ରାଉରକେଲା : ବିଗତ ଦିନରେ ବିଭିନ୍ନ କାମରେ ଦୁର୍ନୀତିକୁ ନେଇ ଚର୍ଚ୍ଚାରେ ରହିଥିଲା ସୁନ୍ଦରଗଡ଼ ଓ ରାଉରକେଲା ଆଇଟିଡିଏ। ଏବେ ସମାନ ଅଭିଯୋଗ ଆସିଛି ବଣାଇ ଆଇଟିଡିଏରେ। ୫ଟି ରୁପାନ୍ତରୀକରଣ ସ୍କୁଲଗୁଡ଼ିକୁ ଚେୟାର ଯୋଗାଣରେ ଦୁର୍ନୀତିର ଗନ୍ଧ ବାହାରୁଛି। କମ୍ପୁଟର ଓ ଲାଇବ୍ରେରୀ କକ୍ଷରୁ ଯେଉଁ ଚେୟାରଗୁଡ଼ିକ ଯୋଗାଇ ଦିଆଯାଇଛି, ତାହା କୌଣସି ବ୍ରାଣ୍ଡ କମ୍ପାନୀର ନୁହେଁ। ନକଲି ବ୍ରାଣ୍ଡର ଚେୟାର କିଣାଯାଇ, ବ୍ରାଣ୍ଡର ଠାରୁ ଦୁଇଗୁଣା ଅଧିକ ଦାମ ବିଲ୍ରେ ଦର୍ଶାଯାଇଛି। ଏ ସମ୍ପର୍କିତ ତଥ୍ୟ ଦେବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି। ଦୁର୍ନୀତି ଲୁଚାଇବାକୁ ବିଭିନ୍ନ ଆଳ ଦେଖାଇ ଚେୟାର କିଣା ବିଲ୍ ଦେଉ ନାହାନ୍ତି। ଏଯାଏ ଦୋକାନରୁ ମିଳି ନାହିଁ, ମିଳିଲେ ଦିଆଯିବ ବୋଲି ସଫେଇ ଦେଉଛନ୍ତି।
ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ବିଦ୍ୟାଳୟର କମ୍ପୁଟର ଓ ଲାଇବ୍ରେରୀ କକ୍ଷକୁ ବ୍ରାଣ୍ଡେଡ୍ ଚେୟାର ଯୋଗାଇଦେବାକୁ ଜିଲ୍ଲାର ତିନିଟି ଆଇଟିଡିଏକୁ ନିର୍ଦ୍ଦେଶ ଦେଇଥିଲେ। ରାଉରକେଲା ଓ ସୁନ୍ଦରଗଡ଼ ଆଇଟିଡିଏ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସ୍ଏସ୍ଡି ସ୍କୁଲଗୁଡ଼ିର କମ୍ପୁଟର ଓ ଲାଇବ୍ରେରୀ କକ୍ଷକୁ ବ୍ରାଣ୍ଡେଡ ଚେୟାର ଠିକାସଂସ୍ଥା ମାଧ୍ୟମରେ ଯୋଗାଣ କରିଥିଲେ। ବଣାଇ ଆଇଟିଡିଏ ତତ୍କାଳୀନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ବ୍ରାଣ୍ଡ କମ୍ପାନୀ ବଦଳରେ ସୁନ୍ଦରଗଡ଼ ଏକ ଫର୍ଣ୍ଣିଚର ଦୋକାନରୁ ନକଲି ବ୍ରାଣ୍ଡ ଠିକାସଂସ୍ଥା ଜରିଆରେ କିଣାଯାଇଛି। ସେଗୁଡ଼ିକ ବଣାଇ ଆଇଟିଡିଏ ଅଧୀନରେ ଥିବା ଆଦିବାସୀ ସ୍କୁଲଗୁଡ଼ିକର କମ୍ପୁଟର ଓ ଲାଇବ୍ରେରୀ ରୁମ୍କୁ ଯୋଗାଣ କରାଯାଇଛି। ନିମ୍ନମାନର ଚେୟାରକୁ ନେଇ ସ୍କୁଲ ପରିଚାଳନା କମିଟିରେ ଥିବା କିଛି ଅଭିଭାବକ ଏ ସଂକ୍ରାନ୍ତରେ ରାଜ୍ୟପାଳ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚେୟାର ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବାକୁ ଚିଠି ଲେଖିଛନ୍ତି।
ସେମାନେ ଚିଠିରେ ଦର୍ଶାଇଛନ୍ତି, ବ୍ରାଣ୍ଡ କମ୍ପାନୀର ଚେୟାରଗୁଡ଼ିକର ବଜାର ମୂଲ୍ୟ ୩ ହଜାର ୪୬୯ ଟଙ୍କା ଥିଲାବେଳେ ବଣାଇ ଆଇଟିଡିଏ ପକ୍ଷରୁ ଯୋଗାଣ ଚେୟାର ଗୋଟାକୁ ପ୍ରାୟ ୭ ହଜାର ୫୦ ଟଙ୍କାରେ କିଣାଯାଇଛି। ତା’ପୁଣି ନନ୍ବ୍ରାଣ୍ଡର କମ୍ପାନୀର। ଅର୍ଥାତ୍ ଗୋଟିଏ ଚେୟାର ଉପରେ ପାଖାପାଖି ୩,୫୦୦ରୁ ଅଧିକ ଟଙ୍କାରେ ବିଲ୍ କରାଯାଇଛି। ଏସବୁ ଚେୟାରଗୁଡ଼ିକ ବଣାଇ ବ୍ଲକ ଅନ୍ତର୍ଗତ ବାବୁନୁଆଗାଁର ବୈଦ୍ୟପାଲୀ ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ, କରେଇପୁଟ୍ ଏସ୍ଏସ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜାମଧର ଏସ୍ଏସ୍ଡି ବିଦ୍ୟାଳୟ, ବଣାଇର ଜକେଇକେଳା ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ, ଲହୁଣିପଡା ବ୍ଳକ ଅନ୍ତର୍ଗତ ଖୁଣ୍ଟଗାଁ ବାଳିକା ଶିକ୍ଷା ନିକେତନ, ଫୁଲଝର ଏସ୍ଏସ୍ଡି ବିଦ୍ୟାଳୟ, କୋଇଡା ବ୍ଲକ ଅନ୍ତର୍ଗତ ଜାମଡିହି ଏସ୍ଏସ୍ଡି ବିଦ୍ୟାଳୟ, ଡେଙ୍ଗୁଳା ସେବାଶ୍ରମ ବିଦ୍ୟାଳୟ, ବଣାଇର କସଡା ଉଚ୍ଚ ବିଦ୍ୟାଳୟକୁ ଯୋଗାଇ ଦିଆଯାଇଛି। କେବଳ ଚେୟାର ଯୋଗାଣ ନୁହେଁ ନିକଟରେ ବଣାଇ ଆଇଟିଡିଏ ପକ୍ଷରୁ ହୋଇଥିବା ଅଧିକାଂଶ କାମରେ ଏଭଳି ଦୁର୍ନୀତି ହୋଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ୧୦ଟି ବିଦ୍ୟାଳୟକୁ କେଉଁ ଠିକା ସଂସ୍ଥା ପକ୍ଷରୁ ଏମିତି ନନ୍ ବ୍ରାଣ୍ଡ ଚେୟାର ଯେଗାଣ ହୋଇଛି ? ବିଧିବଦ୍ଧ ତଦନ୍ତ ହେଲେ ଚେୟାର କିଣାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍ ହୋଇପାରନ୍ତା ବୋଲି ସ୍ଥାନୀୟ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି।