ଜଳସଂପଦ ମେକାନିକାଲ୍ ଡିଭିଜନ୍ର ଗୁମର: ମାନିଲେନି ହାଇକୋର୍ଟଙ୍କ ନିର୍ଦ୍ଦେଶ, ୬ ଯୋଡ଼ା ସ୍ବାମୀ-ସ୍ତ୍ରୀଙ୍କୁ ୮ କୋଟିର କାମ!
କଟକ : ୬ ଯୋଡ଼ା ଦମ୍ପତି, ଦୁଇ ଜଣ ବାପ-ପୁଅ ହାତେଇଛନ୍ତି ଜଳସଂପଦ ବିଭାଗର ଭୁବନେଶ୍ବର ଷ୍ଟୋର୍ସ ଏବଂ ମେକାନିକାଲ୍ ଡିଭିଜନ ଅଧୀନରେ ହୋଇଥିବା ବିଭିନ୍ନ କାମର ପାଖାପାଖି ଅଧା କାମ। ସବୁ କାମ ହୋଇଛି ଅଫ୍ ଲାଇନ୍ ଟେଣ୍ଡରରେ। ଅର୍ଥାତ ଟେଣ୍ଡର ପାଇଁ ସର୍ବସାଧାରଣ ବିଜ୍ଞପ୍ତି (ଅନଲାଇନ୍) ଆହ୍ବାନ କରି କାମ ପାଇଁ ସଂସ୍ଥା ଚୟନ କରିବା ବଦଳରେ ପାଖାପାଖି ୮ କୋଟି ଟଙ୍କାର କାମକୁ ଭାଗଭାଗ କରି ଅଫ୍ଲାଇନ୍ ଟେଣ୍ଡର ନୋଟିସ୍ ଜରିଆରେ ବାଣ୍ଟି ଦିଆଯାଇଛି। ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ନିୟମ ପାଳନ ପାଇଁ ରହିଥିବା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି କାର୍ଯ୍ୟକାରୀ କରାଯାଇ ନାହିଁ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏଭଳି ଚକିତ କଲା ଭଳି ଦୁର୍ନୀତି ଏବେ ସାମନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ୩୦ଟି ଜିଲ୍ଲାକୁ ଜଳ ସଂପଦ ବିଭାଗର ୭ଟି ମେକାନିକାଲ୍ ଡିଭିଜନ୍ ମଧ୍ୟରେ ବାଣ୍ଟି ଦିଆଯାଇଛି। ଭୁବନେଶ୍ବର ମେକାନିକାଲ୍ ଡିଭିଜନ୍ ଅଧୀନରେ ରହିଛି କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଓ ଢେଙ୍କାନାଳ ଭଳି ଜିଲ୍ଲା। ୨୦୨୧, ମାର୍ଚ୍ଚ ୪ ତାରିଖରେ ଭୁବନେଶ୍ବର ମେକାନିକାଲ୍ ଡିଭିଜନ୍ ପକ୍ଷରୁ ବିଭିନ୍ନ କାମ ପାଇଁ ଅଫଲାଇନ୍ ଟେଣ୍ଡର ଡକା ଯାଇଥିଲା। ଅର୍ଥାତ ୭ କୋଟି ୯୮ ଲକ୍ଷ ୮୦ ହଜାର ୬୬୦ ଟଙ୍କାର କାମକୁ ୩୨୨ଟି କାମରେ ଭାଗଭାଗ କରି ଦିଆଯାଇଥିଲା। ଏ ସଂପର୍କରେ ସମସ୍ତେ ସୂଚନା ପାଇବାର ବି ବ୍ୟବସ୍ଥା ନଥିଲା। ୧୦ ହଜାରରୁ ୫ ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ ହେଉଥିବା ଏଭଳି କାମ ପାଇଁ ଟେଣ୍ଡର ନୋଟିସ୍ ସଂପର୍କରେ ଓଡ଼ିଶା ୟଙ୍ଗ୍ ଏଣ୍ଟ୍ରପ୍ରିନିୟର୍ସ ଆସୋସିଏସନ୍ (ଓୱାଇଇଏ)କୁ ସୂଚନା ଦେବା ପାଇଁ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ (୨୦୨୧, ମାର୍ଚ୍ଚ ୪, ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ. ମୂରଲୀଧର ଓ ଜଷ୍ଟିସ୍ ବି. ପି.ରାଉତରାୟ) ଥିଲେ ବି ତାହାକୁ କାର୍ଯ୍ୟକାରୀ କରାଯାଇ ନଥିଲା। ଫଳରେ ୩୨୨ଟି କାମରୁ ୧୩୧ଟି କାମକୁ ନିର୍ଦ୍ଦିଷ୍ଟ ୭ ଜଣଙ୍କ ଭିତରେ ଏକପ୍ରକାର ବାଣ୍ଟି ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ୬ ଦମ୍ପତି ଓ ବାପ-ପୁଅ। ଅର୍ଥାତ କେବଳ କାଗଜକଲମରେ ସଂସ୍ଥାର ନାମ ଅଲଗା ହୋଇଥିଲେ ବି ବାସ୍ତବରେ ମାଲିକ ହେଉଛନ୍ତି ୭ ଜଣ। ସ୍ବାମୀ ଓ ସ୍ତ୍ରୀଙ୍କୁ ଅଲଗା ଅଲଗା ଏବଂ ବାପ ଓ ପୁଅଙ୍କୁ ଅଲଗା ଅଲଗା ସଂସ୍ଥାର ମାଲିକ ଦର୍ଶାଇ କାମ ଦିଆଯାଇଛି। ଏଭଳି ଢଙ୍ଗରେ ଜଣେ ଜଣେ ସ୍ବାମୀ-ସ୍ତ୍ରୀ ଅତି କମରେ ୨୪ ଲକ୍ଷରୁ ୯୧ ଲକ୍ଷରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କାମ ହାତେଇଛନ୍ତି।
ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଗଲା ପ୍ରାୟ ୮ ବର୍ଷ ହେଲା ଏଭଳି ଅଫ୍ଲାଇନ୍ ଟେଣ୍ଡର ନୋଟିସ୍ ଜରିଆରେ ବିଭାଗରେ ଅଧିକ କାମ ଚାଲିଛି। ବଡ଼ କାମକୁ ୫ ଲକ୍ଷରୁ କମ ଟଙ୍କାର ଛୋଟ କାମରେ ବିଭକ୍ତ କରି ଅଫଲାଇନ୍ ଟେଣ୍ଡର ନୋଟିସ୍ ଜରିଆରେ ବାଣ୍ଟି ଦିଆଯାଉଛି। ଏହି ସମୟରେ ବିଭାଗରେ ଯେତେ ଗୁଡ଼ିଏ ଅନଲାଇନ୍ ଟେଣ୍ଡର ହୋଇଛି, ସେଥିରେ ଗୋଟିଏ ଗୋଟିଏ ଟେଣ୍ଡରରେ ୧୫ରୁ ୩୦ ଆବେଦନକାରୀ ରହୁଥିବା ବେଳେ ଅଫଲାଇନ୍ ଟେଣ୍ଡରରେ କିନ୍ତୁ ଆବେଦନକାରୀଙ୍କ ସଂଖ୍ୟା ୨/୩ରେ ସୀମିତ ରହୁଛି। ସେଥିରେ ପୁଣି ସ୍ବାମୀ-ସ୍ତ୍ରୀ, ବାପ-ପୁଅ ଆବେଦନକାରୀ। ଆଇନର ଫାଙ୍କରେ ସଲାସୁତରାରେ ଏଭଳି କାର୍ଯ୍ୟ ଚାଲିଥିବା ବେଳେ ଏବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି। ଗୋଟିଏପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଖିଲାପ ଏବଂ ଅନ୍ୟପଟେ ସଲାସୁତରାରେ କୋଟିକୋଟି ଟଙ୍କାର କାମ ବଣ୍ଟନ କାର୍ଯ୍ୟର ସ୍ବଚ୍ଛତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।