ରତନ ପଟ୍ଟନାୟକ
 
ସୋନପୁର: ୨୦୨୩ ନଭେମ୍ବର ୧୪ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ମୟୂରଉଡ଼ାନ ପଞ୍ଚାୟତର କଇଁଫୁଲ ଗାଁରେ ଖୋଲା ବୋରୱେଲ୍‌ ଗାତରେ ପଡ଼ି ଦୁଃଖୀ ନେଗୀ ନାମ୍ନୀ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏହି ଅଘଟଣ ପରେ ରାଜ୍ୟ ସରକାର ହଠାତ୍‌ ତତ୍ପର ହୋଇଉଠିଥିଲେ। ଘଟଣାର ପରଦିନ ଅର୍ଥାତ୍‌ ୧୫ ତାରିଖରେ ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଏହି ପ୍ରସଙ୍ଗରେ ନିଗମର ସମସ୍ତ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ଏବଂ ଠିକାସଂସ୍ଥାର ପ୍ରତିନିଧିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିବା ସହ ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଳାଯାଇଥିବା ଡିପ୍‌ ବୋରୱେଲ୍‌ଗୁଡ଼ିକର ସ୍ଥିତି ସମ୍ପର୍କରେ ଯାଞ୍ଚ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ‌ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ଯାଞ୍ଚ ହୋଇଥିଲା। ତେବେ ଜିଲ୍ଲାରେ କେତେ ଗଭୀର ନଳକୂପ ଖୋଲାରେ ଥିଲା, ତାହାର ତଥ୍ୟ କିନ୍ତୁ ସମ୍ପୃକ୍ତ ବିଭାଗ ଗଣମାଧ୍ୟମକୁ ଦେଲାନାହିଁ। ଜିଲ୍ଲାରେ ସବୁ ଠିକ୍‌ଠାକ୍‌ ଥିବା କହି ବିଭାଗ ପ୍ରସଙ୍ଗକୁ ଏଡ଼ାଇ ଦେଉଛି।  ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ଯେ ସୁବର୍ଣ୍ଣପୁର ଜିଲ୍ଲାରେ ୨୦୧୫-୧୬ରେ ୮୪୦ଟି ବୋର୍‌ୱେଲ୍‌ ଖୋଳାଯାଇଥିଲା। ସେଥିମଧ୍ୟରୁ ୫୨୩ଟି ପ୍ରକଳ୍ପ ସଚଳ ଥିବା ବେଳେ ୩୧୭ଟି ଅଚଳ ରହିଥିଲା। ୨୦୧୩–୧୪ରେ ଜିଲ୍ଲାର ୧୩୦୦ ଚାଷୀ ୧ ହଜାର ଟଙ୍କା ଜମା କରିବାପରେ ଗଭୀର ନଳକୂପ ଖୋଳାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ଚାଷୀମାନେ ୧୯ ହଜାର ଟଙ୍କା ଲେଖାଏଁ ଆଉ ଜମା ନ କରିବାରୁ ସେହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରି ନଥିଲା। ଏହି ପ୍ରକଳ୍ପଗୁଡ଼ିକ ପୋତି ଦିଆଯାଇଛି ବୋଲି ବିଭାଗ କହୁଛି। ୨୦୧୩-୧୪ରେ ୧୩୦୦ଟି ଏବଂ ୨୦୧୫-୧୬ରେ ୩୧୭ଟି ଏହିପରି ମୋଟ ୧୬୧୭ଟି ଗଭୀର ନଳକୂପ ଅଚଳ ଥିବା ଦର୍ଶାଯାଇଛି। ଏବଂ ଏହି ଗଭୀର ନଳକୂପଗୁଡ଼ିକ ପୋତି ଦିଆଯାଇଥିବା ବିଭାଗ କହୁଛି। ସେହି ସମୟରେ ଗୋଟିଏ ପ୍ରକଳ୍ପ ପାଇଁ ୨ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ଆସୁଥିଲା। ଏହାକୁ ବିଚାର କଲେ ଜିଲ୍ଲାରେ ୩୨କୋଟିରୁ ଅଧିକ ଟଙ୍କାର ଘୋଟାଲା ହୋଇଥିବା ସନ୍ଦେହ ପ୍ରକାଶ ପାଇଛି। 

Advertisment

ଚାଷୀଙ୍କ ଅଭିଯୋଗ ଅନୁଯାୟୀ ଯନ୍ତ୍ରୀ ଓ ଠିକାଦାର ଏହି ଯୋଜନାରେ ତଞ୍ଚକତା କରିଛନ୍ତି। ଗଭୀର ନଳକୂପଗୁଡ଼ିକ ଯେତିକି ଖୋଳିବା କଥା ଖୋଳି ନଥିବାରୁ ପ୍ରକଳ୍ପଗୁଡ଼ିକ ଅଚଳ ହୋଇଗଲା। ପ୍ରକଳ୍ପଗୁଡ଼ିକ ଅଚଳ ଦର୍ଶାଇ କୋଟି କୋଟି ଟଙ୍କା ବିଭାଗୀୟ ଯନ୍ତ୍ରୀ ଏବଂ ଠିକାସଂସ୍ଥା ହଡ଼ପ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଉଠାଜଳସେଚନ ବିଭାଗର ତତ୍କାଳୀନ ନିର୍ବାହୀଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଏବଂ ଠିକାସଂସ୍ଥାର ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଚାଷୀଙ୍କ ପାଇଁ ଆସିଥିବା କେନ୍ଦ୍ରୀୟ ଅନୁଦାନ ଯେ ହଡ଼ପ ହୋଇଛି ତାହା ଜିଲ୍ଲାରେ ଥିବା ଅଚଳ ନଳକୂପର ସଂଖ୍ୟା ସ୍ପ‌ଷ୍ଟ କରୁଛି। ସେପଟେ ବିଭାଗୀୟ ସଚିବ ଖୋଲାଥିବା ବୋରୱେଲ୍‌ର ସ୍ଥିତି ସମ୍ପର୍କରେ ରିପୋର୍ଟ ମାଗିଥିଲେ ମଧ୍ୟ ଘୋଟାଲାର ତଦନ୍ତ ପାଇଁ କୌଣସି ନିର୍ଦ୍ଦେଶ ଦେଇନଥିଲେ। କେନ୍ଦ୍ରୀୟ ଅନୁଦାନର ହଡ଼ପ ହୋଇଥିଲେ ବି ତତ୍କାଳୀନ ରାଜ୍ୟ ସରକାର ଏହାର ତଦନ୍ତ ନକରିବା ବିଡ଼ମ୍ବନାର ବିଷୟ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ୧୬୦୦ ଗଭୀର ନଳକୂପ କାମ ନଦେବା ଗରିବ ଚାଷୀମାନଙ୍କ ସହ ଏକ ମସ୍ତବଡ଼ ତଞ୍ଚକତାକୁ ସ୍ପଷ୍ଟ କରୁଛି।