ରାଉରକେଲା: ସୁନ୍ଦରଗଡ, ରାଉରକେଲା ପରେ ବଣାଇ ଆଇଟିଡିଏରେ ଦୁର୍ନୀତିର ଗନ୍ଧ। ତା’ପୁଣି ୫ଟି ଏସ୍‌ଏସ୍‌ଡି ସ୍କୁଲରେ। ନିକଟରେ ୫ଟି ରୂପାନ୍ତରୀକରଣରେ ହୋଇଥିବା ସ୍କୁଲଗୁଡ଼ିକୁ ଠିକା ସଂସ୍ଥାଗୁଡ଼ିକ ପକ୍ଷରୁ କମ୍ପୁଟର ଓ ଲାଇବ୍ରେରୀ କକ୍ଷକୁ ଚେୟାର ଯୋଗାଇ ଦିଆଯାଇଛି। ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ବିଦ୍ୟାଳୟର କମ୍ପୁଟର ଓ ଲାଇବ୍ରେରୀ କକ୍ଷକୁ ବ୍ରାଣ୍ଡେଡ୍‌ ଚେୟାର ଯୋଗାଇଦେବାକୁ ଜିଲ୍ଲାର ତିନିଟି ଆଇଟିଡିଏକୁ ନିର୍ଦ୍ଦେଶ ଦେଇଥିଲେ। ରାଉରକେଲା ଓ ସୁନ୍ଦରଗଡ଼ ଆଇଟିଡିଏ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏସ୍‌ଏସ୍‌ଡି ସ୍କୁଲଗୁଡ଼ିର କମ୍ପୁଟର ଓ ଲାଇବ୍ରେରୀ କକ୍ଷକୁ ବ୍ରାଣ୍ଡେଡ ଚେୟାର ଠିକାସଂସ୍ଥା ମାଧ୍ୟମରେ ଯୋଗାଣ କରିଛନ୍ତି। ବଣାଇ ଆଇଟିଡିଏରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା।

Advertisment

କିଣା ଦାମଠାରୁ ଦୁଇଗୁଣା ବିଲ୍‌
ଯୋଗାଣ ତାଲିକାରେ ୧୦ରୁ ଅଧିକ ଏସ୍‌ଏସ୍‌ଡି ସ୍କୁଲ

ବଣାଇ ଆଇଟିଡିଏର ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାଙ୍କ ମଧ୍ୟରେ ଭିତିରି ସଲାସୁତୁରା କରି ନନ୍‌ବ୍ରାଣ୍ଡ ଚେୟାର ଯୋଗାଇ ଦିଆଯାଇଥିବା ସ୍ଥାନୀୟ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବଣାଇ ବ୍ଲକର ଖଗେଶ୍ବର ମୁଣ୍ଡା, ବାଣେଶ୍ବର କିସାନ, ଘନଶ୍ୟାମ ନାୟକ, ସହଦେବ କିସାନ ପ୍ରମୁଖ ନିମ୍ନମାନର ଚେୟାର ଯୋଗାଣ କରାଯାଇଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସେମାନେ ରାଜ୍ୟପାଳ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଚେୟାର ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବାକୁ ଚିଠି ଲେଖିଛନ୍ତି। ସେମାନେ ଚିଠିରେ ଦର୍ଶାଇଛନ୍ତି, ସୁନ୍ଦରଗଡ଼ ଆଇଟିଡିଏ ଚେୟାର କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ବ୍ରାଣ୍ଡ କମ୍ପାନୀର ଚେୟାରଗୁଡ଼ିକର ବଜାର ମୂଲ୍ୟ ୩ ହଜାର ୪୬୯ ଟଙ୍କା ଥିଲାବେଳେ ବଣାଇ ଆଇଟିଡିଏ ପକ୍ଷରୁ ଯୋଗାଣ ଚେୟାର ଗୋଟାକୁ ପ୍ରାୟ ୭ ହଜାର ୫୦ ଟଙ୍କାରେ କିଣାଯାଇଛି। ତା’ପୁଣି ନନ୍‌ବ୍ରାଣ୍ଡର କମ୍ପାନୀର। ଅର୍ଥାତ୍‌ ଗୋଟିଏ ଚେୟାର ଉପରେ ପାଖାପାଖି ୩,୫୦୦ରୁ ଅଧିକ ଟଙ୍କାରେ ବିଲ୍‌ କରାଯାଇଛି।

ଏସବୁ ଚେୟାରଗୁଡ଼ିକ ବଣାଇ ବ୍ଲକ ଅନ୍ତର୍ଗତ ବାବୁନୁଆଗାଁର ବୈଦ୍ୟପାଲୀ ଏସ୍‌ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟ, କରେଇପୁଟ୍‌ ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜାମଧର ଏସ୍‌ଏସ୍‌ଡି ବିଦ୍ୟାଳୟ, ବଣାଇର ଜକେଇକେଳା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ, ଲହୁଣିପଡା ବ୍ଳକ ଅନ୍ତର୍ଗତ ଖୁଣ୍ଟଗାଁ ବାଳିକା ଶିକ୍ଷା ନିକେତନ, ଫୁଲଝର ଏସ୍‌ଏସ୍‌ଡି ବିଦ୍ୟାଳୟ, କୋଇଡା ବ୍ଲକ ଅନ୍ତର୍ଗତ ଜାମଡିହି ଏସ୍‌ଏସ୍‌ଡି ବିଦ୍ୟାଳୟ, ଡେଙ୍ଗୁଳା ସେବାଶ୍ରମ ବିଦ୍ୟାଳୟ, ବଣାଇର କସଡା ଉଚ୍ଚ ବିଦ୍ୟାଳୟ। ଚେୟାରଗୁଡ଼ିକୁ ସୁନ୍ଦରଗଡ଼ର ଏକ ଫର୍ଣ୍ଣିଚର ଦୋକାନରୁ ଅଣାଯାଇଛି। ଏହାର ତଥ୍ୟ ଦେବାକୁ ବିଭାଗୀୟ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି। କେବଳ ଚେୟାର ଯୋଗାଣ ନୁହେଁ ନିକଟରେ ବଣାଇ ଆଇଟିଡିଏ ପକ୍ଷରୁ ହୋଇଥିବା ଅଧିକାଂଶ କାମରେ ଏଭଳି ଦୁର୍ନୀତି ହୋଇଥିବା ସେମାନେ ଅଭିଯୋଗ ଆଣିଛନ୍ତି। ୧୦ଟି ବିଦ୍ୟାଳୟକୁ କେଉଁ ଠିକା ସଂସ୍ଥା ପକ୍ଷରୁ ଏମିତି ନନ୍‌ ବ୍ରାଣ୍ଡ ଚେୟାର ‌ଯେଗାଣ ହୋଇଛି ? ଠିକାସଂସ୍ଥାଙ୍କୁ ବଣାଇ ଆଇଟିଡିଏର କେଉଁ ‌କେଉଁ ଅଧିକାରୀମାନେ ପ୍ରୋତ୍ସାହନ ଦେଇଛନ୍ତି ? ଏହାର ବିଧିବଦ୍ଧ ତଦନ୍ତ ହେଲେ ଚେୟାର କିଣାରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇପାରନ୍ତା ବୋଲି ସ୍ଥାନୀୟ ଅଭିଭାବକଙ୍କ ପକ୍ଷରୁ ଦାବି ହୋଇଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।