ଜଳସମ୍ପଦ ବିଭାଗର ଟେଣ୍ଡର୍ ପ୍ରକ୍ରିୟାରେ ଜାଲିଆତି !

ଭୁବନେଶ୍ବର : ଜଳସମ୍ପଦ ବିଭାଗରେ ଟେଣ୍ଡର୍ ଜାଲିଆତିର ଅଭିଯୋଗ ଉଠିଛି। ଇନ୍ଦ୍ରାବତୀ-କୋଲାବ ଅବବାହିକା ଅଧୀନସ୍ଥ ନବରଙ୍ଗପୁର ଜଳସେଚନ ଡିଭିଜନ୍‌ରେ ୨୪ କୋଟି ଟଙ୍କାର ଏକ ପ୍ରକଳ୍ପରେ ଜାଲିଆତିର ଗନ୍ଧ ବାରି ହୋଇଛି। ମୁଖ୍ୟଯନ୍ତ୍ରୀଙ୍କ ଦ୍ବାରା ପ୍ରକାଶ କରାଯାଇଥିବା ଏହି ଟେଣ୍ଡର୍‌ରେ ହଠାତ୍ ସଂଶୋଧନ କରାଯିବା ଘଟଣା ବିଭାଗକୁ ସନ୍ଦେହ ଘେରକୁ ଟାଣି ଆଣିଛି। ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ସୁହାଇଲା ପରି ଟେଣ୍ଡର୍ ସର୍ତ୍ତାବଳୀ ମୋଡ଼ି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।

ବଙ୍ଗଳଗୁଡ଼ାରେ ଇନ୍ଦ୍ରାବତୀ ଉପରେ ଲୋ ହାଇଟ୍‌ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍ ନିର୍ମାଣ ପାଇଁ ଗତ ୩ ତାରିଖରେ ଟେଣ୍ଡର୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ୨୪ କୋଟି ୭୩ ଲକ୍ଷ ଟଙ୍କା। ‌େଟଣ୍ଡର୍ ପ୍ରକ୍ରିୟା ପାଇଁ ବିଭିନ୍ନ ସମୟରେ ସରକାରଙ୍କ ନିୟମ ଓ ସର୍ତ୍ତାବଳୀ ପ୍ରକାଶ ପାଇଥାଏ। ଜଳସମ୍ପଦ ବିଭାଗର ଏହି ପ୍ରକଳ୍ପରେ ମଧ୍ୟ ଟେଣ୍ଡର୍ ପ୍ରକ୍ରିୟାରେ ଭାଗ ନେବା ପାଇଁ ସର୍ତ୍ତାବଳୀ ପ୍ରକାଶ ପାଇଥିଲା। ଏଥିରେ ସ୍ପଷ୍ଟ ଭାବେ ବିଭିନ୍ନ ସର୍ତ୍ତ ଓ ନିୟମ ଉଲ୍ଲେଖ ଥିଲା। କିନ୍ତୁ ୧୪.୧.୨୦୧୯ରେ ଏହି ଟେଣ୍ଡର୍‌ ବିଜ୍ଞପ୍ତିର ଏକ ସଂଶୋଧନ ବିଜ୍ଞପ୍ତି ବାହାରିଲା।

