ନୂଆଗାଁ : ନୂଆଗାଁ ବ୍ଲକ୍‌ରେ ଚଞ୍ଚକତା କରି ହିତାଧିକାରୀଙ୍କଠାରୁ ହଜାର ହଜାର ଟଙ୍କା ଲୁଟିଥିବାର ଠୋସ୍‌ ପ୍ରମାଣ ମିଳିଛି। ଏହି ଯୋଜନାକୁ ଦଲାଲମାନଙ୍କ ହାତରେ ଟେକି ଦିଆଯାଇଛି। ସରକାରୀ କର୍ମଚାରୀଙ୍କୁ ହାତ କରି ଯାହିତାହି ଭାବେ ପାଇଖାନା ନିର୍ମାଣ କରି ଅର୍ଥ ବାଟମାରଣା କରାଯାଇଛି। ଏତିକି ନୁହେଁ ସରକାରଙ୍କୁ ଟାଗେର୍ଟ ଦେବାକୁ ଯାଇ ପାଇଖାନା ନିର୍ମାଣ କାର୍ଯ୍ୟ ନ ହୋଇ ହିତାଧିକାରୀଙ୍କ ନାଁକୁ ଟଙ୍କା ଛଡ଼ାଯାଇଛି। ଏହିସବୁ ଟଙ୍କାକୁ ଆତ୍ମସାତ୍ କରିବାକୁ ବ୍ଲକଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତେ ଦୁର୍ନୀତିରେ ସାମିଲ୍ ହୋଇଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ବାଟବଣା ହୋଇଥିବା ଜଳଜଳ ହୋଇ ଦେଖାଯାଇଛି।

Advertisment

ଖବରରୁ ପ୍ରକାଶ, ନୂଆଗାଁ ବ୍ଲକ୍‌ରେ ପ୍ରତି ଘରେ ପାଇଖାନା ନିର୍ମାଣ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଲୋକେ ବାହାରେ ମଳତ୍ୟାଗ ନ କରି ସମସ୍ତେ ଘରେ ପାଇଖାନା ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ସରକାର ପାଇଖାନା ପିଛା ୧୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି। କିନ୍ତୁ ନୂଆଗାଁ ବ୍ଲକ୍‌ରେ ଏହି ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି। ୨୦୧୩ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ପ୍ରତି ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନୂଆଗାଁ ବ୍ଲକ୍‌ରେ ଅଧାରୁ କମ୍ ପାଇଖାନା ନିର୍ମାଣ ହୋଇଥିବା ନଜିର ରହିଛି। ବ୍ଲକ୍‌ରେ ୭ହଜାର ପାଇଖାନା ଘର ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିଲେ ମଧ୍ୟ ତାହା ୨୦୧୯ ସୁଦ୍ଧା ଶେଷ ହୋଇନାହିଁ। ଜଳ ଓ ପରିମଳ ବିଭାଗ ପକ୍ଷରୁ ପାଇଖାନା କାର୍ଯ୍ୟର ତଦାରଖ କରାଯାଇ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଉଛି। ପ୍ରଥମେ ହିତାଧିକାରୀମାନେ ପାଇଖାନା ନିର୍ମାଣ କଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ୧୨ ହଜାର ଟଙ୍କା ଛଡ଼ାଯିବ। ଯେଉଁ ହିତାଧିକାରୀମାନଙ୍କ ଆର୍ଥିକ ଅବସ୍ଥା ଭଲ ନଥିବ ସେମାନଙ୍କୁ ବିଭିନ୍ନ ଗୋଷ୍ଠୀ ମାଧ୍ୟମରେ ଯୋଜନା ହାତକୁ ନେଇ ପାଇଖାନା ନିର୍ମାଣ କରି ପାରିବେ।

publive-image

ଏଭଳି ଭାବେ ପ୍ରଥମେ କିଛି ଗୋଷ୍ଠୀ ପାଇଖାନା ନିର୍ମାଣ କରିବାକୁ ଆଗେଇ ଆସି ହିତାଧିକାରୀଙ୍କ ପାଇଖାନା ନିମ୍ନମାନର କରି ଅଧାରୁ ଅଧିକ ଟଙ୍କା ଆତ୍ମସାତ୍ କରି ଦେଇଥିଲେ। ଏହା ସବୁଆଡ଼େ ଚର୍ଚ୍ଚା ହେବା ପରେ ପ୍ରଶାସନ ଗୋଷ୍ଠୀଙ୍କଠାରୁ ଛଡ଼ାଇ ନେଇ ବିଭାଗୀୟ କର୍ମଚାରୀମାନଙ୍କ ଜରିଆରେ ପାଇଖାନା ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିଲା। କର୍ମଚାରୀମାନେ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କରିବାକୁ ଯାଇ ଆଗୁଆ ହିତାଧିକାରୀଙ୍କଠାରୁ ଅର୍ଥ ଆଦାୟ କରିଥିଲେ। ଏହା ପରେ ବ୍ଲକ୍ ପ୍ରଶାସନ ଏବଂ ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ପାଇଖାନା ନିର୍ମାଣ ଯୋଜନାରେ ଲଗାଗଲା। ତଥାପି ତାହା ସଫଳ ହୋଇନଥିବା ଅଭିଯୋଗ ହୋଇଛି। କିଛିମାସ ତଳେ ପାଇଖାନା ନିମାର୍ଣ କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ତାଗିଦ୍‌ କରିଥିଲେ। ଏହା ପରେ ବ୍ଲକ୍‌ର ବିଡିଓଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଲାଗି ପଡିଥିଲେ। ତଥାପି ଏହା ଉପରୁ ପରଦା ହଟିନଥିବା ଦେଖିବାକୁ ମିଳିଛି।

ଉଦୟପୁର ପଞ୍ଚାୟତରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଆଦିବାସୀ ଗାଁ ସିଙ୍ଗପୁର ଗ୍ରାମରେ ୨୭ ପରିବାରରୁ ୨୫ ପରିବାରଙ୍କ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏଠାରେ ଦୁଇଟି ଟାଙ୍କି କରାଯାଇ ୬ଟି ନନ୍ଦ ପଡ଼ିବାର ନିୟମ ରହିଥିଲା ବେଳେ ଠିକାଦାର ୪ଟି ନନ୍ଦ ପକାଇ କାମ ସାରି ଦେଇଛି। ଗାଁର ମାର୍କଣ୍ତ ଯାନୀ, କିଶୋର ଯାନୀ ଏବଂ ଗଗନ ଯାନୀଙ୍କ ପାଇଖାନା ନିର୍ମାଣରେ ଏଭଳି ଚଞ୍ଚକତା ହୋଇଛି। କେବଳ ଏହି ୩ ଜଣ ନୁହଁନ୍ତି, ଗାଁର ସମସ୍ତ ହିତାଧିକାରୀଙ୍କ ଆଖିରେ ଧୂଳି ଦେଇ ଏଭଳି କରାଯାଇଛି। ସରକାରୀ ନିୟମ ଅନୁସାରେ ପାଇଖାନା ନିର୍ମାଣ ଶେଷ ହେବା ପରେ ଯନ୍ତ୍ରୀ ପାଇଖାନା କାର୍ଯ୍ୟର ତଦାରଖ କରି ରିପୋର୍ଟ ପ୍ରଦାନ କରିବେ। ଏହା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଛଡ଼ାଯିବ; କିନ୍ତୁ ଏଠାରେ ମୋଟା ଅଙ୍କର ପାଉଣା ପାଇ ବିଭାଗୀୟ ଯନ୍ତ୍ରୀ ଏଭଳି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। କେବଳ ଉଦୟପୁର ପଞ୍ଚାୟତ ନୁହେଁ ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ଏଭଳି ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ତେବେ ଦୋଷୀମାନଙ୍କ ବିରୋଧରେ ବିଭାଗୀୟ ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଛି ବୋଲି ଚର୍ଚ୍ଚା ହେଉଛି। ଦୁର୍ନୀତି ଏତିକିରେ ଶେଷ ହେଇନି, ସରକାରଙ୍କୁ ଟାଗେର୍ଟ ଦେବାକୁ ଯାଇ ହିତାଧିକାରୀ ପାଇଖାନା ନିର୍ମାଣ ନ କରି ସେମାନଙ୍କ ନାଁରେ ପାଇଖାନା ନିର୍ମାଣ ହୋଇଥିବା ଦର୍ଶାଯାଇଛି। ଏହାର ଏକ ଖୋଳତାଡ଼ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଲୋକେ ଚାହିଁ ବସିଛନ୍ତି।