ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରି ପ୍ରସଙ୍ଗ : ଶାସକ ଦଳ ସମର୍ଥିତ ସରପଞ୍ଚ ହିତାଧିକାରୀଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି : ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏଠି ପାତର ଅନ୍ତର ନୀତି ଆପଣାଇ କେବଳ ଦଳୀୟ କର୍ମୀମାନଙ୍କୁ ପକ୍କା ଘର ଯୋଗାଇ ଚାଲିଛନ୍ତି। ଅନ୍ୟ ପଟେ ଯୋଗ୍ୟ ହିତାଧିକାରୀମାନେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି। ସାରା ରାଜ୍ୟରେ ବିଜେଡିର ଏଜେଣ୍ଟ୍‌ମାନେ ପ୍ରତି ହିତାଧିକାରୀଙ୍କ ଠାରୁ ୧୦ ରୁ ୨୫ ହଜାର ଟଙ୍କାର ଲାଞ୍ଚ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ସାଧାରଣ ଗରିବ ଲୋକ ପାଇଁ ଏବେ କାଠିକର ପାଠ ହୋଇଛି। ବିନା ଲାଞ୍ଚରେ ଯୋଗ୍ୟ ହିତାଧିକାରୀଙ୍କ ନାଁକୁ ତାଲିକାଭୁକ୍ତ କରାଯାଉ ନାହିଁ। ଶାସକ ଦଳ ସମର୍ଥିତ ସରପଞ୍ଚମାନେ ଟଙ୍କା ଦେବା ପାଇଁ ବି ଧମକ ଦେଉଛନ୍ତି। ବାଣପୁର ବ୍ଲକ ଭବାନୀପୁର ପଞ୍ଚାୟତ ସାହାସପୁର ଗାଁର ଜଣେ ବ୍ରାହ୍ମଣ ବିଧବା ମହିଳା ଅହଲ୍ୟା ବେୱାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦେବା ପାଇଁ ସରପଞ୍ଚଙ୍କ ସ୍ୱାମୀ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏପରକି ଟଙ୍କା ନ ଦେଲେ ନାଁ କଟିଯିବ ଏବଂ ଘର ମିଳିବନି ବୋଲି ତାଗିଦ ବି କରିଥିଲେ। ସେ ଧାର ଆଣି ୫ ହଜାର ଟଙ୍କା ସରପଞ୍ଚଙ୍କ ସ୍ୱାମୀଙ୍କୁ ଦେଇଥିଲେ । କିଛି ଦିନ ପରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ବାଣପୁର ଶାଖାକୁ ସରପଞ୍ଚଙ୍କ ଭାଇ ଅହଲ୍ୟାଙ୍କୁ ନେଇ ଟିପ ଚିହ୍ନ ଦେଇ ୨୦ ହଜାର ଟଙ୍କାର ପ୍ରଥମ କିସ୍ତି ଉଠାଇ ମହିଳାଙ୍କୁ ୧୦ ହଜାର ଟଙ୍କା ଦେଇ ବାକି ୧୦ ହଜାର ଟଙ୍କା ନିଜେ ନେଇଗଲେ। ଏହି ଘଟଣାରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆସୁଥିବା ୨୦ ହଜାର ଟଙ୍କାର ପ୍ରଥମ କିସ୍ତିରୁ ହିତାଧିକାରୀ ମାତ୍ର ୫ ହଜାର ଟଙ୍କା ପାଉଥିବାବେଳେ ବାକି ୧୫ ହଜାର ଟଙ୍କାକୁ ଶାସକ ଦଳର ଏଜେଣ୍ଟ୍‌ମାନେ ହେରଫେର କରୁଛନ୍ତି। କେବଳ ବାଣପୁର ବ୍ଲକ ନୁହେଁ ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ଏହା ଏକ ଉଦାହରଣ। ଗତ କିଛି ଦିନ ତଳେ ଚିଲିକା ବ୍ଲକ ଅଫିସ୍‌ ପଛ ପଟ ପଡ଼ିଆରେ ପିଏମ୍‌ଏୱାଇ ଆବେଦନ ପତ୍ର ଫୋପଡା ହେବା ଏବଂ କିଛି ଅଧା ଜଳି ଯାଇଥିବା ଫର୍ମ ପଡ଼ିଥିବା ଘଟଣା ଗଣମାଧ୍ୟମ ନଜରକୁ ଆସିଥିଲା। ଏ ବାବଦରେ ବ୍ଲକ୍‌ର ଅଧୀକୃତ ଅଧିକାରୀମାନଙ୍କୁ ପ୍ରଶ୍ନ ପଚାରିବାରୁ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା।

ସମ୍ବନ୍ଧିତ ଖବର