ତିରୁଣା କୃଷି ସମବାୟ ସମିତିର କେଳେଙ୍କାରୀ: ଚାଷୀଙ୍କ ଅଜାଣତରେ ଋଣ ଉଠିଛି, ସୁଧ ବି ପଇଠ ହୋଇଛି

ଗାରୋଇ : ନାଉଗାଁ ବ୍ଲକ ତିରୁଣା ପ୍ରାଥମିକ ସେବା ସମବାୟ ସମିତିରେ ଆଉ ଜଣେ ଚାଷୀଙ୍କ ଅଜାଣତରେ ଋଣ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ବିଭିନ୍ନ ଚାଷୀଙ୍କ ନା‌ମରେ ସମିତିର ପିଅନ ସୋଭନି ମଲ୍ଲିକ ଏକାଧିକ ଋଣ ଅର୍ଥ ଉଠାଇ ହଡ଼ପ କରିଥିବା ପ୍ରମାଣ ମିଳିଥିଲେ ସୁଦ୍ଧା ବିଭାଗୀୟ କର୍ତୃପକ୍ଷ ଚୁପ୍‌। ପ୍ରଥମେ ୩ ଜଣ ଚାଷୀଙ୍କ ଅଭିଯାଗକ୍ରମେ ଏପରି ଋଣ ଅର୍ଥ ଉଠାଇ ହଡ଼ପ କରାଯାଇଥିବା ପ୍ରମାଣ ମିଳିଥିଲା। ଏବେ ତେଂଟୋଇ ଗ୍ରାମର ଜଣେ ଅନୁସୂଚିତ ଜାତିର ମହିଳା ଲତା ସେଠୀ(୪୧), ସ୍ବାମୀ କୃଷ୍ଣଚନ୍ଦ୍ର ସେଠୀ ସମାନ ଅଭିଯୋଗ କରିଛନ୍ତି। ଲତା ଅଭିଯୋଗ କରିଛନ୍ତି, ୨୦୧୪ରେ ତାଙ୍କ ନାମରେ ୨୦ ହଜାର ଟଙ୍କାର ଋଣ ଉଠାଯାଇଛି। ଏପରିକି ୨୦୧୭ ପର୍ଯ୍ୟନ୍ତ ଋଣ ବାବଦ ସୁଧ ମଧ୍ୟ ପୈଠ କରାଯାଇଛି। ବତର୍ମାନ ସୁଧ ସହିତ ଋଣ ପରିମାଣ ୩୭ ହଜାର ଟଙ୍କା ବୋଲି ସମିତିର ସମ୍ପାଦକ ରଂଜନ ବେହେରା ପ୍ରକାଶ କରିବାରୁ ପୁଣି ଏକ ଋଣ ହଡ଼ପ ତଥ୍ୟ ସାମ୍ନାକୁ ଆସିଛି। ତାଙ୍କର ଜାଲ୍‌ ଦସ୍ତଖତରେ ଏହି ଋଣ ଉଠାଯାଇଛି। ତେଣୁ ଋଣ କିଏ ନେଲା ଓ ସୁଧ କିଏ ଦେଉଥିଲେ ତାହା ତଦନ୍ତ ସାପେକ୍ଷ।

ଲତା କହିଛନ୍ତି ୨୦୦୯ରେ ପିଅନ ସୋଭନି ମଲ୍ଲିକ ତାଙ୍କ ଘରେ ପହଞ୍ଚି ସମିତିର ଜଣେ ସଭ୍ୟ କରିବାକୁ ତାଙ୍କ ଦସ୍ତଖତ ନେଇଥିଲେ। ତା ପର ଠାରୁ ସେ କେବେ ସମିତିକୁ ଯାଇନାହାନ୍ତି। ଗତ ଜୁନ ମାସରେ ମହିଳା ସ୍ବୟଂ ସହାୟକ ୫ ଜଣିଆ ଗ୍ରୁପ୍‌ରେ ସେ ସଦସ୍ୟା ଥିବା ବେଳେ ପ୍ରାଥମିକ ସେବା ସମବାୟ ସମିତିରୁ ମିଳୁଥିବା ୫୦ ହଜାର ଟଙ୍କାର ଋଣ ପାଇଁ ଗ୍ରୁପ୍‌ର ସମସ୍ତ ସଦସ୍ୟ ଆଧାର କାର୍ଡ, ଭୋଟ ପରିଚୟ ପତ୍ର ଓ ଋଣ ପାଇଁ ଆବଶ୍ୟକ କାଗଜ ପତ୍ର ସମିତିରେ ଜମା ଦେଇଥିଲେ। ୬ ମାସ ହେଲା ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଗତ ବୁଧବାର ଦିନ ଋଣ ବିଷୟ ବୁଝିବାକୁ ସମିତିର ସଭାନେତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ସେହିଦିନ ଜାଣିବାକୁ ପାଇଲେ ଯେ ୨୦୧୪ରୁ ତାଙ୍କ ନାମରେ ଏହି ବ୍ୟକ୍ତିଗତ ଋଣ କରାଯାଇଛି। ଋଣ ଖିଲାପୀ ତାଲିକାରେ ନାମ ଥିବାରୁ ତାଙ୍କୁ ସାନି ଋଣ ମିଳିବ ନାହିଁ ବୋଲି ସମିତି ପକ୍ଷରୁ କୁହାଯାଇଥିଲା। ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସ୍ବାମୀ କୃଷ୍ଣଚନ୍ଦ୍ର ଓ ଗାଁ ୨ ଜଣ ମୁରବିଙ୍କୁ ସାଙ୍ଗରେ ନେଇ ଆଜି ଦିନ ୧୧ ଟାରେ ସମିତିକୁ ଯାଇଥିଲେ। ଗତ ଜୁନ ୫ ତାରିଖରେ ଜଗତସିଂହପୁର ସହକାରୀ ରେଜିଷ୍ଟ୍ରାରଙ୍କ (ଏଆରସିଏସ)ଙ୍କକାର୍ଯ୍ୟାଳୟ ପକ୍ଷରୁ ପିକେ ମହାପାତ୍ର ଓ ଶିବ ପ୍ରସାଦ ମହାନ୍ତିଙ୍କ ତତ୍ତ୍ବାବଧାନରେ ସମିତିର ପରିଚାଳନା କମିଟିର ସଭାପତି କମଳାକାନ୍ତ ପରିଡା, ସମ୍ପାଦକ ରଂଜନ ବେହେରା, ପିଅନ ସୁବନି ମଲ୍ଲିକଙ୍କ ଉପସ୍ଥିତିରେ ପ୍ରଥମେ ଅଭିଯୋଗ କରିଥିବା ଉତ୍ତର ଗାଁ ର ଉର୍ମିଳା ଲେଙ୍କା ଓ ଡାବର ପଂଚାୟତର ଦେଓପଡା ଗ୍ରାମର ଜତ୍ନାଂଜଳି ପରିଡାଙ୍କୁ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇଥିଲା। କିନ୍ତୁ ତଦନ୍ତ ପକ୍ରିୟା ସେଇଠି ଅଟକି ରହିଛି। କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତୃପକ୍ଷ କେବଳ ଅଭିଯୋଗର ତଦନ୍ତ ପ୍ରକ୍ରିୟା ଚାଲିଛି କହି ଅଭିଯୋଗକୁ ଏଡ଼ାଇ ଚାଲିଛନ୍ତି। ତେଣୁ ଖୋଳତାଡ଼ କରାଗଲେ ବହୁ ଦୁର୍ନୀତି ସାମନାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର