କୃଷି ବିଭାଗରେ କେଳେଙ୍କାରୀ : ୨୭୫ କୋଟି ଲୁଟ୍ ଷଡ଼୍‌ଯନ୍ତ୍ର

ଖର୍ଚ୍ଚ ନ କରି ବିନିଯୋଗ ପ୍ରମାଣପତ୍ର କେନ୍ଦ୍ରକୁ ଦେଇଦେଲେ

ଭିଜିଲାନ୍ସ ଧରପଗଡ଼ ନାହିଁ, କ୍ରାଇମବ୍ରାଞ୍ଚର ବାବୁମାନେ ବି ଚୁପ୍‌
ସଚିବାଳୟ ବାବୁ, ମନ୍ତ୍ରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟ୍ ଉଦ୍ୟମ

ଭୁବନେଶ୍ୱର : ସରକାରୀ ବାବୁମାନେ ନିୟମକୁ କେବଳ ନିଜ ଢଙ୍ଗରେ ମୋଡ଼ିବାରେ ସିଦ୍ଧହସ୍ତ ତାହା ନୁହେଁ, ଏତେ ବେଫିକର ହୋଇଗଲେଣି ଯେ ଯୋଜନା ଅର୍ଥ ଆଦୌ ଖର୍ଚ୍ଚ ନ କରି କୋଟି କୋଟି ଟଙ୍କା ବିନିଯୋଗ ପ୍ରମାଣପତ୍ର ଦେବା ଲାଗି ମଧ୍ୟ ଦୁଃସାହସ କରୁଛନ୍ତି। ବିଭାଗର ସଚିବ ଏକଥା ଜାଣିପାରୁନାହାନ୍ତି କି ମନ୍ତ୍ରୀ। ରାଜ୍ୟ ସରକାରଙ୍କ ଯୋଜନ ଓ ସଂଯୋଜନ ବିଭାଗ କିମ୍ବା ଉନ୍ନୟନ କମିସନର ଅର୍ଥବା ଅର୍ଥ ବିଭାଗ ବି ଏହାର ଟେର୍ ପାଇପାରୁନାହାନ୍ତି।

ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଆର୍ଥିକ କ୍ଷେତ୍ର ଓ ସରକାରୀ ଉଦ୍ୟୋଗ ସଂପର୍କିତ୍ ଅଡିଟ୍ କଲା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହା ସୂଚାଇ ଦେଉଛି ସରକାରୀ କଳ ଯେମିତି ଅକାମୀ ହେଇଗଲାଣି। ପ୍ରକଳ୍ପରେ କେବଳ ତ୍ରୁଟି ବିଚ୍ୟୁତି ଭିତରେ କେଳେଙ୍କାରୀ ସୀମିତ ନାହିଁ, ବାବୁମାନେ ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି କେନ୍ଦ୍ର ସରକାରଙ୍କୁ ମିଥ୍ୟା ତଥ୍ୟା ଦେବା ଲାଗି ମଧ୍ୟ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ଅନ୍ୟଥା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୭୫ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ କେନ୍ଦ୍ର ସରକାରଙ୍କୁ ମିଛ ବିନିଯୋଗ ପ୍ରମାଣପତ୍ର ଦିଆଗଲା କେମିତି?

ଏବେ ପ୍ରଶ୍ନ ଉଠୁଛି, କେବଳ ଏହି ଯୋଜନାରେ ଏଭଳି ସାଂଘାତିକ ଷଡ଼୍‌ଯନ୍ତ୍ର ସୀମିତ ରହିଛି ନା ଅନ୍ୟ କୌଣସି ଯୋଜନାରେ କରାଯାଇଛି? ରାଜ୍ୟ ସରକାରଙ୍କ ବଡ଼ ବାବୁମାନେ ସିଏଜି ରିପୋର୍ଟ ଦେଖିବା ପରେ ତନାଘନା କଲେଣି ନା ନାହିଁ? ଯଦି କେବଳ ଏହି ଗୋଟିଏ ଯୋଜନାରେ ସୀମିତ ରହିଛି, ତେବେ ସଂପୃକ୍ତ ବିଭାଗର ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ସେ ବାବୁମାନେ ଚାକିରିରେ ଅଛନ୍ତି ନା ବିଦା ହେଲେଣି? ଆଉ କେତେ ବଡ଼ ଭୁଲ୍‌ କଲେ ସରକାର କାର୍ଯ୍ୟାନୁଷ୍ଠାନ ନେବେ? ଏସବୁକୁ ନେଇ ପ୍ରଶାସନିକ ଓ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଲାଣି।

