ଝାରସୁଗୁଡ଼ାରେ ଅଭାବନୀୟ କାଣ୍ଡ: କୋର୍ଟ କୋଠାରୁ ଡେଇଁପଡ଼ିଲେ ବନ୍ଦୀ

ଆତ୍ମହତ୍ୟା ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ‘ମୋଠୁ ସର୍ବସ୍ବ ନେଲା, ମୋତେ ଦୁଷ୍କର୍ମ ମାମଲାରେ ଫସାଇଦେଲା। ଏବେ ପୁଣି ଜାମିନ କରାଇଦେବନି ବୋଲି ଚେତାବନୀ ଦେଉଛି। ମୁଁ ଏଇଠୁ ଡେଇଁ ଜୀବନ ହାରିଦେବି।’ ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ଜିଲ୍ଲା କୋର୍ଟ ପରିସରରେ ଜଣେ ବିଚାରାଧୀନ କଏଦୀ ଏଭଳି କିଛି କହି କୋର୍ଟର ପ୍ରଥମ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କଏଦୀ ଜଣଙ୍କ ବେଲପାହାଡ଼ ଥାନା ଜୁନାଡିହିର ସନାତନ ସିଂ। ୨୦୨୩ ମସିହାରେ ନାବାଳିକା ଦୁଷ୍କର୍ମ ମାମଲାରେ ସେ ଗିରଫ ହୋଇଥିଲେ ସନାତନ। ସନାତନଙ୍କ ଅଭିଯୋଗ ଅନୁସାରେ, ୩ ବର୍ଷ ଧରି ତାଙ୍କର ଜଣେ ନାବାଳିକାଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ସେମାନେ ଘରୁ ପଳାଇଯିବାକୁ ବି ନିଷ୍ପତ୍ତି ନେଇଥିଲେ। ଉକ୍ତ ନାବାଳିକା ତାଙ୍କୁ ଆଇଫୋନ୍‌ ଗିଫ୍ଟ ମାଗିଥିଲେ, କିନ୍ତୁ ସେ ଦେଇପାରି ନ ଥିଲେ। ଏହାପରେ ନାବାଳିକା ତାଙ୍କ ଘରକୁ ଯାଇ ସନାତନଙ୍କ ବିରୋଧରେ ଥାନାରେ ଏକ ଦୁଷ୍କର୍ମ ଏତଲା ଦେଇଥିଲେ। ପ୍ରାୟ ବର୍ଷେ ହେବ ସେ ଗିରଫ ହୋଇ ଝାରସୁଗୁଡ଼ା ଜେଲ୍‌ରେ ଅଛନ୍ତି।

ମଙ୍ଗଳବାର ଝାରସୁଗୁଡ଼ା ଜିଲ୍ଲାଜଜ୍‌ଙ୍କ କୋର୍ଟରେ ଉକ୍ତ ମାମଲାର ଶୁଣାଣି ଥିଲା। ଦିନ ପ୍ରାୟ ୧୧ଟାରେ ସନାତନଙ୍କୁ ପୁଲିସ୍‌ ହେପାଜତରେ ଝାରସୁଗୁଡ଼ା କୋର୍ଟକୁ ଅଣାଯାଇଥିଲା। ତେବେ, ଏହିସମୟରେ ସନାତନ ପୁଲିସ୍‌ ପାଖରୁ ଖସି କୋର୍ଟର ପ୍ରଥମ ମହଲାରେ ଥିବା ବାଡ଼ ଡେଇଁ ଛାତର ଦାଢ଼କୁ ଚାଲି ଯାଇଥିଲେ। ସେଠାରେ ଛିଡ଼ାହୋଇ ସେ ଆତ୍ମହତ୍ୟା କରିଦେବେ ବୋଲି ବଡ଼ପାଟିରେ ଚିତ୍କାର କରି କହିଥିଲେ। କୋର୍ଟରେ ଉପସ୍ଥିତ ଆଇନଜୀବୀ ଓ ଅନ୍ୟ ଲୋକେ ସନ‌ାତନଙ୍କୁ ଏଭଳି କରିବାକୁ ମନା କରିଥିଲେ। କିନ୍ତୁ, ‌ତାଙ୍କୁ କେହି ଉଦ୍ଧାର କରିବା ପୂର୍ବରୁ ସେ ତଳକୁ ଡେଇଁ ପଡ଼ିଥିଲେ। ତଳେ କଚାଡ଼ି ହୋଇପଡ଼ିବା କାରଣରୁ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ଅନ୍ୟ ସ୍ଥାନରେ ବି ଆଘାତ ଲାଗିଛି। ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନାରୁ ଚମ୍ପଟ କଏଦୀ ମୃତ