ଏହି ସଂଶୋଧନକୁ ନେଇ ବିବାଦ ଆରମ୍ଭ ହୋଇଛି। ମୂଳ ସର୍ତ୍ତାବଳୀରେ ପରିବର୍ତ୍ତନ କରି ସଂଶୋଧନ ବିଜ୍ଞପ୍ତି ବାହାରିବାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ସୁହାଇଲା ପରି ସର୍ତ୍ତରେ ସଂଶୋଧନ କରାଯାଥିବା ଅଭିଯୋଗ ହେଉଛି। ସର୍ତ୍ତାବଳୀ-୬ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଏହି ପ୍ରକଳ୍ପର ମୁଖ୍ୟ ଓ କଠିନ ଆଇଟମ୍‌ର ପରିମାଣର ବାର୍ଷିକ ୪୦ ପ୍ରତିଶତ କାମ ଅନ୍ତତଃପକ୍ଷେ ସଂପୃକ୍ତ ଠିକାଦାର ଗୋଟିଏ ବର୍ଷରେ ପୂର୍ବରୁ ସମ୍ପାଦିତ କରିଥିବେ। ଜେଡ୍‌ ଟାଇପ୍ ସିଟ୍ ପାଇଲିଙ୍ଗ୍ ଆଇଟମ୍, ଯାହାର ଅଟକଳ ମୂଲ୍ୟ ୫ କୋଟି ୭୫ ଲକ୍ଷ ଟଙ୍କା ବୋଲି ପ୍ରଥମ ବିଜ୍ଞପ୍ତିରେ ଥିଲା। କିନ୍ତୁ ସଂଶୋଧିତ ବିଜ୍ଞପ୍ତି‌େର ତାହା ନାହିଁ। ଏହା କେତେଦୂର ଯୁକ୍ତିଯୁକ୍ତ, ଅନ୍ୟ ଠିକାଦାରମାନେ ବୁଝି ପାରୁ ନାହାନ୍ତି। ପ୍ରଶ୍ନ ଉଠୁଛି, ଯଦି ମାଟି କାମଟି ମୁଖ୍ୟ ଓ କଠିନ ଆଇଟମ୍ ବୋଲି ବିବେଚିତ ହେଲା, ତେବେ ଜେଡ୍‌ ଟାଇପ୍ ସିଟ୍‌ ପାଇଲ୍‌ କଠିନ ଓ ମୁଖ୍ୟ ଆଇଟମ୍ ବୋଲି ବିଜ୍ଞପ୍ତିରେ କାହିଁକି ଦିଆଗଲା ନାହିଁ ? ଆହୁରି ମଧ୍ୟ କୌଣସି ଠିକାଦାର ବାହାର ରାଜ୍ୟର ଗାଡ଼ି ଓ ଯନ୍ତ୍ରପାତି ବ୍ୟବହାର କଲେ ଶତକଡ଼ା ଏକ ଭାଗ ଇଏମ୍‌ଡି ଡିପୋଜିଟ୍‌ର ବ୍ୟବସ୍ଥା ପ୍ରଥମ ବିଜ୍ଞପ୍ତିରେ ଥିଲା ବେଳେ ସଂଶୋଧିତ ବିଜ୍ଞପ୍ତିରେ ଏହି ସର୍ତ୍ତକୁ ଉଠାଇ ଦିଆଗଲା କାହିଁକି ? ମୁଖ୍ୟଯନ୍ତ୍ରୀ ଜାଣିଶୁଣି ନିଜର ଜଣେ ଅନୁଗତ ଠିକାଦାରଙ୍କୁ ଏହି କାମଟି ଦେବା ପାଇଁ ଏପରି ସଂଶୋଧନ କରିଛନ୍ତି ବୋଲି ଅଭିଯୋଗ ଉଠୁଛି।

ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ନିୟମକୁ କୋହଳ କଲେ ଓ ସର୍ତ୍ତାବଳୀ ଉଲ୍ଲଂଘନ କଲେ ଅନଭିଜ୍ଞ ଠିକାଦାର କାମ କରିବାର ସୁଯୋଗ ପାଇବେ। ଫଳରେ ନିମ୍ନ ମାନର କାମ ହେବାର ଆଶଙ୍କା ରହିବ ଓ ପ୍ରକଳ୍ପଟିର ଦୀର୍ଘ ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ। ଜଳସମ୍ପଦ ବିଭାଗର ସର୍ବୋଚ୍ଚ କର୍ତ୍ତୃପକ୍ଷ ଏ ଦିଗ ପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ଉଠୁଛି।

ସମ୍ବନ୍ଧିତ ଖବର