Facebook

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିୱାଇ)ରେ ପ୍ରକଳ୍ପଗୁଡିକ ପାଇଁ ଭାରତ ସରକାର ୨୦୧୪-୧୫ ମସିହାରେ ୧୦୦ ପ୍ରତିଶତ ଅନୁଦାନ ଦେଉଥିଲେ। ୨୦୧୫-୧୬ ମସିହାଠାରୁ ଏହି ଯୋଜନାରେ କେନ୍ଦ୍ରୀୟ ଅନୁଦାନ ହାର ବଦଳିଲା। ଅର୍ଥାତ୍ ୬୦ ପ୍ରତିଶତ କେନ୍ଦ୍ର ସରକାର ଦେଲେ ଓ ବାକି ୪୦ ପ୍ରତିଶତ ଅନୁଦାନ ଥିଲା ରାଜ୍ୟ ସରକାରଙ୍କର। ଏହି ଯୋଜନାର ମାର୍ଗଦର୍ଶିକା କହୁଛି, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ହେଉଛି ଆର୍‌କେଭିଵାଇର ନୋଡାଲ୍ ବିଭାଗ। ଏହି ବିଭାଗ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ମିଳୁଥିବା ପାଣ୍ଠିର ପରିଚାଳନା କରିବେ।

ପ୍ରଣୟନକାରୀ ସଂସ୍ଥାମାନଙ୍କୁ ଅର୍ଥ ବଣ୍ଟନ କରିବେ ଏବଂ ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରିବେ।

ସିଏଜି ଅନୁଧ୍ୟାନ କରିବା ବେଳେ ଦେଖାଗଲା ଯେ ୨୦୧୭-୧୮ ମସିହା ମଧ୍ୟରେ ଏହି ଯୋଜନାରେ କେନ୍ଦ୍ର ସରକାର ୧୮୧୩ କୋଟି ୧୭ଲକ୍ଷ ଟଙ୍କା ଦେଇଛନ୍ତି। ରାଜ୍ୟ ପାଣ୍ଠିକୁ ମିଶାଇ ମୋଟ ୨୪୨୧ କୋଟି ୭୬ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ବିଭାଗ ସରକାରଙ୍କୁ ଦେବା କଥା। ହେଲେ ୧୧୦.୫୨ କୋଟି ଟଙ୍କା ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇନଥିବା ଅଡିଟ୍ ବେଳେ ଜଣାପଡ଼ିଥିଲା। କିନ୍ତୁ ନଥିପତ୍ର ଯାଞ୍ଚ ବେଳେ ଦେଖାଗଲା ଯେ ୧୫ଟି ଜିଲ୍ଲାରେ ୩୮୫ କୋଟି ୭୯ଲକ୍ଷ ଟଙ୍କା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଖର୍ଚ୍ଚ ହୋଇନାହିଁ। ଯେହେତୁ ୧୧୦ କୋଟି ୫୨ଲକ୍ଷ ଟଙ୍କା ବିନିଯୋଗ ପତ୍ର ଦାଖଲ ବାକି ଥିବା, ଏକଥା ସ୍ପଷ୍ଟ ହୋଇଯାଇଥିଲା ଯେ ମିଛରେ ଖର୍ଚ୍ଚ ହୋଇଛି ଦର୍ଶାଇ ବାବୁମାନେ ୨୭୫ କୋଟି ୨୭ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇ ଦେଇଛନ୍ତି। ଭାରତ ସରକାରଙ୍କୁ ମଧ୍ୟ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏଭଳି ଏକ ସାଂଘାତିକ ଅନିୟମିତତା ଘଟଣାକୁ କିଭଳି ବାବୁମାନେ ଜାଣିପାରିଲେ ନାହିଁ, ସର୍ବୋପରି ଏହି ଟଙ୍କା ଆଉ କେଉଁଠାରେ ଖର୍ଚ୍ଚ ହୋଇଥାନ୍ତା, ଅଥବା ମିଥ୍ୟା ବିଲ୍ କରି ସମ୍ପୂର୍ଣ୍ଣ ହଡ଼ପ ହୋଇଥାନ୍ତା ଏଭଳି ଅନେକ ସନ୍ଦେହ ଏବେ ଉଙ୍କି ମାରିଲାଣି।

Flickr

ଗୋଟିଏ ଦୁଇଟି ଉଦାହରଣ ନେଲେ କୃଷି ବିଭାଗରେ ଚାଲିଥିବା କେଳେଙ୍କାରୀ ସଂପର୍କରେ ଆହୁରି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ। ରାଜ୍ୟସ୍ତରୀୟ ଅନୁମୋଦନ କମିଟି ସ୍ଥିର କଲେ ଯେ ରାୟଗଡ଼ା କାଶୀପୁରର ଉଦ୍ୟାନ କୃଷକଙ୍କ ପାଇଁ ଏକ ତାଲିମ କେନ୍ଦ୍ର ୭୩ଲକ୍ଷ ୫୦ ହଜାର ଟଙ୍କାରେ ଖୋଲାଯିବ। ଫୁଲ ବ୍ୟବସାୟ ତଥା ଅମଳ ପରବର୍ତ୍ତୀ ପରିଚାଳନା ପାଇଁ ଭୁବନେଶ୍ବର ୟୁନିଟ୍ ୯ରେ କୁସୁମ ବାଟିକା ହେବ, ଯେଉଁଥିରେ ୬୪ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ ହେବ। ଉଦ୍ୟାନ କୃଷି ନିର୍ଦେଶକଙ୍କୁ ଏ ସଂକ୍ରାନ୍ତ ଅନୁମତି ପ୍ରଦାନ କରାଯାଇଥିଲା।

ହେଲେ ଦେଖାଗଲା, କାଶୀପୁରଠାରେ ଆଉ ଗୋଟିଏ ଉଦ୍ୟାନ କୃଷି ତାଲିମ କେନ୍ଦ୍ର ଥିବାରୁ ୨୦୧୬ ମାର୍ଚ୍ଚ ମାସରେ ଉଦ୍ୟାନ କୃଷି କେନ୍ଦ୍ର ପ୍ରତିଷ୍ଠା ପ୍ରକଳ୍ପ ବନ୍ଦ କରିଦିଆଗଲା। ଭୁବନେଶ୍ବରରେ ଫୁଲଚାଷ ବଜାରର ସମନ୍ବିତ ବିକାଶ ନାମକ ଅନ୍ୟ ଏକ ପ୍ରକଳ୍ପର କାର୍ଯ୍ୟସ୍ଥଳୀ ପରିବର୍ତ୍ତନ କରାଯାଇଥିବା ପରିପ୍ରେକ୍ଷୀରେ ଅନୁମୋଦିତ ପ୍ରକଳ୍ପ ଆଉ କାର୍ଯ୍ୟକାରୀ ହେଲା ନାହିଁ। ହେଲେ ଏହି ଦୁଇଟି ପ୍ରକଳ୍ପ ବାବଦରେ ଅନୁମୋଦିତ ଅର୍ଥ ବିନିଯୋଗ ହୋଇଯାଇଛି ବୋଲି ବାବୁମାନେ ୨୦୧୪ ଅକ୍ଟୋବର ଓ ୨୦୧୫ ଜୁଲାଇରେ ଦର୍ଶାଇ କେନ୍ଦ୍ର ସରକାରଙ୍କୁ ପଠାଇଦେଲେ।

ଅଡିଟ୍ ତନାଘନା ବେଳେ ତତ୍କାଳୀନ ଉଦ୍ୟାନ କୃଷି ବିଭାଗ ୨୦୧୮ ଜୁଲାଇ ବେଳକୁ ଜଣାଇଲେ, ୭୪ଲକ୍ଷ ଟଙ୍କା ସେମାନେ କୃଷି ସଂପ୍ରସାରଣ ପରିଚାଳନା ସଂସ୍ଥାକୁ ଦେଇଛନ୍ତି। ଫୁଲବଜାର ଚାଷ ସଂପର୍କରେ ଅଡିଟ୍‌ ଟିମ୍‌କୁ ସ୍ବତନ୍ତ୍ର ଶାସନ ସଚିବ କହିଛନ୍ତି, ପ୍ରତିଶ୍ରୁତି ବଦ୍ଧ ଅର୍ଥ ପରିପ୍ରେକ୍ଷୀରେ ଏହି ବିନିଯୋଗ ପ୍ରମାଣପତ୍ର ଦିଆଯାଇଛି।

ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଏହି ଦୁଇଟି ଉଦାହରଣ ସୂଚାଇ ଦେଉଛି ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର କାର୍ଯ୍ୟନ୍ବୟନ କିଭଳି ହେଉଛି? କେନ୍ଦ୍ର ସରକାରଙ୍କ ଯୋଜନା ବାବଦ ଅର୍ଥ ଇମେଜ୍ ବା କୃଷି ବିଭାଗରେ ରହିବା ଲାଗି ଆସିନଥିଲା। ବିଭାଗର ଅଧିକାରୀଙ୍କ ଷଡ୍‌ଯନ୍ତ୍ର କାରଣରୁ ଯୋଜନା ବାଟବଣା ହୋଇଯାଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ କ୍ରାଇମବ୍ରାଞ୍ଚ ବା ଭିଜିଲାନ୍ସ ଏଭଳି କୋଟି କୋଟି ଟଙ୍କା ହଡ଼ପ ଯୋଜନାରେ ଚୁପ୍ କାହିଁକି ରହିଛି? ୫୦ଲକ୍ଷ ବା କୋଟିଏ ଟଙ୍କାର ସଂପତ୍ତି ବାହାରିଲେ ତନାଘନା କରି ପ୍ରଚାରରେ ମାତିଥିବା ଭିଜିଲାନ୍ସ ୨୭୫ କୋଟି ଟଙ୍କା କେଳେଙ୍କାରୀ ମାମଲାରେ ପଶିବନି? ବାବୁମାନେ କାଗଜପତ୍ରରେ ରଫାଦଫା କରିଦେବେ?

ସମ୍ବନ୍ଧିତ ଖବର