କାଳିଆପାଣି: କଟକ ବଡ଼ଡାକ୍ତରଖାନାର ଯକ୍ଷ୍ମାୱ‌ାର୍ଡରୁ ପୁଲିସକୁ ଚକ୍‌ମାଦେଇ ଗତକାଲି ଖସି ପଳାଇ ଆସିଥିବା କଏଦୀ ଶୁକୁରା ମୁଣ୍ଡା(୩୨)ର ଝୁଲନ୍ତା ମୃତଦେହ ଆଜି ତା ଗାଁ ପାଖରୁ ଉଦ୍ଧାର କରାଯାଇଛି। ‌ତେବେ, ପୁଅକୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ୨୦୧୯ ମସିହାରେ ଘଟିଥିବା ଏକ ହତ୍ୟା ମାମଲାରେ ଶୁକୁରାକୁ ଗତ ଅକ୍ଟୋବର ୧୯ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଅଦାଲତ ତାକୁ ଆ‌ଜୀବନ ସଶ୍ରମ କାରାବାସ ସହ ୫ ହଜାର ଟଙ୍କା ଜରିମାନା କରିଥିଲେ। ଆଠଗଡ଼ ଆଦର୍ଶ ଜେଲ୍‌ରେ ଆଜୀବନ ସଜା କାଟୁଥିବା ଶୁକୁରାକୁ ଚିକିତ୍ସା ପାଇଁ ଗତ ନଭେମ୍ବର ୧୧ ତାରିଖରୁ ୫ ମାସ ଧରି କଟକ ବଡ଼ ଡାକ୍ତରଖାନାର ସ୍ବତନ୍ତ୍ର ଯକ୍ଷ୍ମାୱାର୍ଡରେ ରଖାଯାଲା ବୋଲି ଚୌଦ୍ବାର ଏସ୍‌ଡିପିଓ ଉମାକାନ୍ତ ନାୟକ କହନ୍ତି। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ବେଳେ ଗତକାଲି ସେଠାରୁ ଚମ୍ପଟ ମାରିଥିଲା।

ଝୁଲନ୍ତା ମୃତଦେହ ଉଦ୍ଧ‌ାରକଲା ପୁଲିସ
ହତ୍ୟା ଅଭିଯୋଗ ଆଣିଲେ ମାଆ

ଯାଜପୁର ଜିଲ୍ଲା କାଳିଆପାଣି ଥାନା ଗିରିଙ୍ଗାମାଳି ଷଣ୍ଢ ପଡ଼ିଆରେ ଥିବା ଏକ ଗଛରୁ ପୁଲିସ ଆଜି ସକାଳ ତା’ର ମୃତଦେହ ଜବତ କରିଛି। ପୁଅକୁ କେହି ଯୋଜନାବଦ୍ଧ ଭାବେ ହତ୍ୟାକରି ଗାଁ ପାଖ ଗଛରେ ଝୁଲାଇ ଦେଇଥିବା ନେଇ ମୃତକଙ୍କ ମାଆ ମାଲିଆ ମୁଣ୍ଡା ଏତଲା ଦେଇଛନ୍ତି। ଏହି ଏତଲାକୁ ଭିତ୍ତିକରି ଆଇପିସି ଦଫା ୩୦୨ ଓ ୨୦୧ ଆଧାରରେ ଥାନାରେ ଏକ କେସ୍ ୬୨/୨୪ ରୁଜୁ ହୋଇଛି। କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ ଟପ୍ପୋ, ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ସାଇଣ୍ଟିଫିକ୍‌ ଅଫିସର ବିଜୟ କୁମାର, ସୁକିନ୍ଦା ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା, ଅସ୍ରଫ ଅଲ୍ଲୀ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପନାସିଆ ଗାଁର ସ୍ବର୍ଗତ ଶ୍ରୀଧର ମୁଣ୍ଡାଙ୍କ ପୁଅ ଶୁକୁରା ପୁଲିସ ହାତରୁ ୨ଥର ଫେରାର୍ ହୋଇଥିଲା।

ସମ୍ବନ୍ଧିତ ଖବର