ଭୀମସାରରେ ଚାକିରି ନାଁରେ ଠକେଇ

ବୁର୍ଲା : ଭୀମ୍‌ସାରରେ ଚାକିରି କରାଇଦେବା ନାଁ ରେ ବୁର୍ଲା ସହରର ଜନୈକ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ବୁର୍ଲା ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବୁର୍ଲା ସହରର ୱାନ/ଆର୍ କଲୋନିର ଜଣେ ବ୍ୟକ୍ତି ଗାଁବୁର୍ଲା ଅଞ୍ଚଳର ହରିବନ୍ଧୁ ବାଗଙ୍କଠାରୁ ତାଙ୍କ ଦୁଇ ଝିଅଙ୍କୁ ଭିମ୍‌ସାରରେ ଚାକିରି କରାଇ ଦେବା ପାଇଁ ଟଙ୍କା ମାଗିଥିଲେ। ସେ ଗତ ୨୦୨୧ ମସିହା ମାର୍ଚ୍ଚ ୧ ତାରିଖରେ ୧୦ ହଜାର ଟଙ୍କା, ୧୬ ତାରିଖରେ ଦେଢ଼ ଲକ୍ଷ ଟଙ୍କା ଏବଂ ଜୁଲାଇ ୧୭ ତାରିଖରେ ୨ ହଜାର ଟଙ୍କା, ଏମିତି ସର୍ବମୋଟ ୧ ଲକ୍ଷ ୬୨ ଟଙ୍କା ତାଙ୍କଠାରୁ ନେଇଥିଲେ। ତାଙ୍କର ଦୁଇ ଝିଅଙ୍କୁ ଡାକ୍ତରଖାନାରେ ଆଟେଣ୍ଟଡାଣ୍ଡ ଚାକିରି କରାଇଦେବା ନାଁରେ ଭିମସାର୍ କର୍ତ୍ତୃପକ୍ଷ ଓ ଜଣେ ବଡ଼ ବାବୁଙ୍କୁ ଟଙ୍କା ଦେବାକୁ ପଡ଼ିବ ବୋଲି ସେ କହିଥିଲେ। କିନ୍ତୁ, ସେ ଚାକିରି କରାଇ ଦେଇନଥିଲେ।

ଏପଟେ ହରିବନ୍ଧୁ ତାଙ୍କୁ ଚାକିରି ନ‌େଦେଲେ ଟଙ୍କା ଫେରସ୍ତ କରିବାକୁ ଚାପ ପକାଇଥିଲେ। ଶେଷରେ ଗୁରୁବାର ଦିନ ସଂପୃ୍କ୍ତ ବ୍ୟକ୍ତି ଜଣକ ହରିବନ୍ଧୁଙ୍କ ବଡ଼ ଝିଅଙ୍କୁ ନେଇ ଷ୍ଟିୱାର୍ଡ ଅଫିସ ସମ୍ମୁଖରେ ତୋର ଡ୍ୟୁଟି ଅଛି ବୋଲି କହି ଛାଡ଼ି ଚାଲିଯାଇଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ଯୁବତୀ ଜଣକ ଘରକୁ ନିରାଶ ହୋଇ ଚାଲି ଆସିଥିଲେ। ଏପଟେ ହରିବନ୍ଧୁ ପତ୍ନୀ ଏ ସଂକ୍ରାନ୍ତରେ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର