୧୫ ଜର୍ଦ୍ଦା ପ୍ରସ୍ତୁତକାରୀ ସଂସ୍ଥାରେ କେଳେଙ୍କାରୀ : ୨ କୋଟି ଟଙ୍କା ଜରିମାନା ଆଦାୟ

ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢ଼ଉ

କଟକ : ଜର୍ଦ୍ଦା ମସଲା କାରବାରରେ ବି କେଳେଙ୍କାରୀ। ଗୋଟିଏ ୱେ ବିଲ୍‌ରେ ଦୁଇ ଥର ସମ୍ବଲପୁରର ଜର୍ଦ୍ଦା ମସଲା କମ୍ପାନିରୁ ବ୍ୟବସାୟୀକ ପ୍ରତିଷ୍ଠାନକୁ ମାଲ୍ ପରିବହନ କରାଯାଇଛି। ଏଭଳି କେଳେଙ୍କାରୀ ରାଜ୍ୟର ୧୫ଟି ଜର୍ଦ୍ଦା ମସଲା କାରବାର କରୁଥିବା ସଂସ୍ଥା ବିରୋଧରେ ଆସିଛି। ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଏହି ପ୍ରତିଷ୍ଠାନ ଗୁଡ଼ିକ ଉପରେ ଚଢ଼ଉ କରିଛି। ସେମାନଙ୍କ ମଧ୍ୟରୁ ୧୩ଟି ଫାର୍ମରୁ ୨ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛି। ସମ୍ବଲପୁରରେ ଥିବା ୨ଟି ବୃହତ ଜର୍ଦ୍ଦା ଓ ପାନ ମସଲା ତିଆରି କାରଖାନାରେ ଏବେ ସୁଦ୍ଧା ଚଢ଼ଉ ଜାରି ରହିଛି। ଚଢ଼ଉ ବେଳେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ହାତରେ ମାଲ୍ ପରିବହନ ବାବଦରେ ବେଆଇନ କାଗଜପତ୍ର, କମ୍ପ୍ୟୁଟର, ଲାପଟପ, ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ବାଡ୍ ୨ଟି ଜର୍ଦ୍ଦା ତିଆରି କାରଖାନା ଓ ୧୩ଟି ବ୍ୟବସାୟ ପ୍ରତିଷ୍ଠାନ ଗଲା ୧୧ ତାରିଖ ଶୁକ୍ରବାର ଚଢ଼ଉ କରାଯାଇଥିଲା। ଏହାବାଦ ଦୁଇଟି ଟ୍ରାନପୋର୍ଟ ସଂସ୍ଥାରେ ବି ଚଢ଼ଉ ହୋଇଥିଲା। ଭୁବନେଶ୍ବର, ଜଟଣୀ, ଯାଜପୁର, ଭଦ୍ରକ, ବାଲେଶ୍ବର, ବାରିପଦା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିରରେ ଥିବା ଏହି ସଂସ୍ଥାରେ ଚଢ଼ଉ ହୋଇଥିଲା। ସମ୍ବଲପୁର ନିକସ୍ଥ ଜୁଜୁମରାଠାରେ ୩ଟି ଜର୍ଦ୍ଦା ବୋଝେଇ ଟ୍ରକ ଜବତ ହୋଇଥିଲା। ଏହି ଟ୍ରକ ଗୁଡ଼ିକରେ ପ୍ରାୟ ୧ କୋଟି ୧୦ ଲକ୍ଷ ଟଙ୍କାର ଜର୍ଦ୍ଦା ଚାଲାଣ ହେଉଥିଲା। ଏହି ଜର୍ଦ୍ଦା ମେସର୍ସ କେପି ସୁଗନ୍ଧ ଲିମିଟେଡ୍ ଏବଂ ମେସର୍ସ ନାରାୟଣୀ ଟ୍ରେଡିଂ କମ୍ପାନିର ବୋଲି ଜଣାପଡ଼ିଥିଲା। ତେବେ ଜର୍ଦ୍ଦା ଗୁଡ଼ିକ ସମ୍ବଲପୁରରୁ କଟକ ସମେତ ଭୁବନେଶ୍ବର ଓ ଜଟଣୀ ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଥିଲା। ଟ୍ରକ ଡ୍ରାଇଭରଙ୍କୁ ପଚରାଉଚରା ପରେ ସେମାନେ ୧୧ ତାରିଖରେ ଯେଉଁ ୩ଟି ଓ୍ବେ ବିଲ୍ ବଳରେ ମାଲ ପରିବହନ କରୁଥିଲେ ଉକ୍ତ ଓ୍ବେ ବିଲ୍ ଜରିଆରେ ୧୦ ତାରିଖରେ ମଧ୍ୟ ସମ୍ପୃକ୍ତ ସଂସ୍ଥାକୁ ମାଲ ପରିବହନ କରିଛନ୍ତି। ଗୋଟିଏ ଓ୍ବେ ବିଲ୍ ବଳରେ ଦୁଇଥର ମାଲ୍ ପରିବହନ ହୋଇଥିବା ସ୍ପଷ୍ଟ ହୋଇଥିଲା। ସମ୍ବଲପୁର ମେସର୍ସ ଟ୍ରାନ୍ସପୋର୍ଟ କମ୍ପାନି ପକ୍ଷରୁ ଏହି ମାଲ୍ ବେଆଇନ ଭାବେ ଚାଲାଣ କରାଯାଇଥିବାରୁ କମ୍ପାନି ମାଲିକଙ୍କୁ ନୋଟିସ୍ ଜାରି କରାଯିବା ସହିତ ଜିଏଟି ଆଇନର ଧାରା ୧୨୯ ବଳରେ ଏକ କୋଟି ୨୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଓ୍ବେବିଲରେ ୧୦ ତାରିଖ ଏବଂ ୧୧ ତାରିଖରେ ମାଲ୍ ପରିବହନ ହୋଇଥିବାରୁ ମାଲ୍ ଖରିଦ୍ କରିଥିବା କଟକ, ଭୁବନେଶ୍ବର ଓ ଜଟଣୀର ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ବିପୁଳ ପରିମାଣର ହିସାବ ବହିର୍ଭୁତ ମାଲ୍ ଠାବ କରାଯାଇଛି। ୧୧ ତାରିଖରେ ସମ୍ବଲପୁରସ୍ଥିତ ମେସର୍ସ କେପି ସୁଗନ୍ଧ ଲିମିଟେଡ୍ ଓ ମେସର୍ସ ନାରାୟଣୀ ଟ୍ରେଡିଂ କମ୍ପାନି ପରିସରରେ ଯାଞ୍ଚ ବେଳେ ହିସାବ ବର୍ହିଭୂତ କାଗଜପତ୍ର ଠାବ କରାଯାଇଛି। କମ୍ପାନି ମାଲିକମାନେ ଏନଫୋର୍ସମେଣ୍ଟ ସ୍କ୍ବାଡକୁ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ସେମାନଙ୍କୁ ତୁରନ୍ତ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର

Comments are closed.