କଳାବାଡ଼ିଆ: ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଥିବାବେଳେ ବାଙ୍ଗିରିପୋଷି ବ୍ଲକର ବିଭିନ୍ନ ପଞ୍ଚାୟତରେ ଜଳ ସଙ୍କଟ ତୀବ୍ର ରୂପ ଧାରଣ କରିଛି। କାଁଭାଁ ଗୋଟିଏ, ଦୁଇଟି ପଞ୍ଚାୟତକୁ ଛାଡ଼ି ଦେଲେ ଏଯାବତ ମୁଖ୍ୟ ରାସ୍ତାକଡ଼ରେ ଜଳଛତ୍ର ଖୋଲିନାହିଁ। ମୁଣ୍ଡଫଟା ଖରା ସାଙ୍ଗକୁ ଜଳସ୍ତର ହ୍ରାସ ପାଇବା ଫଳରେ ନଦୀ, ପୋଖରୀ, କୂଅ ସବୁ ଶୁଖିଗଲାଣି। ବିଗତ ବର୍ଷ ପରି ଏଥର ମଧ୍ୟ ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତର ଦୋମୁହାଁଣି, ଭାଗିରଥୀପୁର, ଘାଟକୁଆଁରି, କୁମ୍ଭୀରମୁଣ୍ଢି, ଦାନ୍ତିଆକଚା ଆଦି ଗାଁରେ ପିଇବା ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି।
ଆଦିବାସୀବହୁଳ ଏହି ପଞ୍ଚାୟତରେ ୪୧୮୨ ଲୋକ ବସବାସ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାଣି ମୁନ୍ଦେ ପାଇପାରିଲେନି। ଏହିସବୁ ଗାଁଗୁଡ଼ିକରେ ନଳକୂପ ଅଛି, କିନ୍ତୁ ସେଥିରୁ ଲୁହାଳିଆ, କ୍ଷାରଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ଫଳରେ ବୁଢ଼ାବଳଙ୍ଗ ପାଣିକୁ ଭରସା କରିଛନ୍ତି ଗ୍ରାମବାସୀ। ନଦୀକୂଳରେ ଚୁଆ ଓ କୂଅ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି। ଏ ସଂପର୍କରେ ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ, ଅନେକଥର ଅଭିଯୋଗ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିବା ଗ୍ରାମର ସୀତା ମାରାଣ୍ଡି, ନାଗି ମୁର୍ମୁ, ସାଫ୍ରା ମୁର୍ମୁ, ସାରଳା ଟୁଡୁ, ପାର୍ବତୀ ଟୁଡୁ, ବାଲି ହାଁସଦା, ସନିଆ ସିଂ, କୁଣିଆ ସିଂ ପ୍ରମୁଖ କହିଛନ୍ତି। ପଞ୍ଚାୟତରେ ନୂତନ ଭାବେ ଯୋଗ ଦେଇଥିବା ସରପଞ୍ଚ ପ୍ରଦୀପ କୁମାର ସୋରେନ୍ଙ୍କ ସୂଚନା ଅନୁସାରେ, ପଞ୍ଚାୟତର ୧୪ଟି ଵାର୍ଡରେ ଜଳସଙ୍କଟ ଉତ୍କଟ ହେଲାଣି। ନଳକୂପଗୁଡ଼ିକର ମରାମତି ସାଙ୍ଗକୁ ସ୍ବଜଳଧାରା ଯୋଜନାରେ ଗାଁଗୁଡ଼ିକୁ ପାନୀୟଜଳ ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/21-2.jpg)