‘ମୋ ଉପକାରୀ ବଗିଚା ଯୋଜନା’ରେ କେଳେଙ୍କାରୀ: ଜାଲିଆତି କରି ଖାଇଦେଲେ ୩.୩୩ କୋଟି

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ୍‌ରେ ‘ମୋ ଉପକାରୀ ବଗିଚା ଯୋଜନା’ରେ ଏକ ବଡ଼ଧରଣର ଦୁର୍ନୀତି ସାମ୍‌ନାକୁ ଆସିଛି। ଜାଲିଆତି କରି ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଏକ ତଦନ୍ତକାରୀ ଦଳ ବିଭାଗୀୟ ସଚିବଙ୍କୁ ଏହି ପରିମାଣର ଦୁର୍ନୀତି ସମ୍ପର୍କରେ ରିପୋର୍ଟ ଦେବାପ‌‌ରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କରୋନା ମହାମାରୀ ସମୟରେ ଆର୍ଥିକ ଅନଗ୍ରସର ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଲାଗି ରାଜ୍ୟ ସରକାର ‘ମୋ ଉପକାରୀ ବଗିଚା ଯୋଜନା’ରେ ନିଜ ବାଡ଼ିବଗିଚାରେ ପନିପରିବା, ଫଳ ଚାଷ କରିବାକୁ ପ୍ରୋତ୍ସାହିତ କରିଥିଲେ। ଏଥିପାଇଁ ପ୍ରତି ମହିଳା ପିଛା ମହାତ୍ମା ଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ ୧୦ ହଜାର ୪୭୯ ଟଙ୍କା ସହାୟତା ରାଶି ସାଙ୍ଗକୁ ଜୀବିକା ମିଶନ୍‌ ପକ୍ଷରୁ ମଞ୍ଜି ଓ ଚାରା ପାଇଁ ୨୫୦ ଟଙ୍କା ଯୋଗାଇ ଦିଆଯାଇଥିଲା। ଏହି ଯୋଜନାରେ ନୀଳଗିରି ବ୍ଲକରୁ ସର୍ବାଧିକ ୨ ହଜାର ୧୯୬, ଜଳେଶ୍ବର ବ୍ଳକରୁ ୧,୯୧୦, ଭୋଗରାଇ ବ୍ଲକରୁ ୧,୪୮୫, ଖଇରା ବ୍ଲକରୁ ୧,୨୩୩ ଜଣ ମହିଳାଙ୍କ ସମେତ ବାଲେଶ୍ବର ଜିଲ୍ଲାରୁ ୧୨ ହଜାରରୁ ଅଧିକ ମହିଳା ସାମିଲ ହୋଇଥିଲେ। ଏଥିପାଇଁ ଜିଲ୍ଲାକୁ ଆସିଥିଲା ମୋଟ୍‌ ୧୨ କୋଟି ୮୭ ଲକ୍ଷ ୪୮ ହଜାର ଟଙ୍କାର ଅନୁଦାନ। ତେବେ ଏହି ଯୋଜନାଟି ଦୁର୍ବଳ ଶ୍ରେଣୀର ମହିଳାଙ୍କ ଲାଗି ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ କିଛି ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଅଧିକାରୀଙ୍କୁ ଧରାଧରି କରି ସେମାନଙ୍କ ଘରଣୀମାନଙ୍କ ନାଁକୁ ଏଥିରେ ସାମିଲ କରିଥିଲେ।

ଆଉ କେତେକ ରାଜନେତା ପାଦେ ଆଗେଇ ଯାଇ ଆର୍ଥିକ ସ୍ବଚ୍ଛଳବର୍ଗର ମହିଳାଙ୍କୁ ଯୋଜନାରେ ସାମିଲ କରିବାକୁ ପଛାଇ ନଥିଲେ। ଏ ସଂକ୍ରାନ୍ତରେ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ମଧ୍ୟ ଆସିଥିଲା। ପ୍ରକୃତ ହିତାଧିକାରୀଙ୍କ ବ୍ୟତିରେକ ଅନ୍ୟମାନଙ୍କୁ ସାମିଲ କରାଯାଇଥିବା ନେଇ ଜିଲ୍ଲାପାଳ, ମୁଖ୍ୟଶାସନ ସଚିବ ଓ ଉଦ୍ୟାନ କୃଷି ବିଭାଗ ପଦସ୍ଥ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅନେକ ମହିଳା ଫେରାଦ ହୋଇଥିଲେ।

ରାଜ୍ୟ ସରକାରଙ୍କଠାରୁ ଏ ବାବଦରେ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ଗଲା ଏକ ସପ୍ତାହ ଧରି ଏକ ଟିମ୍ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିବାବେଳେ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଜାଣିବାକୁ ପାଇଛନ୍ତି। ନିଜ ବାଡ଼ିବଗିଚା ଦେଖାଇ ବହୁ ସ୍ବଚ୍ଛଳବର୍ଗ ମହିଳା ଉଦ୍ଦିଷ୍ଟ ଯୋଜନାରୁ ଟଙ୍କା ଉଠାଇ ନେଇଛନ୍ତି। ଯାଞ୍ଚ ସମୟରେ ୩ ହଜାର ୧୧୨ ଜଣ ମହିଳା ତଞ୍ଚକତାପୂର୍ବକ ୩ କୋଟି ୩୩ ଲକ୍ଷ ଟଙ୍କା ହରିଲୁଟ୍ କରିଥିବାର ତଦନ୍ତକାରୀ ଟିମ୍ ବିଭାଗୀୟ ସଚିବଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ତେବେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋ‌ଇନାହିଁ କି ସେମାନଙ୍କଠାରୁ ଟଙ୍କା ଆଦାୟ ହୋଇ ପାରିନାହିଁ।

ପ୍ରକାଶଥାଉକି, ଚଳିତବର୍ଷ ବାଲେଶ୍ବର ସଦର ବ୍ଲକ, ଭୋଗରାଇ, ଖଇରା ଓ ଜଳେଶ୍ବର ବ୍ଳକରେ ଆଉ ୨ ହଜାର ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏ ସଂପର୍କରେ ଜିଲ୍ଲା ଗ୍ରାମ୍ୟ ଉନ୍ନ୍ରୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ଉପକାରୀ ବଗିଚା ଯୋଜନା ଦୁର୍ବଳ ଶ୍ରେଣୀର ମହିଳାଙ୍କ ପାଇଁ ଅଭିପ୍ରେତ ଥିଲା। ଏ ସଂକ୍ରାନ୍ତୀୟ ଅନିୟମିତତା ଉପରେ ଜିଲ୍ଲା ପ୍ରଶାସନ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ତଦନ୍ତକାରୀ ଟିମ୍ ଦୁର୍ନୀତି ସଂକ୍ରାନ୍ତ ରିପୋର୍ଟ ସରକାରଙ୍କୁ ଦେଇଥିବା ସମ୍ପର୍କରେ ସେ ଜାଣିନଥିବା କହିଥିଲେ।

ସମ୍ବନ୍ଧିତ ଖବର