ନାଳଖୋଳାରେ ୫୦୦ କୋଟି ଘୋଟାଲା!

ଯାଜପୁର (ସଂଗ୍ରାମ ସିଂହ): ଡ୍ରେନେଜ୍‌ ନାମରେ ୫୦୦ କୋଟିର ମହାଘୋଟାଲା। ଜିଲ୍ଲାର ଲକ୍ଷାଧିକ ଚାଷୀ ଏଥିପାଇଁ ହୋଇଛନ୍ତି ତଳିତଳାନ୍ତ।

ଖାଲୁଆ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ସରକାରଙ୍କ ଜଳ ସଂପଦ ମନ୍ତ୍ରଣାଳୟ ଅଧୀନରେ ଡ୍ରେନେଜ୍‌ ଡିଭିଜନ୍‌ ଦୀର୍ଘ ଦିନରୁ କାମ କରୁଛି। ଚଣ୍ଡିଖୋଲ ଡ୍ରେନେଜ୍‌ ଡିଭିଜନ୍‌ ଅଧୀନରେ ଯାଜପୁର, କେନ୍ଦ୍ରାପଡ଼ା ଓ କଟକର ଆଂଶିକ ଅଞ୍ଚଳର ଖାଲୁଆ ଜମି ତଥା ପାଟଗୁଡ଼ିକରେ ପାଟନାଳୀ ସଫେଇ ଓ ଖନନରେ କୋଟି କୋଟି ଟଙ୍କା ପ୍ରତି ବର୍ଷ ଖର୍ଚ୍ଚ ହୋଇଛି। ମାତ୍ର ଚଣ୍ଡିଖୋଲ ଡ୍ରେନେଜ୍‌ ଡ଼ିଭିଜନ୍‌ରେ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁ ବର୍ଷ ବର୍ଷ ଧରି ଖର୍ଚ୍ଚ ହୋଇଥିବା ଶହ ଶହ କୋଟି ଟଙ୍କା ପାଣିରେ ପଡ଼ିଛି। ଯାହା ଫଳରେ ଗତ ୫ଦିନ ଲଗାଣ ବର୍ଷାରେ ହଜାର ହଜାର ଚାଷୀଙ୍କ ଲକ୍ଷାଧିକ ଏକର ଚାଷ ଜମିରୁ ଜଳ ନିଷ୍କାସନ ହୋଇ ନପାରି ଚାଷୀମାନେ ତଳିତଳାନ୍ତ ହେବାକୁ ଯାଉଛନ୍ତି। ପୂର୍ବରୁ ମରୁଡ଼ି ବେଳେ ଜଳସେଚନ ବିଭାଗର ଦୁର୍ନୀତି ପଦାରେ ପଡ଼ିଥିଲା।

ଚଣ୍ଡିଖୋଲ ଡ୍ରେନେଜ୍‌ ଡିଭଜନ ଗତ ବର୍ଷ ୨ ଭାଗ ହୋଇଛି। ଗୋଟିଏ କେନ୍ଦ୍ରାପଡ଼ା ଓ ଯାଜପୁର ଡିଭିଜନ୍‌। ପୂର୍ବରୁ ଚଣ୍ଡିଖୋଲ ଡିଭିଜନ୍‌ରେ ଥିବା କେନ୍ଦ୍ରାପଡ଼ା, କଟକ ଓ ଯାଜପୁର ଜିଲ୍ଲାରେ କୋଟି କୋଟି ଟଙ୍କା ଘୋଟାଲା ହୋଇଛି। କୋଟି କୋଟି ଟଙ୍କାରେ ନାମକୁ ମାତ୍ର ନାଳ ଓ ପାଟନାଳୀ ଖୋଳା ହୋଇଛି। ଗତ ୧୦ ବର୍ଷ ମଧ୍ୟରେ କେବଳ ଚଣ୍ଡିଖୋଲ ଡ଼ିଭିଜନ୍‌ ଅଧୀନରେ ପ୍ରାୟ ୫ ଶହ କୋଟିରୁ ଊର୍ଧ୍ୱ ଟଙ୍କାର ଡ୍ରେନେଜ୍‌ ମରାମତି କାମ ହୋଇଥିବାର କୁହାଯାଉଛି। ଗତ ୫ ଦିନ ଲଘୁଚାପ ବର୍ଷାରେ ଯାଜପୁର ଜିଲ୍ଲାର ଦଶରଥପୁର ଓ ବିଂଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷ ଜମିର ଫସଲ ବ୍ୟାପକ କ୍ଷତି ଘଟିଛି। ଏହି ବ୍ଲକ୍‌ ଦେଇ ପ୍ରବାହିତ ହୋଇଥିବା ନଦୀ ବା ନାଳ ଖୋଳା ନାମରେ ଗତ ୧୦ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଚଳୁ ହୋଇଛି।

ଚାଷୀଙ୍କ ଅଭିଯୋଗ ଅନୁଯାଇ ମାସଡା ନିକଟ ଦେଇ ପ୍ରବାହିତ ହୋଇଥିବା ଖରିଆ ନାଳ, ବରପଦା କପିଳା ଦେଇ ପ୍ରବାହିତ ହୋଇଥିବା ତେଣ୍ଟା ନାଳ, ପ୍ରୀତିପୁର ଦେଇ ପ୍ରବାହିତ ହୋଇଥିବା ଯୁଣେଇ ନଦୀ, ଅଳକୁଣ୍ଡ ଦେଇ ପ୍ରବାହିତ ହୋଇଥିବା ଭାରତୀ ନଦୀ ଖୋଳା ନାମରେ କୋଟି କୋଟି ଟଙ୍କା ହରିଲୁଟ୍‌ ହୋଇଛି। ନାଳ ଗୁଡିକ ବର୍ଷେ ଦୁଇ ବର୍ଷ ମଧ୍ୟରେ ଖୋଳାଯାଇଥିବା ଦର୍ଶାଇ ବିଭାଗୀୟ ଯନ୍ତ୍ରୀ କୋଟି କୋଟି ଟଙ୍କାର ବିଲ୍‌ କରିଛନ୍ତି। ପ୍ରକୃତ ପକ୍ଷେ ବିଲରେ ରହିଥିବା ବର୍ଷା ଜଳ ଏହି ନାଳ ଗୁଡିକରେ ପ୍ରବାହିତ ହେଉ ନାହିଁ । ବର୍ଷା ଜଳ ଚାଷ ଜମିରେ ୩/୪ଫୁଟ ଛିଡାହୋଇ ରହିଛି। ବର୍ଷା ଜଳ ନାଳ ଦେଇ ପ୍ରବାହିତ ନ ହେବା ଦ୍ୱାରା ଫସଲ ନଷ୍ଟ ହେଉଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ନାଳ ଗୁଡିକ ଠିକ ଭାବରେ ଖୋଳାଯାଇଥାନ୍ତା ତେବେ ବିଂଝାରପୁର ବ୍ଲକ୍‌ର ୨୦ରୁ ଊର୍ଧ୍ୱ ପଞ୍ଚାୟତର କୃଷକ ଏହି ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ହୋଇ ନଥାନ୍ତେ।

ରସୁଲପୁରରୁ ବରୀ ପର୍ଯ୍ୟନ୍ତ ଦୁଧେଇ ନାଳ ଖନନରେ ୪ କୋଟି ଟଙ୍କା ଖନନରେ ଖର୍ଚ୍ଚ ହୋଇଥିବା ବେଳେ ଜଳ ନିଷ୍କାସନ ହେଉ ନଥିବାରୁ ଭଅଁରା, ବାଇସିରିଆ ପ୍ରଭୃତି ପଞ୍ଚାୟତର ହଜାର ହଜାର ଚାଷ ଜମି ଉଜୁଡ଼ିଯାଇଛି। ରସୁଲପୁର ବ୍ଲକର୍‌ ଛିଣ୍ଡା ଖରସ୍ରୋତ ନାଳ ଖନନରେ ସେହିପରି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଜଳ ନିଷ୍କସନ ହୋଇନପାରିବାରୁ ଟିକରପଡ଼ା, ଭଗିରଥପୁର, ଆଦାମପୁର, ଦରକୁଣ୍ଡି ବ୍ରହ୍ମଣ ନରସିଂହପୁର, ନରୁଆ ଓ ବଡ଼କଇଁଚିର ହଜାର ହଜାର ଏକର ଚାଷ ଜମିରେ ବର୍ଷ ଜଳ ଜମି ରହି ବ୍ୟାପକ କ୍ଷତି ଘଟାଇଛି। ବଡ଼ଚଣା ବ୍ଲକ୍‌ରେ ଭୁଲୁକା ପାଟ ରୁ ଅସିଆ ମଧ୍ୟରେ ନାଳ ଖୋଳେଇରେ ୧୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାର ଦର୍ଶାଇଯାଇଛି। ମାତ୍ର ଖନନ ହୋଇ ନଥିବାରୁ ପ୍ରାୟ ହଜାରେ ଏକର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। କେନ୍ଦ୍ରାପଡ଼ା ସବଡିଭିଜନରେ ଡ଼େରାବିଶ୍‌ ବ୍ଲକ୍‌ର ଲକ୍ଷ୍ମୀନାରାୟଣ ପୁର ପଞ୍ଚାୟତର ନୂଆହାଡ଼ ପାଟ, ଛଚିଣା- ବରାହିଲୋ ପାଟ, ଗୋଲରାହାଟ ପଞ୍ଚାୟତର ନରୁଆ ପାଟ ଓ ବିଶୋକ ପାଟ ଦେଇ ଯାଇଥିବା ପାଟନାଳୀ ସଫେଇରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି।

ସମ୍ବନ୍ଧିତ ଖବର