କରିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଥିବା ବେଳେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ୫୦ହଜାର ଟଙ୍କାର ସହାୟତା ଧରାଇ ଦେଇଥିଲେ।

କିନ୍ତୁ, ନାସା ନାଁରେ ଆସିଥିବା ଚିଠିରୁ ଠକେଇର ଗନ୍ଧ ମିଳିବା ପରେ ଶୁଭେଚ୍ଛା ଓ ସମ୍ବର୍ଧନା ସମ୍ଭାର ଦେଇ ଶୁଭ୍ରାଂଶୁଙ୍କୁ ଉତ୍ସାହିତ କରିଥିବା ସ୍କୁଲ ଏବଂ ସରକାରୀ କଳ ସତେ ଯେମିତି ନିଜ ମୁଣ୍ଡରୁ ଦାୟିତ୍ବ ଖସାଇ ଦେଇଛନ୍ତି। ଜିଲ୍ଲାପାଳ ଏଭଳି ଏକ ସାଇବର ଅପରାଧର ତଦନ୍ତ ଲାଗି ନିର୍ଦେଶ ଦେବା ପରିବର୍ତ୍ତେ ଚୁପ୍‌ ବସିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଘରୋଇ ସ୍କୁଲ୍‌ ସମ୍ପର୍କରେ ମୁଁ କିଛି ଜାଣି ନାହିଁ ବୋଲି କହି ହାତ ଟେକି ଦେଇଛନ୍ତି। ଶ୍ରୀ ବେହେରା କହିଛନ୍ତି, ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ବିଭାଗ କିଛି ଜାଣିନାହିଁ। ଜିଲ୍ଲାପାଳ କହିଥିଲେ ବୋଲି ଆମେ ଆର୍ଥିକ ସହାୟତା ପାଇଁ ଚିଠି ଲେଖିଥିଲୁ। ପ୍ରାଇଭେଟ୍ ସ୍କୁଲ୍‌କୁ ଆମେ ଏତେଟା ଗୁରୁତ୍ବ ଦେଉନାହୁଁ। ତା’ ପରେ କ’ଣ ହେଲା ଆମେ କିଛି ଜାଣି ନାହୁଁ ବୋଲି ଶ୍ରୀ ବେହେରା ଏ ଘଟଣା ଉପରେ କହିଛନ୍ତି।

ଯେଉଁ ଚିଠିକୁ ନେଇ ସ୍କୁଲ ଗର୍ବିତ ଥିଲା, ଠକେଇ ସନ୍ଦେହ ପରେ ତାର ପରିଚାଳନା କର୍ତ୍ତୃପକ୍ଷ ମଧ୍ୟ ଚୁପ୍‌ଚାପ୍‌ ବସିଛନ୍ତି। ଠକେଇର ଜଡ଼ କେଉଁଠି? ବିଦ୍ୟାଳୟର ଛାତ୍ର ଶୁଭ୍ରାଂଶୁଙ୍କ ସହ ଖେଳିଲା କିଏ? ସେ ନେଇ ପୁଲିସରେ ବିଧିବଦ୍ଧ ଅଭିଯୋଗ କରିବା ପରିବର୍ତ୍ତେ ସ୍କୁଲ କର୍ତୃପକ୍ଷ ଓଲଟି ଶୁଭ୍ରାଂଶୁଙ୍କ ଉପରେ ଦୋଷ ଲଦିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବିଜୟ ମୋଦୀ କହିଛନ୍ତି, ଶୁଭ୍ରାଂଶୁ ନିଜେ ନିଜେ ପ୍ରକଳ୍ପ ‘ନାସା’ ନାଁରେ ପଠାଇଥିଲେ। ସେପଟରୁ ସ୍କୁଲ ମେଲ୍‌ରେ ଚିଠି ଆସିଥିଲା। ଶୁଭ୍ରାଂଶୁ ଏବଂ ତାଙ୍କ ବାପା ବାରମ୍ବାର ସହାୟତା କରିବା ପାଇଁ ସ୍କୁଲକୁ ବାଧ୍ୟ କରିବାରୁ ଆମେ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଥିଲୁ। ପରବର୍ତ୍ତୀ ସମୟରେ ଏହା ଠକେଇ ବୋଲି ଜାଣିବାକୁ ପାଇଛୁ। ଘଟଣାକୁ ନେଇ ଆମେ ୨୪ଘଣ୍ଟାରେ ବିଦ୍ୟାଳୟ ପରିଚାଳନା କମିଟିର ଜରୁରି ବୈଠକ ଡାକିଛୁ। ଆସନ୍ତାକାଲି ଏହା ଉପରେ ଆଲୋଚନା ହେବା ପରେ କିଏ ଠକିଛି ଓ ତା’ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ନିଷ୍ପତ୍ତି ହେବ ବୋଲି ଶ୍ରୀ ମୋଦୀ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର